ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରୋସିଡିଂ କାଳରେ ଅଭଦ୍ରଭାଷା ପ୍ରୟୋଗ କରିବା, କୋର୍ଟରୁମରେ କାଗଜପତ୍ର ଫିଙ୍ଗାଫୋପଡା କରିବା, ସୁରକ୍ଷା କର୍ମୀଙ୍କ ସହ ମାରପିଟ କରିବା ଓ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଗିରଫ ଦୁଇ ଆଇନ ଛାତ୍ରଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅଭିଯୁକ୍ତଙ୍କ ଆଚରଣ କୌଣସି ଦୃଷ୍ଟିରୁ ସ୍ୱୀକାର୍ଯ୍ୟ ନୁହେଁ ଓ ଏହାକୁ ସ୍ପଷ୍ଟ ରୂପେ ନିନ୍ଦା କରାଯାଉଛି। ତେବେ ଆରୋପର ଜଟିଳତା ଆଧାରରେ ସେମାନଙ୍କୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରଖା ଯାଇ ପାରିବନାହିଁ।

ପଟିୟାଲା ହାଉସ୍ ସ୍ଥିତ ମାଜିଷ୍ଟ୍ରେଟ୍ ରବି କହିଛନ୍ତି ଯେ ସୁପ୍ରିମକୋର୍ଟ ଭଳି ଏକ ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା କାହାର ଆକ୍ରୋଶ ଓ ନିଜ ପାଇଁ ତର୍କ ରଖୁଥିବା ବାଦୀଙ୍କ ଅସଞ୍ଜମିତ ବ୍ୟବହାରରେ ଦୁର୍ବଳ ହୋଇପଡନ୍ତିନି। ଏଣୁ ଅଧିନସ୍ଥ କୋର୍ଟଙ୍କୁ ମଧ୍ୟ ଜାମିନ ଉପରେ ବିଚାର କରିବା ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଦର୍ଶିତ ସଂସ୍ଥାଗତ ସଂଞ୍ଜମତା ଅନୁସରଣ କରିବା ଦରକାର। କୋର୍ଟ ଉତ୍ତରପ୍ରଦେଶ ଇଟାବା ନିବାସୀ ତଥା ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷ ଆଇନ ଛାତ୍ର ପ୍ରବଳ ପ୍ରତାପ ସିଂହ ଓ ରାୟବରେଲୀ ବାସିନ୍ଦା ଦ୍ୱିତୀୟବର୍ଷ ଆଇନ ଛାତ୍ର ଚନ୍ଦରଭାନଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି। ଉଭୟଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ମୁଚାଲିକା ଓ ସେତିକି ରାଶି ଜମା କରି ଜାମିନରେ ଯିବାକୁ ଅନୁମତି ଦେଇଛନ୍ତି।

ଦିଲ୍ଲୀ ପୋଲିସ ଅନୁସାରେ ଜୁଲାଇ ୧୦ ତାରିଖରେ ସୁପ୍ରିମକୋର୍ଟଙ୍କ କୋର୍ଟ ନମ୍ବର ୧୩ରେ ବିଶେଷ ଅନୁମତି ପିଟିସନର ଶୁଣାଣି କାଳରେ ପ୍ରବଳପ୍ରତାପ ସିଂହ ନିଜେ ଆବେଦନକାରୀ ଭାବେ ହାଜର ହୋଇଥିଲେ। ସେ ଶୁଣାଣି କାଳରେ ଅଭଦ୍ର ଓ ଅସଂସଦୀୟ ଭାଷା ପ୍ରୟୋଗ କରିଥିଲେ ଓ କୋର୍ଟ ରୁମରେ କାଗଜ ଫିଙ୍ଗି ହଟଚମଟ ସୃଷ୍ଟି କରିଥିଲେ। ଏହି ସମୟରେ ତାଙ୍କୁ ବାଧା ଦେବାରୁ ସୁରକ୍ଷା କର୍ମୀଙ୍କ ଉପରେ ମଧ୍ୟ ସେ ବଳ ପ୍ରୟୋଗ କରିଥିଲେ। ମାମଲାରେ ଚନ୍ଦ୍ରଭାନ ତାଙ୍କ ସହଅଭିଯୁକ୍ତ ଅଛନ୍ତି।

କୋର୍ଟ କହିଛନ୍ତି ଯେ ପକ୍ଷକାର କେହି ବି ହୁଅନ୍ତୁ ନା କାହିଁକି ସେ କୋର୍ଟଙ୍କ ନିଷ୍ପତ୍ତିରେ କେତେ ବି ଅସନ୍ତୁଷ୍ଟ ହୋଇଥାନ୍ତୁ ନା କାହିଁକି ତାଙ୍କୁ କୋର୍ଟରେ ଅଭଦ୍ର ଭାଷା କହିବା ଓ ମୁଖ୍ୟ ବିଚାରପତିଙ୍କ ପଦ ଓ ଗାରିମା ଉପରେ ଟିପ୍ପଣୀ କରିବାକୁ ଅଧିକାର ଦିଏନା। ଏହା ସହିତ କୋର୍ଟ ଏହା ବି କହିଛନ୍ତି ଯେ ଜୁଲାଇ ୧୦ ତାରିଖ ଦିନ ସୁପ୍ରିମକୋର୍ଟ ଏହି ଘଟଣା ରେ ସଂଞ୍ଜମତା ଅବଲମ୍ବନ କରି ଅଭିଯୁକ୍ତଙ୍କ ବିରୋଧରେ ତତ୍କାଳ କୌଣସି କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରସ୍ତାବ ରଖିନଥିଲେ। ଏଣୁ ଦୁଇ ଛାତ୍ରଙ୍କ ଜାମିନ ନିଷ୍ପତ୍ତି ସମୟରେ ସେହି ସନ୍ତୁଳିତ ଦୃଷ୍ଟିକୋଣ ଗ୍ରହଣ କରାଯିବା ଉଚିତ ।

କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ଯାଞ୍ଚ ଶେଷ ହୋଇଛି। ପୋଲିସକୁ ମଧ୍ୟ ହାଜତରେ ରଖି ଅଧିକ ପଚରା ଉଚରା କରିବାର ଆଉ ଆବଶ୍ୟକତା ନାହିଁ। ସେମାନଙ୍କ ବିରୋଧରେ ଯେଉଁଧାରାରେ ମୋକଦ୍ଦମା ରୁଜୁ ହୋଇଛି ସେଥିରେ ଅଧିକତମ ଦଣ୍ଡ ମାତ୍ର ୨ ବର୍ଷ। ଏଣୁ ସେମାନଙ୍କୁ ଜାମିନ ମଞ୍ଜୁର କରାଯାଉଛି।