ଭୁବନେଶ୍ୱର, ୧୭।୧୧ : ସୋମବାର ସନ୍ଧ୍ୟାରେ ସୃଷ୍ଟି ହୋଇଛି ବାତ୍ୟା ‘ଅକଭାନ୍’। ମଙ୍ଗଳବାର ଭୀଷଣ ବାତ୍ୟା( ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରୂପ ନେବ। ୨୦ ତାରିଖ (ଶୁକ୍ରବାର) ଦିନ ବେଳା ଆନ୍ଧ୍ରପ୍ରଦେଶ ଓ ୟନମ ଉପକୂଳ ନେଲୋର ଓ ଟୁନି ଭିତରେ ଲ୍ୟାଣ୍ଡଫଲ କରିବ। ଅତି ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଛୁଇଁବ। ୧୨୦ରୁ ୧୩୦ କିମି ବେଗରେ ପବନ ବହିବ। ଯଦିଓ ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି, ତଥାପି ପ୍ରବଳ ବର୍ଷା ହେବ । ୧୮ରୁ ବର୍ଷା ଆରମ୍ଭ ହେବ। ୫୦ କିମି ବେଗରେ ପବନ ବହିବ। ୧୯ରୁ ପବନର ବେଗ ବଢ଼ିପାରେ ବୋଲି ଆଇଏମଡି ଆକଳନ କରିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ଝଟକା ୧୪୫ କିମି ଛୁଇଁପାରେ। ବାତ୍ୟା ପ୍ରଭାବରେ ୧୮ରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାରେ ବି ବର୍ଷା ସମ୍ଭାବନା ଅଛି। ବାତ୍ୟାର ବାହ୍ୟବଳୟରେ ଆସୁଥିବା ଅଞ୍ଚଳରେ ବର୍ଷା ହେବ ବୋଲି ସେ କହିଛନ୍ତି।

ଶିକ୍ଷା ও ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ( ସୋଆ) ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ବାତ୍ୟାର ପ୍ରଭାବକୁ ନେଇ ସାମାନ୍ୟ ଭିନ୍ନ ଆକଳନ କରିଛନ୍ତି । ତାଙ୍କ ଆକଳନ କହୁଛି, ତାମିଲନାଡୁ ଉପକୂଳ ଅଞ୍ଚଳରେ ଦୀର୍ଘ ସମୟ ଧରି ପ୍ରବଳ ପବନର ଚାପ( ୱିଣ୍ଡ ସିଅର ଫଳରେ ସମ୍ଭାବ୍ୟ ବାତ୍ୟା ବଳୁଆ ହେବା ବଦଳରେ ଏହାର ଶକ୍ତି କମୁଛି। ଏହା ମେଘମାଳାକୁ ଠିକରେ ସଂଗଠିତ କରିପାରୁନି। ବାଦଲ ଖଣ୍ଡମାନ ଅସଂଗଠିତ ଅବସ୍ଥାରେ ଅଛନ୍ତି। ୨୦ ତାରିଖ ପୂର୍ବାହ୍ନରେ ଟୁନି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଦେଇ ଏହା ସ୍ଥଳଭାଗ ଅତିକ୍ରମ କରିପାରେ। ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବନି। ୧୮ରୁ ୨୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆଇଏମଡି କହିଛି, ୧୮ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ। ୧୯ରୁ ଏହି ୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପୁଣି ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୦ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୧୯ ଓ ୨୦ ତାରିଖରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ୨୧ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ।

ବାତ୍ୟା ପାଇଁ ସରକାର ଯୁଦ୍ଧକାଳୀନ ଭିଭିରେ ଆଗୁଆ ପ୍ରସ୍ତୁତି କରିଛନ୍ତି। ସବୁ ଜିଲ୍ଲା ସତର୍କ ରହି ବାକୁ କୁହାଯାଇଛି। ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟିଆ ଆଲର୍ଟ ରହିବାକୁ ସଂପୃକ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳର ତାଲିକା କରି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ କୁ ହାଯାଇଛି ।

ସେହି ଅଞ୍ଚଳର ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କ ସ୍ବତନ୍ତ୍ର ଯତ୍ନ ନିଆଯିବ। ଆଶ୍ରୟସ୍ଥଳୀରେ ପିଇବା ପାଣି, ପରିମଳ, ବିଦ୍ୟୁତ୍ ଓ ଜେନେରେଟର ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୂସ୍ଖଳନ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ଶୀଘ୍ର ସ୍ଥାନାନ୍ତର କରାଯିବ। ବାତ୍ୟା ମୁକାବିଲା ପାଇଁ ୬୦ଟି ଓଡ୍ରାଫ୍ ଟିମ୍ ଓ ୧୪ଟି ଏନଡିଆରଏଫ ଟିମ୍ ପଠାଯିବ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକରେ ନିଷ୍ପତ୍ତି ହୋଇଛି।