ଇସଲାମାବାଦ:  ପ୍ରାୟ ୩ ବର୍ଷରୁ ଅଧିକ ସମୟ ହେଲା ଜେଲ୍‌ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଦେଶର ବିଚାରପତିମାନଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଜାରି କରିଛନ୍ତି । ସୁପ୍ରିମକୋର୍ଟର ବିଚାରପତିଙ୍କୁ ଲେଖିଥିବା ଚିଠିରେ ଇମ୍ରାନ ଖାନ ଉଲ୍ଲେଖ କରିଛନ୍ତି, ହୁଏତ ସେ ଆଉ ଜେଲରୁ ଜୀବିତ ଫେରିପାରିବେ ନାହିଁ । ଏହା ସହିତ ଜେଲରେ ବନ୍ଦୀ ଥିବା ତାଙ୍କ ପତ୍ନୀ ବୁଶରା ବିବିଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ମଧ୍ୟ ଚିଠିରେ ସେ ଚିନ୍ତା ପ୍ରକାଶ କରିଛନ୍ତି ।  ତାଙ୍କର ଏବଂ ବୁଶରା ବିବିଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଚିଠି ମାଧ୍ୟମରେ ଇମ୍ରାନ ଖାନ ବିଚାରପତିମାନଙ୍କୁ ଅନୁରୋଧ କରିଛନ୍ତି ।

ନିଜ ଓକିଲଙ୍କ ମାଧ୍ୟମରେ ପଠାଇଥିବା ଏହି ଚିଠିରେ ୭୪ ବର୍ଷୀୟ ଇମ୍ରାନ ଖାନ ଲେଖିଛନ୍ତି ଯେ, ଜେଲରେ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ମିଳୁନାହିଁ। ପୂର୍ବରୁ ଅଦାଲତ ତାଙ୍କ ସ୍ୱାସ୍ଥ୍ୟ ଏବଂ ଜେଲ ବ୍ୟବସ୍ଥାକୁ ନେଇ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି। ଚିଠିରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ଲେଖିଛନ୍ତି ଯେ,‘୭୪ ବର୍ଷ ବୟସରେ ଏହି କଠୋର ବ୍ୟବସ୍ଥା ମୋତେ ଏପରି ଏକ ସ୍ଥାନକୁ ଠେଲି ଦେଉଛି, ଯେଉଁଠାରୁ ମୁଁ ହୁଏତ ଆଉ ଜୀବିତ ଫେରି ପାରିବିନାହିଁ।’ ଗତ ସପ୍ତାହରେ ଆଦିଆଲା ଜେଲରେ ଇମ୍ରାନଙ୍କୁ ଭେଟିବା ପରେ ତାଙ୍କ ଓକିଲ ବାରିଷ୍ଟର ସଲମାନ ସଫଦର ସୋମବାର ଦିନ ସୋସିଆଲ ମିଡିଆ 'ଏକ୍ସ'ରେ ଏହି ଚିଠିକୁ ସେୟାର କରିଛନ୍ତି।

ଇମ୍ରାନ ଖାନ ତାଙ୍କ ଚିଠିରେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ସମୟ ଧରି ତାଙ୍କୁ ଏକାକୀ ବନ୍ଦୀ କରି ରଖାଯିବା ଏବଂ କାହା ସହିତ ମିଶିବାକୁ ନଦେବା କାରଣରୁ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡ଼ିଛି। ଏହାକୁ ସେ ଏକ 'କ୍ରୁର ଏବଂ ଅସ୍ୱାଭାବିକ' ଦଣ୍ଡ ବୋଲି ବର୍ଣ୍ଣନା କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ପରିବାର ଲୋକଙ୍କ ସହ କଥା ହେବାକୁ ଦିଆଯାଉ ନାହିଁ କିମ୍ବା ଜେଲରେ ଥିବା ତାଙ୍କ ପତ୍ନୀଙ୍କ ସହ ସାକ୍ଷାତ ମଧ୍ୟ କରାଇ ଦିଆଯାଉ ନାହିଁ। ଏହି ଏକାକୀପଣ ଯୋଗୁଁ ତାଙ୍କର ରକ୍ତଚାପ ଅନିୟନ୍ତ୍ରିତ ହୋଇପଡ଼ିଛି। ଡାକ୍ତରମାନେ ତାଙ୍କୁ ସତର୍କ କରାଇ ଦେଇଛନ୍ତି ଯେ, ଯେକୌଣସି ମୁହୂର୍ତ୍ତରେ ତାଙ୍କର ବ୍ରେନ୍ ହାମରେଜ୍ କିମ୍ବା ହୃଦଘାତ ହୋଇପାରେ ।  ଅନ୍ୟପଟେ ଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ଗତ ସପ୍ତାହରେ ଆଖି ପରୀକ୍ଷା ପାଇଁ ଇମ୍ରାନଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ପୁଣି ସେଲକୁ ଫେରାଇ ଅଣାଯାଇଥିଲା।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଇମ୍ରାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସୁପ୍ରିମକୋର୍ଟ ତାଙ୍କୁ ଇସଲାମାବାଦର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାଙ୍କୁ ପୁଣିଥରେ ଏକାନ୍ତବାସରେ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ଇମ୍ରାନ ନିଜ ପତ୍ନୀ ବୁଶରା ବିବିଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଉଥିବା ନେଇ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏକ ଦୁର୍ନୀତି ମାମଲାରେ ୨୦୨୫ ଜାନୁଆରୀରୁ ଜେଲରେ ଥିବା ବୁଶରା ବିବିଙ୍କର ଗତ ଏପ୍ରିଲ ମାସରେ ରେଟିନା ଜନିତ ସମସ୍ୟା ଯୋଗୁଁ ଅସ୍ତ୍ରୋପଚାର ହୋଇଥିଲା। ତେବେ ଅସ୍ତ୍ରୋପଚାର ପରେ ତାଙ୍କୁ ପୁଣି ଏକାକୀ ରଖାଯାଇଛି । ଡାକ୍ତରଙ୍କ ପରାମର୍ଶ କିମ୍ବା ମେଡିକାଲ ରିପୋର୍ଟ ଦିଆଯାଉ ନାହିଁ ବୋଲି ଇମ୍ରାନ କହିଛନ୍ତି। ଚିଠିର ଶେଷରେ ସେ ଲେଖିଛନ୍ତି ଯେ, ସେ ବିଚାରପତିମାନଙ୍କଠାରୁ କୌଣସି ଅନୁକମ୍ପା ଚାହୁଁନାହାନ୍ତି, କେବଳ ନ୍ୟାୟ ସ୍ୱରୂପ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ ଏବଂ ଉଭୟଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଅନୁରୋଧ କରୁଛନ୍ତି।