ନୂଆଦିଲ୍ଲୀ, ୨୪/୦୯ : ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ମଧ୍ୟପ୍ରାଚ୍ୟ ଅଶାନ୍ତ ରହିଛି । ଏହାସହ ଋଷ ଏବଂ ୟୁକ୍ରେନ ମଧ୍ୟରେ ବି ବର୍ଷ ବର୍ଷ ହେଲା ଲଢେଇ ଚାଲିଛି । ଏସବୁ ଭିତରେ ସାରା ବିଶ୍ୱରେ ତୈଳ ଦର ପ୍ରଭାବିତ ହୋଇଛି । ଅଶୋଧିତ ତୈଳ ଦର ଦାମ୍ ବୃଦ୍ଧି ପାଇଛି । ଏହା ମଧ୍ୟରେ ଘରୋଇ ଇନ୍ଧନ ବା ପେଟ୍ରୋଲ-ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହେଉନି । ଫଳରେ ତୈଳ ବିତରଣ କମ୍ପାନୀ ମାନେ କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି ।

ରିପୋର୍ଟ ଅନୁସାରେ, ଆଇଓସିଏଲ, ବିପିସିଏଲ ଏବଂ ଏଚପି ଭଳି କମ୍ପାନୀର ବ୍ୟାପକ କ୍ଷତି ହେଉଛି । ପ୍ରତି ଲିଟର ପିଛା ପେଟ୍ରୋଲରେ ୮ ଟଙ୍କା ଏବଂ ଡିଜେଲରେ ୯ ଟଙ୍କାର କ୍ଷତି ହେଉଛି ।

ଏଲପିଜି ସିଲିଣ୍ଡରରେ ମଧ୍ୟ କ୍ଷତି

ଘରୋଇ ରନ୍ଧନ ଗ୍ୟାସ୍ ଉପରେ ସେପ୍ଟେମ୍ବରରେ କମ୍ପାନୀମାନଙ୍କର ସିଲିଣ୍ଡର ପିଛା ୩୦୦ ଟଙ୍କା କ୍ଷତି ହେଉଛି । ଏକ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ବିଭିନ୍ନ ପେଟ୍ରୋଲିୟମ କମ୍ପାନୀର ଦୈନିକ ୫୩୦ କୋଟି ଟଙ୍କା କ୍ଷତି ହେଉଛି । ମଧ୍ୟପ୍ରାଚ୍ୟ ବା ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ଏହାର ମୁଖ୍ୟ କାରଣ । ଫଳରେ ଅଶୋଧିତ ତୈଳ ଦାମ୍ ବଢୁଛି । କିନ୍ତୁ ଘରୋଇ ତୈଳ ଦର ବୃଦ୍ଧି ପାଉନି ।

ବଢୁଛି ଅଶୋଧିତ ତୈଳ

ବ୍ୟବସାୟ ବାଣିଜ୍ୟ ବିଶେଷଜ୍ଞ ପ୍ରଶାନ୍ତ ବଶିଷ୍ଠ କହିଛନ୍ତି ଯେ, ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ପାଇଁ ତୈଳ ଆମଦାନୀ ହୋଇପାରୁନି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ ବନ୍ଦ ହେବା ଦ୍ୱାରା ତୈଳ ଦର ବଢୁଛି । ଅନେକ ଜାହାଜ ଅଟକି ରହିଛନ୍ତି । ୨୦୨୬-୨୭ ତ୍ରୈମାସିକରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା କମ୍ପାନୀଙ୍କର ୫୦୦ ଟଙ୍କା କ୍ଷତି ହୋଇଥିଲା । ଯାହା ସେପ୍ଟେମ୍ବରରେ ୩୦୦ ଟଙ୍କାକୁ ହ୍ରାସ ପାଇଛି ।