ନୂଆଦିଲ୍ଲୀ, ୧୭।୧୧ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଯାଇ ସୋମବାର ରାଜଧାନୀ ମାନିଲାରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ୍ ମାର୍କୋସ ଜୁନିଅରଙ୍କ ପକ୍ଷରୁ ଆୟୋଜିତ ଆସିଆନ ଗାଲା ଡିନରରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୋଦୀଙ୍କୁ ଫିଲିପାଇନ୍ସର ପାରମ୍ପରିକ ପୋଷାକ ‘ବାରୋଙ୍ଗ ଟ୍ୟାଗଲଗ’ରେ ଦେଖିବାକୁ ମିଳିଥିଲା। ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଗାଡିରେ ପ୍ରଧାନମନ୍ତ୍ରୀ ଡିନର ସ୍ଥଳରେ ପହଞ୍ଚିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଆସିଆନ-ଭାରତ ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ସମ୍ମିଳନୀରେ ସାମିଲ ହେବେ। ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ସାକ୍ଷାତ କରିବେ। ଉଭୟ ନେତା କ୍ୱାଡ୍ ଦେଶର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏଥିରେ ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସଦସ୍ୟ ଅଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ଓ ସୁରକ୍ଷା ପ୍ରସଙ୍ଗରେ କ୍ୱାଡ୍ ବୈଠକରେ ଆଲୋଚନା କରାଯିବ।

Also Read :- ଆସୁଛି ଅକଭାନ୍, ୩ ଜିଲ୍ଲା ସାବଧାନ : ପ୍ରବଳ ବର୍ଷା ସହ ୧୪୫ କିମି ବେଗରେ ବହିବ ପବନ !

ଆସିଆନ ସମ୍ମିଳନୀରେ ଯୋଗଦେବା ଲାଗି ଫିଲିପାଇନ୍ସ ରାଷ୍ଟ୍ରପତି ମୋଦାଙ୍କୁ ଆମନ୍ତ୍ରଣ କରିଥିଲେ। ଏହି ସମ୍ମିଳନୀରେ ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ କାରବାର, ଜଳବାୟୁ ପରିବର୍ତ୍ତନ ଓ ଆସିଆନ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ। ଆସିଆନ ହେଉଛି ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କ ସଙ୍ଗଠନ।

ମାନିଲା ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୁଲମାଳ ପିନ୍ଧାଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ହୋଟେଲରେ ପହଞ୍ଚିବା ପରେ ଭାରତୀୟ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ସ୍ବାଗତ କରିଥିଲେ। ସେଠାରେ ଉପସ୍ଥିତ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟଙ୍କୁ ମୋଦୀ ମଧ୍ୟ ଭେଟିଥିଲେ । ଯାହାର ଫଟୋ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି। ସେଥିରେ ମୋଦୀ ଲେଖିଛନ୍ତି ଯେ ପ୍ରବାସୀ ଭାରତୀୟମାନେ ଏଠାରେ ଭାରତୀୟ ସଂସ୍କୃତିର ସୁରକ୍ଷା କରିବା ସହ ଦୁଇଦେଶକୁ ନିକଟତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି ।