ଭୁବନେଶ୍ୱର ୨୩।୧୧ : ଓଡ଼ିଶାରେ ଏଥର ଶୀତର ପ୍ରକୋପ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ରହିବ। ନଭେମ୍ବର ୨୮ ତାରିଖରୁ ସାରା ରାଜ୍ୟରେ ଥଣ୍ଡା ବଢ଼ିବା ସହ ୨ରୁ ୩ ଡିଗ୍ରୀ ଯାଏଁ ଖସିପାରେ ତାପମାତ୍ରା। ଡିସେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଶୀତର ପ୍ରକୋପ ରହିବ ବୋଲି ସୂଚନା ଦେଇଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଏବେ ଶୀତର ପ୍ରଭାବ ସେତେଟା ଅନୁଭୂତ ହେଉନାହିଁ। ଜଳୀୟବାଷ୍ପ ଏବଂ ମେଘମୁକ୍ତ ଆକାଶ ଯୋଗୁଁ ଦିନରେ ଖରା ରହୁଥିବା ବେଳେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହୁଛି। ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ କୁହୁଡ଼ି ଲାଗି ରହିବ। ତେବେ ୨୫ ତାରିଖରୁ କୁହୁଡ଼ିର ପ୍ରଭାବ କମିବା ସମ୍ଭାବନା ରହିଛି।

ଏହାପରେ ଉତ୍ତର ଭାରତରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେବା ଫଳରେ ରାତିର ତାପମାତ୍ରା ହ୍ରାସ ପାଇବ। ନଭେମ୍ବର ୨୮ ତାରିଖରୁ ଉପକୂଳ ସମେତ ସାରା ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା କମିବା ସହ ଥଣ୍ଡା ବଢ଼ିବ। ବିଶେଷକରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ। ଡିସେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଶୀତର ପ୍ରଭାବ ସ୍ପଷ୍ଟ ଭାବେ ଅନୁଭୂତ ହେବ। ଫେବୃଆରୀ ୧୫ ପର୍ଯ୍ୟନ୍ତ ଶୀତ ଋତୁ ଜାରି ରହିବା ସମ୍ଭାବନା ଥିବାବେଳେ ମଝିରେ ମଝିରେ ପଶ୍ଚିମା ଝଡ଼ ପ୍ରଭାବରେ କିଛି ଦିନ ପାଇଁ ଥଣ୍ଡା କମିପାରେ।

Also Read:-ବିଧାନସଭାରେ ଆଜି ଚାଲିପାରେ ସ୍ୱାଭାବିକ କାର୍ଯ୍ୟ, ବିଜେଡିର ସହମତି ପରେ କଂଗ୍ରେସ ନିଷ୍ପତ୍ତିକୁ ଅପେକ୍ଷା

ସେପଟେ ଦକ୍ଷିଣ ବଙ୍ଗୋପସାଗର ଏବଂ ତାମିଲନାଡ଼ୁ-ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଓଡ଼ିଶା ଉପରେ କୌଣସି ପ୍ରତ୍ୟକ୍ଷ ପ୍ରଭାବ ରହିବ ନାହିଁ। ତେବେ ନଭେମ୍ବର ୨୭ କିମ୍ବା ୨୮ ତାରିଖ ଆଡ଼କୁ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଭଳି ଉପକୂଳ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ଏବେଠାରୁ ଶୀତ ପାଇଁ ପ୍ରସ୍ତୁତ ରହିବାକୁ ହେବ। ବିଶେଷକରି ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ଓ ଭୋର ସମୟରେ ଥଣ୍ଡା ବଢ଼ିବା ସମ୍ଭାବନା ରହିଛି।