ଖୋର୍ଦ୍ଧା ୧୦।୧୨: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ ପଡିଲା ମହଙ୍ଗା । ବନ୍ଧାହେଲେ ରସିକିଆ ପ୍ରିନ୍ସିପାଲ । ଖୋର୍ଦ୍ଧା ଜିଲ୍ଲାର ଏକ କଲେଜର ପ୍ରିନ୍ସିପାଲଙ୍କୁ ଗିରଫ କଲା ପୋଲିସ । କଲେଜର ଜଣେ ଅଧ୍ୟାପିକାଙ୍କୁ ଅଶ୍ଳୀଳ ମେସେଜ ଏବଂ ଫୋନ୍ କଲ୍ କରିବା ଅଭିଯୋଗରେ ପ୍ରିନ୍ସିପାଲ ଜଣଙ୍କ ଗିରଫ ହୋଇଛନ୍ତି । କେବଳ ଭଏସ୍ ମେସେଜ ନୁହେଁ କଲେଜରେ କ୍ଲାସ କରିବା ସମୟରେ ଫୋନ୍ କରି ଭିଡିଓ କଲ୍ କରିବାକୁ ନିବେଦନ କରୁଥିଲେ ସଂପୃକ୍ତ ପ୍ରିନ୍ସିପାଲ୍ ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ବୋଲଗଡ଼ର ଏକ କଲେଜର ରସାୟନ ବିଭାଗରେ ନିଯୁକ୍ତି ପାଇଥିଲେ ଜଣେ ଅଧ୍ୟାପିକା । ତେବେ ତାଙ୍କ ଫୋନ୍‌କୁ ଉକ୍ତ କଲେଜର ଅଧ୍ୟକ୍ଷ ଅଶ୍ଳୀଳ ମେସେଜ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଉକ୍ତ ଅଧ୍ୟାପିକା ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇବା ପରେ ନିଜ ବାପା-ମା’ଙ୍କୁ ଏ ବିଷୟରେ ଜଣାଇଥିଲେ । ପରେ ଏ ନେଇ ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଏତଲା ଦେଇଥିଲେ ।

ଅଧ୍ୟାପିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ତଥା ଅଧ୍ୟାପିକାଙ୍କୁ ଉକ୍ତ କଲେଜର ଅଧ୍ୟକ୍ଷ ବିଭିନ୍ନ ପ୍ରକାରର ଅଶ୍ଳୀଳ ମେସେଜ ଦେଇ ପ୍ରେମ ନିବେଦନ କରୁଥିଲେ । ଏମିତି କି ଭଏସ୍ ମେସେଜରେ ମଧ୍ୟ ବିଭିନ୍ନ ପ୍ରକାରର ଅଶ୍ଳୀଳ କଥା କହୁଥିଲେ । କେବଳ ଭଏସ ମେସେଜ ନୁହେଁ କଲେଜରେ କ୍ଲାସ୍ କରିବା ବେଳେ ଫୋନ୍ କରି ଭିଡିଓ କଲ୍ କରିବାକୁ ନିବେଦନ କରୁଥିଲେ ସଂପୃକ୍ତ ପ୍ରିନ୍ସିପାଲ୍ । ତେବେ ଶିକ୍ଷା ଅନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଏ ପ୍ରକାର ଘଟଣାକୁ ନେଇ କଲେଜରେ ଝିଅ, ମହିଳାଙ୍କ ସୁରକ୍ଷା ଦାବି କରିଛନ୍ତି ଅଧ୍ୟାପିକାଙ୍କ ବାପା ।

ସେପଟେ ଏ ନେଇ ବୋଲଗଡ଼ ଥାନା ଅଧିକାରୀ ଏକ କେଶ ରୁଜୁ କରି ସଂପୃକ୍ତ କଲେଜର ଅଧ୍ୟକ୍ଷଙ୍କୁ ଗିରଫ କରିଛି । ପ୍ରିନ୍ସିପାଲ ଗିରଫ ପରେ ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।