ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁ ବିଶ୍ୱ ତୈଳ ଯୋଗାଣ ଉପରେ ଚାପ ପଡ଼ିବା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିଛି। ଯାହାର ପ୍ରଭାବ ଭାରତର ଇନ୍ଧନ ବଜାରରେ ମଧ୍ୟ ଦେଖାଦେଇଛି। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, କିଛି ଘରୋଇ ଫ୍ୟୁଲ୍ କମ୍ପାନୀ ନିଜ ପେଟ୍ରୋଲ ପମ୍ପରେ ଡିଜେଲ ବିକ୍ରି ଉପରେ ସୀମା ନିର୍ଦ୍ଧାରଣ କରିବା ଆରମ୍ଭ କରିଛନ୍ତି। କେଉଁ ଗ୍ରାହକଙ୍କୁ କେତେ ତେଲ ଦିଆଯିବ ତା’ର ଏକ ସୀମା ଲାଗୁ କରାଯାଇଛି।

ତେବେ ଦେଶବ୍ୟାପୀ ଡିଜେଲ ବିକ୍ରିରେ କୌଣସି କଟକଣା ଲାଗିନାହିଁ କି ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ଏଭଳି କୌଣସି ନିୟମ ନାହିଁ। ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମରେ ଏଭଳି କୌଣସି ବିକ୍ରି ସୀମା ଲାଗୁ କରାଯାଇ ନାହିଁ ବୋଲି କମ୍ପାନୀଗୁଡ଼ିକ ସୂଚନା ଦେଇଛନ୍ତି।

ରିପୋର୍ଟ ଅନୁସାରେ, କିଛି Jio-BP ପମ୍ପରେ ଜଣେ ଗ୍ରାହକଙ୍କୁ ସର୍ବାଧିକ ୫୦ ଲିଟର ଡିଜେଲ ବିକ୍ରି କରିବାକୁ କୁହାଯାଇଛି। କେତେକ ପମ୍ପରେ ଦୈନିକ ଡିଜେଲ ବିକ୍ରିକୁ ୬,୦୦୦ ଲିଟରରେ ସୀମିତ କରାଯାଇଥିବା ମଧ୍ୟ ଖବର ଆସିଛି। ସେହିପରି ନାୟରା ଏନର୍ଜୀ ପମ୍ପରେ ପ୍ରତି ଟ୍ରାଞ୍ଜାକ୍ସନରେ ୭୦ ଲିଟରରୁ ୨୦୦ ଲିଟର ପର୍ଯ୍ୟନ୍ତ ଡିଜେଲ ବିକ୍ରିର ସୀମା ରହିଛି।

Also read- ତୈଳ କମ୍ପାନୀଙ୍କ କ୍ଷତି ଦିନକୁ ୫୦୦ କୋଟି ଟଙ୍କା : ଆଗକୁ ବଢ଼ିଯିବ ପେଟ୍ରୋଲ-ଡିଜେଲ୍ ରେଟ୍ !

ଭାରତରେ ଏବେ ୧ ଲକ୍ଷରୁ ଅଧିକ ଇନ୍ଧନ ପମ୍ପ ରହିଛି। ଏହାର ପ୍ରାୟ ୯୦ ପ୍ରତିଶତ ପମ୍ପ ଇଣ୍ଡିଆନ ଅଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍ ଭଳି ସରକାରୀ ତୈଳ କମ୍ପାନୀ ଚଳାଉଛନ୍ତି। ତେଣୁ ଏବେ ପର୍ଯ୍ୟନ୍ତ ଏହି କଟକଣାର ପ୍ରଭାବ ସୀମିତ ରହିଛି।

ଦୂରଗାମୀ ଟ୍ରକ୍ ଚାଳକଙ୍କ ପାଇଁ ବଢ଼ିପାରେ ସମସ୍ୟା

ଡିଜେଲ ବିକ୍ରିରେ ଏଭଳି ସୀମା ଲାଗିଲେ ଦୂର ଯାତ୍ରା କରୁଥିବା ବାଣିଜ୍ୟିକ ଟ୍ରକ୍ଗୁଡ଼ିକ ଅଧିକ ପ୍ରଭାବିତ ହୋଇପାରନ୍ତି। ବିଶେଷକରି ଦୁର୍ଗମ ଅଞ୍ଚଳରେ ଇନ୍ଧନ ପମ୍ପ କମ୍ ଥିବାରୁ ଟ୍ରକ୍ଗୁଡ଼ିକ ଏକାଥରକେ ଅଧିକ ପରିମାଣର ଡିଜେଲ ଭରିଥାନ୍ତି। ତେଣୁ ଏଭଳି ସୀମା ସେମାନଙ୍କ ଯାତାୟାତ ଓ ପରିବହନ ଖର୍ଚ୍ଚ ଉପରେ ପ୍ରଭାବ ପକାଇପାରେ।

ବଢ଼ିଲା ଅଶୋଧିତ ତୈଳ ଦର

ଅଶୋଧିତ ତୈଳ ଦର ବଢ଼ିବା ଯୋଗୁ ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ ବଢ଼ିଛି। ICRA ଅନୁସାରେ, ସେପ୍ଟେମ୍ବର ୨୧ରେ ଭାରତର କ୍ରୁଡ୍ ଅଏଲ୍ ବାସ୍କେଟ୍ ଦର ବ୍ୟାରେଲ ପିଛା ୧୧୭.୪ ଡଲାରରେ ପହଞ୍ଚିଛି। ୨୦୨୫-୨୬ରେ ଏହାର ହାରାହାରି ଦର ପ୍ରାୟ ୬୬ ଡଲାର ଥିଲା।

ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କ୍ରୁଡ୍ ଅଏଲ୍ ଦର ବୃଦ୍ଧି ସହିତ ସମାନ ଅନୁପାତରେ ବଢ଼ିନଥିବାରୁ ତୈଳ ବିପଣନ କମ୍ପାନୀଗୁଡ଼ିକ ଉପରେ ଆର୍ଥିକ ଚାପ ବଢ଼ିଛି। ICRA ଆକଳନ ଅନୁସାରେ, ବର୍ତ୍ତମାନ ତୈଳ ବିପଣନ କମ୍ପାନୀଗୁଡ଼ିକ ଡିଜେଲରେ ପ୍ରତି ଲିଟର ପ୍ରାୟ ୯ ଟଙ୍କା ଏବଂ ପେଟ୍ରୋଲରେ ପ୍ରତି ଲିଟର ପ୍ରାୟ ୮ ଟଙ୍କା କ୍ଷତି ସହୁଛନ୍ତି।

ଯୋଗାଣ ଉପରେ ମଧ୍ୟ ଚାପ

ପଶ୍ଚିମ ଏସିଆ ସଂଘର୍ଷ ମଧ୍ୟରେ ତୈଳ ଯୋଗାଣ ଶୃଙ୍ଖଳା ଉପରେ ମଧ୍ୟ ଚାପ ବଢ଼ିଛି। ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ, ପୂର୍ବ-ପଶ୍ଚିମ ପାଇପଲାଇନରେ ଆକ୍ରମଣ ପରେ ସାଉଦି ଆରମାକୋ ଭାରତୀୟ ରିଫାଇନରୀଗୁଡ଼ିକୁ କ୍ରୁଡ୍ ଅଏଲ୍ ଯୋଗାଣ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ କରିଛି। ଫଳରେ ଭାରତୀୟ ରିଫାଇନରୀଗୁଡ଼ିକୁ ଅଧିକ ଦରରେ ବିକଳ୍ପ ଉତ୍ସରୁ ଅଶୋଧିତ ତୈଳ ଆଣିବାକୁ ପଡ଼ୁଛି। ତେବେ ବର୍ତ୍ତମାନର ପରିସ୍ଥିତିକୁ ଦେଶବ୍ୟାପୀ ଡିଜେଲ ଅଭାବ ବୋଲି କୁହାଯାଇପାରିବ ନାହିଁ। ସରକାରୀ ତୈଳ କମ୍ପାନୀଗୁଡ଼ିକର ପମ୍ପରେ ସାଧାରଣ ଭାବେ ଇନ୍ଧନ ବିକ୍ରି ଜାରି ରହିଛି।