ମେକ୍ସିକୋ: ମେକ୍ସିକୋର ଡ୍ରଗ୍ସ ମାଫିଆ ଜଗତର ଜଣେ କୁଖ୍ୟାତ ନାମ ମିଗୁଏଲ୍ ଆଞ୍ଜେଲ୍ ଫେଲିକ୍ସ ଗାଲାର୍ଡୋଙ୍କ ପରଲୋକ ହୋଇଛି। ‘ବସ୍ ଅଫ୍ ବସ୍’ ଓ ‘ଦି ଗଡ୍ଫାଦର’ ଭାବେ ପରିଚିତ ଗୁଆଡାଲାହାରା ଡ୍ରଗ୍ସ କାର୍ଟେଲର ଏହି ପ୍ରତିଷ୍ଠାତାଙ୍କର ୮୦ ବର୍ଷ ବୟସରେ ମୃତ୍ୟୁ ହୋଇଛି। ନଭେମ୍ବର ୧୫ ତାରିଖ ରବିବାର ମେକ୍ସିକୋର ଜାଲିସ୍କୋ ରାଜ୍ୟର ଗୁଆଡାଲାହାରା ସହରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ରାଜ୍ୟ ସୁରକ୍ଷା ବିଭାଗ ସୂଚନା ଦେଇଛି। ଏକାଧିକ ଅଙ୍ଗ ଅଚଳ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।

ଫେଲିକ୍ସ ଗାଲାର୍ଡୋ ୧୯୮୯ ମସିହାରୁ ଜେଲରେ ବନ୍ଦୀ ଥିଲେ। ତାଙ୍କ ସ୍ୱାସ୍ଥ୍ୟ ଦୀର୍ଘଦିନ ଧରି ଖରାପ ରହିଥିଲା। ନଭେମ୍ବର ୧୩ ତାରିଖରେ ତାଙ୍କୁ ଜାଲିସ୍କୋର ପୁଏଣ୍ଟେ ଗ୍ରାଣ୍ଡେ ଉଚ୍ଚ ସୁରକ୍ଷା ସମ୍ପନ୍ନ ଜେଲରୁ ଗୁଆଡାଲାହାରାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରୀ ନିରୀକ୍ଷଣରେ ଥିବାବେଳେ ନଭେମ୍ବର ୧୫ରେ ତାଙ୍କର ମୃତ୍ୟୁ ହୋଇଥିଲା।

୧୯୪୬ ଜାନୁଆରୀ ୮ରେ ମେକ୍ସିକୋର ସିନାଲୋଆ ରାଜ୍ୟର କୁଲିଆକାନ୍ରେ ଜନ୍ମ ହୋଇଥିଲେ ଫେଲିକ୍ସ ଗାଲାର୍ଡୋ। ପ୍ରାରମ୍ଭରେ ସେ ପୋଲିସ ବିଭାଗରେ କାମ କରୁଥିଲେ। ଏପରିକି ଜଣେ ସ୍ଥାନୀୟ ରାଜ୍ୟପାଳଙ୍କ ଅଙ୍ଗରକ୍ଷୀ ଭାବେ ମଧ୍ୟ କାମ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅପରାଧ ଜଗତରେ ପାଦ ଥାପି ସେ ମେକ୍ସିକୋର ଡ୍ରଗ୍ସ କାରବାରର ଜଣେ ପ୍ରମୁଖ ମୁଖିଆ ପାଲଟିଥିଲେ।

୧୯୭୦ ଦଶକରେ ସେ ରାଫେଲ୍ କାରୋ କ୍ୱିଣ୍ଟେରୋ ଓ ଅନ୍ୟ ଅପରାଧୀଙ୍କ ସହ ମିଶି ଗୁଆଡାଲାହାରା କାର୍ଟେଲ ଗଠନ କରିଥିଲେ। ଏହି ସଂଗଠନ ମାଧ୍ୟମରେ ମେକ୍ସିକୋରୁ ଆମେରିକାକୁ ବ୍ୟାପକ ପରିମାଣରେ ଡ୍ରଗ୍ସ ଚାଲାଣ କରାଯାଉଥିଲା। କଲମ୍ବିଆର କୁଖ୍ୟାତ ଡ୍ରଗ୍ସ ମାଫିଆ ପାବ୍ଲୋ ଏସ୍କୋବାରଙ୍କ ମେଡେଲିନ୍ କାର୍ଟେଲ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଲାଞ୍ଚ ଦେବା ଏବଂ ଛୋଟ ବିମାନ ମାଧ୍ୟମରେ ଡ୍ରଗ୍ସ ଚାଲାଣ ତାଙ୍କ ସାମ୍ରାଜ୍ୟକୁ ଆହୁରି ବିସ୍ତାର କରିଥିଲା।

୧୯୮୫ରେ ଆମେରିକାର ଡ୍ରଗ୍ ଏନ୍ଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ ର ଅଣ୍ଡରକଭର୍ ଅଧିକାରୀ ଏନ୍ରିକ୍ ‘କିକି’ କାମାରେନାଙ୍କୁ ଅପହରଣ ଓ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଫେଲିକ୍ସ ଗାଲାର୍ଡୋଙ୍କ ନାମ ସାମ୍ନାକୁ ଆସିଥିଲା। ଏହାସହ ମେକ୍ସିକୋର ପାଇଲଟ୍ ଆଲଫ୍ରେଡୋ ଜାଭାଲା ଆଭେଲାରଙ୍କ ହତ୍ୟା ମାମଲାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୧୯୮୯ରେ ଗିରଫ ହେବା ପରେ ଡ୍ରଗ୍ସ କାରବାର ଓ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ତାଙ୍କୁ ୪୦ ବର୍ଷ ଜେଲ୍ ଦଣ୍ଡ ମିଳିଥିଲା। ପରେ ୨୦୧୭ରେ କାମାରେନା ଓ ପାଇଲଟ୍ଙ୍କ ହତ୍ୟା ମାମଲାରେ ତାଙ୍କୁ ଆଉ ୩୭ ବର୍ଷ ଜେଲ୍ ଦଣ୍ଡ ଶୁଣାଯାଇଥିଲା। ତେବେ ଗାଲାର୍ଡୋ ଏହି ହତ୍ୟା ମାମଲାରେ ନିଜର ସମ୍ପୃକ୍ତିକୁ ଅସ୍ୱୀକାର କରିଥିଲେ।

ଗୁଆଡାଲାହାରା କାର୍ଟେଲ ୧୯୯୦ ଦଶକରେ ଭାଙ୍ଗିଯାଇଥିଲା। ଏହାର ବିଭିନ୍ନ ଗୋଷ୍ଠୀ ପରେ ଅଲଗା ଅଲଗା ଡ୍ରଗ୍ସ ସଂଗଠନ ଗଠନ କରିଥିଲେ। ସେଥିରୁ ପରବର୍ତ୍ତୀ ସମୟରେ ସିନାଲୋଆ କାର୍ଟେଲ ଭଳି ସଂଗଠନର ଉତ୍ଥାନ ହୋଇଥିଲା। ମେକ୍ସିକୋର ଆଧୁନିକ ଡ୍ରଗ୍ସ କାରବାରର ଢାଞ୍ଚା ଗଢ଼ିବାରେ ଗାଲାର୍ଡୋଙ୍କ ଭୂମିକା ଥିଲା ବୋଲି ଅପରାଧ ବିଶେଷଜ୍ଞମାନେ ମତ ଦିଅନ୍ତି।

also read- ଇଟାଲୀ ପର୍ଯ୍ୟନ୍ତ ପହଞ୍ଚିଲା ‘ଭୋଟ୍ ଚୋରି’ ପ୍ରସଙ୍ଗ, ଭାରତ ସମର୍ଥନରେ ଆଗକୁ ଆସିଲେ ଜର୍ଜିଆ ମେଲୋନିଙ୍କ ପାର୍ଟି

ତାଙ୍କ ଜୀବନ ଓ ଅପରାଧ ଜଗତର ଉତ୍ଥାନ-ପତନକୁ ନେଇ ନେଟଫ୍ଲିକ୍ସର ଲୋକପ୍ରିୟ ସିରିଜ୍ ‘ନାର୍କୋସ୍: ମେକ୍ସିକୋ’ ମଧ୍ୟ ନିର୍ମାଣ ହୋଇଥିଲା। ଏଥିରେ ଅଭିନେତା ଡିଏଗୋ ଲୁନା ତାଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଦଶନ୍ଧି ଧରି ମେକ୍ସିକୋର ଡ୍ରଗ୍ସ ଜଗତରେ ପ୍ରଭାବ ରଖିଥିବା ଏହି ଅପରାଧୀଙ୍କ ଜୀବନର ଶେଷ ଅଧ୍ୟାୟ ଏବେ ଶେଷ ହୋଇଛି।