ନୂଆଦିଲ୍ଲୀ: ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ(ଫିକି)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ଜଗତକୁ କଟାକ୍ଷ କରି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଭାରତ ସରକାର କର୍ପୋରେଟ ଟ୍ୟାକ୍ସ ହାର ୩୦ ପ୍ରତିଶତରୁ ହ୍ରାସ କରି ୨୨ ପ୍ରତିଶତ କରିଦେଲେ। ଏହା ବାଦ ନୂଆ ଟ୍ୟାକ୍ସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟ୍ୟାକ୍ସ ଫ୍ରି କରିଦେଲେ। ଆମେ ଟ୍ୟାକ୍ସ କମାଇଲୁ, କିନ୍ତୁ ଆପଣ କଣ କଲେ ? କଣ ଆପଣ ଆପଣଙ୍କ କର୍ମଚାରୀ ସଂଖ୍ୟା ବଢ଼ାଇଲେ ? କଣ ଆପଣ ସେମାନଙ୍କର ଦରମା ବଢାଇଲେ ?

ମୋଦୀ ଯେତେବେଳେ ଟ୍ୟାକ୍ସ ହ୍ରାସ କଥା କହିଲେ, ସେତେବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକେ ସେତେଟା ଉତ୍ସାହିତ ହୋଇ ତାଳି ମାରିଲେ ନାହିଁ। ତେଣୁ ଏଥିରେ ମୋଦୀ ପୁଣି କହିଲେ “ ମୁଁ ଜାଣିଛି ଯେ ଏହି କଥାରେ କେହି ଥାଳି ମାରିବେନି। ମୁଁ ଭଲଭାବରେ ଜାଣିଛି। କାରଣ ଆପଣଙ୍କର ଭୋକ ଏତେ ଯେ ଆପଣଙ୍କୁ ଯେତେ ଦେଲେ ବି ଆପଣ ସନ୍ତୁଷ୍ଟ ହୁଅନ୍ତି ନାହିଁ। ” ମୋଦୀ ଏପରି କହିବା ମାତ୍ରେ ହିଁ ସେଠାରେ ଉପସ୍ଥିତ ଥିବା ଲୋକେ ହସିବା ସହିତ କିଛି ତାଳିମାଡ଼ରେ ପୂରା ହଲ୍ ପୂରି ଉଠିଥିଲା।

Also Read- ‘ବିନା କୌଣସି ଦ୍ୱିଧାରେ ଲେଖିପାରିବ’, ଶିଳ୍ପ ସଂସ୍କାର ପାଇଁ India Incକୁ ପରାମର୍ଶ ମାଗିଲେ ପିଏମ୍ ମୋଦୀ

କ’ଣ ସବୁ ଏମିତି ଚାଲିଥିବ ?

ଏହି କାର୍ଯ୍ୟକ୍ରମରେ ମୋଦୀ ଆହୁରି କହିଛନ୍ତି “ ଆପଣ ସବୁବେଳେ ଆହୁରି ଅଧିକ ଦାବି କରୁଛନ୍ତି। କିନ୍ତୁ କ’ଣ ଆପଣ ଅଧିକ କର୍ମଚାରୀଙ୍କୁ ଚାକିରିରେ ରଖିଛନ୍ତି ? କ’ଣ ଆପଣ ସେମାନଙ୍କର ଦରମା ବଢାଇଛନ୍ତି ? ନା ମୋଦୀ ଜୀ ଆପଣ ହିଁ ସବୁ କରନ୍ତୁ ଆମେ ଦେଖି ନେବୁ ବୋଲି ଭାବୁଛନ୍ତି। କଣ ସବୁ ଏମିତି ଚାଲିଥିବ ? ”

ପିଟିଆଇ ରିପୋର୍ଟ ଅନୁସାରେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଉଦ୍ୟୋଗ ଜଗତକୁ ନିଜର କର୍ମଚାରୀଙ୍କ କଲ୍ୟାଣ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ବିଶେଷ କରି କର୍ମଚାରୀଙ୍କ ସଂଖ୍ୟା ଓ ଦରମା ଦୁଇଟି ବଢ଼ାଇବାକୁ ଦାବି କରିଥିଲେ।