ଭୁବନେଶ୍ବର ୨୫।୭: ଓଡ଼ିଶା ପୋଲିସର ଅପେରସନ ଅନ୍ୱେଷଣରେ କନ୍ଧମାଳ ଓ ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ଅପରେସନ୍ ଅନ୍ବେଷଣ ଫେଜ୍-୩ ରେ କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି । ୫ ଦିନିଆ ସ୍ପେସିଆଲ ଡ୍ରାଇଭରେ କନ୍ଧମାଳ ପୋଲିସ ୧୨୯ ଜଣ ମହିଳା ଏବଂ ୯ ଜଣ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିଛି ।

ଗତ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ପେସିଆଲ ଡ୍ରାଇଭରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳର ପୋଲିସ ସାମିଲ ହୋଇଥିଲେ ଏବଂ ସମସ୍ତଙ୍କ ସହଯୋଗରେ ନିଖୋଜ ମହିଳା ଓ ନାବାଳିକା ମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ସମସ୍ତ ମହିଳା ଏବଂ ନାବାଳିକା ମାନଙ୍କୁ ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି ।

Also Read:- ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ସାଆନ୍ତେ

ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ସବୁବେଳେ ତତ୍ପର ରହିଛି । ଯଦି କୌଣସି ଜାଗାରେ ମହିଳା ଓ ଶିଶୁ ମାନଙ୍କୁ ସୁରକ୍ଷାର ଆବଶ୍ୟକ ରହୁଛି । ତେବେ ସେମାନେ ତତକ୍ଷଣାତ 112 ଟୋଲ୍ ଫ୍ରି ନମ୍ବରରେ କଲ୍ କରି ପୋଲିସର ସହାୟତା ନେଇପାରିବେ ବୋଲି କହିଛନ୍ତି କନ୍ଧମାଳ SP ରାମେନ୍ଦ୍ର ପ୍ରସାଦ ।

ସେହିପରି ଗଞ୍ଜାମ ପୋଲିସ ଜିଲ୍ଲାରେ ଅପରେସନ ଅନ୍ୱେଷଣ-୩ରେ ସଫଳତା ମିଳିଛି । ଏହି ଅଭିଯାନରେ ୧୨୨ ଜଣ ନିଖୋଜ ଶିଶୁ, ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରାଯାଇଛି । ଅନ୍ୱେଷଣ ୧ ଓ ୨ ସଫଳତା ପରେ ଅନ୍ୱେଷଣ-୩ ଆରମ୍ଭ ହୋଇଥିଲା । ଉଦ୍ଧାର ୧୨୨ ଜଣଙ୍କ ମଧ୍ୟରେ ୧୬ ଜଣ ନାବାଳକ ଓ ନାବାଳିକା ରହିଥିବା ବେଳେ ୯୩ ଜଣ ମହିଳା ଓ ୧୩ ଜଣ ପୁରୁଷ ଅଛନ୍ତି । ଏହାପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି ପୋଲିସ । ଆନ୍ଧ୍ର, କେରଳ, ତାମିଲନାଡୁକୁ ଯାଇ ପୋଲିସ ଏମାନଙ୍କୁ ଉଦ୍ଧାର କରିଥିବା ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି ।