ଭୁବନେଶ୍ୱର ୨୩।୧୧ : ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ ନାଁରେ ଡାକ୍ତରଙ୍କୁ ୧୧ ଲକ୍ଷ ଟଙ୍କା ଚୂନ । ଫିଲ୍ମ ନିର୍ମାଣରେ ଟଙ୍କା ନିବେଶ କଲେ ଭଲ ଫାଇଦା ମିଳିବ ବୋଲି ଦେଖାଇଥିଲେ ସ୍ୱପ୍ନ । ହେଲେ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ ଅଭିଯୁକ୍ତ । ଶେଷରେ ଠକେଇର ଶିକାର ହୋଇଥିବା ଡାକ୍ତରଙ୍କ ଅଭିଯୋଗ ପରେ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ ଅଭିନେତା ଶରଣବିନ୍ଦୁ ଓଝା । ଭୁବନେଶ୍ୱର କ୍ୟାପିଟାଲ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଏହି ଠକେଇ ପଛରେ ଆଉ କିଛି ରହସ୍ୟ ରହିଛି କି ? ତାହାର ଖୋଳତାଡ଼ କରୁଛି ପୋଲିସ ।

ଅଭିଯୋଗ ଅନୁସାରେ, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବା ପାଇଁ ଜଣେ ଡାକ୍ତରଙ୍କୁ ପ୍ରଲୋଭିତ କରିଥିଲେ ଅଭିଯୁକ୍ତ ଶରଣବିନ୍ଦୁ ଓଝା । ଫିଲ୍ମ ନିର୍ମାଣରେ ଟଙ୍କା ନିବେଶ କଲେ ଭଲ ସୁଯୋଗ ମିଳିବ ବୋଲି କହି ଡାକ୍ତରଙ୍କଠାରୁ ପର୍ଯ୍ୟାୟକ୍ରମେ ୧୧ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ହେଲେ ଟଙ୍କା ନେବା ପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ ଦିଗରେ କୌଣସି ଅଗ୍ରଗତି ହୋଇନଥିଲା । ଫିଲ୍ମ କାମ କେବେ ଆରମ୍ଭ ହେବ, ଟଙ୍କା କେଉଁଠି ଖର୍ଚ୍ଚ ହେଲା, ସେନେଇ ଡାକ୍ତରଙ୍କୁ ସନ୍ତୋଷଜନକ ଉତ୍ତର ମିଳିନଥିବା ଅଭିଯୋଗ ରହିଛି । ଏହାପରେ ନିଜକୁ ଠକେଇର ଶିକାର ମନେ କରି ଡାକ୍ତର କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ ।

Also Read:-ପିଲାଦିନ ଫଟୋରୁ ୩୦ ବର୍ଷୀୟ ମହିଳାଙ୍କୁ ଖୋଜିଲା AI, ୫ ବର୍ଷ ପରେ ମିଳିଲେ ନିଖୋଜ ମଞ୍ଜୁ

ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଶରଣବିନ୍ଦୁ ଓଝାଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଜଣେ ହାସ୍ୟ ଅଭିନେତା ତଥା ଧାରାବାହିକ ଅଭିନେତା ବୋଲି ଜଣାପଡ଼ିଛି । ତେବେ କେବଳ ଏହି ଜଣେ ଡାକ୍ତର ଠକେଇର ଶିକାର ହୋଇଛନ୍ତି ନା ଏହା ପଛରେ ଆଉ କେହି ଅଛନ୍ତି ? ଫିଲ୍ମ ନିର୍ମାଣ ନାଁରେ ଅନ୍ୟ କାହାଠାରୁ ମଧ୍ୟ ଟଙ୍କା ନିଆଯାଇଛି କି ? ଟଙ୍କା କେଉଁ କାମରେ ବ୍ୟବହାର ହୋଇଛି ? ଏଭଳି ଅନେକ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।