ପୁରୀ ୨୫।୭: ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁ ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିବେ । ମହାପ୍ରଭୁଙ୍କ ଏହି ଦୁର୍ଲଭ ଦର୍ଶନ ପାଇଁ ବହୁ ଭକ୍ତ ଉତ୍କଣ୍ଠାରେ ପ୍ରତୀକ୍ଷା କରିଛନ୍ତି ।

ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ବଡ଼ତଢ଼ାଉ ସୁନାବେଶ ହେବ । ସକାଳୁ ରଥରେ ଆଳତି କରାଯାଇଛି । ଅପରାହ୍ନ ୫ଟାରୁ ଭକ୍ତମାନେ ରଥାରୂଢ଼ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିବେ । ୫ଟାରେ ଶ୍ରୀବିଗ୍ରହଙ୍କ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ସୁଦ୍ଧା ସରିବ ।

Also Read:- ଶେଫାଳି ପାହାଡ଼ରୁ ଫେରିବା ବେଳେ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ସ୍କୁଟର : ଦୁଇ ମୃତ, ଜଣେ ଗୁରୁତର

ଦାରୁବ୍ରହ୍ମଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ଦଇତାପତି ସେବକମାନେ ଯତ୍ନବାନ ହେବାକୁ ଏବଂ ଶ୍ରୀଜିଉଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ଦର୍ଶନ ଅବରୋଧ ନ କରିବା ନେଇ ଧ୍ୟାନ ଦେବାକୁ କୁହାଯାଇଛି । ବେଶରେ ଥାଇ ଠାକୁରଙ୍କ ସନ୍ଧ୍ୟାଧୂପ ହେବ । ରାତି ୯ଟା ୧୫ରେ ମହାଦୀପ ବନ୍ଦାପନା, ରାତ୍ର ୧୦ଟାରୁ ୧୧ଟା ମଧ୍ୟରେ ସୁନା ବେଶ ମଇଲମ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।