ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାରେ ଭାରତୀୟ ସମ୍ୱିଧାନ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଓ ଖୁସିର ବିଷୟ । ଭାରତର ସମ୍ୱିଧାନ ଏବେ ସାନ୍ତାଳୀ ଭାଷରେ, ଅଲଚିକି ଲିପିରେ ଉପଲବ୍ଧ ହେବ । ଏହାଦ୍ୱାରା ସେମାନେ ସମ୍ୱିଧାନକୁ ନିଜ ଭାଷାରେ ପଢି ପାରିବେ ଓ ବୁଝି ପାରିବେ ।

ରାଷ୍ଟ୍ରପତି କହିଛନ୍ତି ଯେ ଚଳିକ ବର୍ଷ ଆମେ ଅଲଚିକି ଲିପିର ଶତାବ୍ଦୀ ପାଳନ କରୁଛୁ । ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଭାରତର ସମ୍ୱିଧାନକୁ ଅଲଚିକି ଲିପିରେ ପ୍ରକାଶିତ କରିଥିବାରୁ ଆଇନ ଓ ନ୍ୟାୟ ମନ୍ତ୍ରୀ ଓ ତାଙ୍କ ଟିମକୁ ରାଷ୍ଟ୍ରପତି ମୁର୍ମୁ ପ୍ରଶଂସା କରିଛନ୍ତି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ ।

ସାନ୍ତାଳୀ ଭାଷାକୁ ୨୦୦୩ରେ ୯୨ତମ ସମ୍ୱିଧାନ ସଂଶୋଧନ ଅଧିନିୟମ ଜରିଆରେ ସମ୍ୱିଧାନର ଅଷ୍ଟମ ସୂଚୀରେ ସାମିଲ କରାଯାଇଥିଲା । ଏହା ଭାରତର ସବୁଠୁ ପ୍ରାଚୀନ ଜୀବିତ ଭାଷା ମଧ୍ୟରୁ ଗୋଟିଏ । ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରରେ ସବୁ ସଂଖ୍ୟାରେ ଆଦିବାସୀଙ୍କ ଦ୍ୱାରା ବ୍ୟବହାର କରାଯାଇଥାଏ ।