ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ୩-୧ରେ ବିଜୟ ସହିତ ଶେଷ କରିଛି । ଟି-୨୦ ସିରିଜରେ ସଫଳତା ପାଇସାରିଥିବା ଭାରତୀୟ ଦଳ ୫୦ ଓଭର ଫର୍ମାଟରେ ମଧ୍ୟ ବିଜୟ ଧାରା ଜାରି ରଖିଥିଲା । ଏହି ସିରିଜରେ ଭାରତର ବୋଲିଂ ୟୁନିଟର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଗୁରନୁର ବ୍ରାର, ଅର୍ଶଦୀପ ସିଂହ, ଅଂଶୁଲ କାମ୍ବୋଜ, ଅକ୍ଷର ପଟେଲ ଏବଂ ଆକିବ ନବି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ।

ବିରାଟ କୋହଲି ସିରିଜରେ ଭାରତ ପାଇଁ ସର୍ବାଧିକ ରନ ହାସଲ କରିଥିଲେ । ତଥାପି ଟିମ୍‌ର ପ୍ରତ୍ୟେକ ସଦସ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିଲେ । କିଛି ଖେଳାଳି ସିରିଜରେ ସଂଘର୍ଷ କରୁଥିବା ନଜର ଆସିଥିଲେ ଏବଂ ଯଦି ସେମାନଙ୍କ ପ୍ରଦର୍ଶନରେ ସୁଧାର ନଆସେ ତେବେ ଚୟନକର୍ତ୍ତାଙ୍କ ସ୍କ୍ରୁଟିନିକୁ ଆସିପାରନ୍ତି । ଏହିପରି ତିନିଜଣ ଭାରତୀୟ କ୍ରିକେଟର ଅଛନ୍ତି ଯେଉଁମାନଙ୍କୁ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ନିଜର ଫର୍ମ ଫେରି ପାଇବାକୁ ପଡ଼ିବ ।

ରୋହିତ ଶର୍ମା

ରୋହିତ ଶର୍ମା ଭାରତର ଦିନିକିଆ ସେଟଅପ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛନ୍ତି, କିନ୍ତୁ ତାଙ୍କର ସାମ୍ପ୍ରତିକ ପ୍ରଦର୍ଶନ ଅନେକ ପ୍ରଶ୍ନ ଉଠାଇଛି । ଗତ ବର୍ଷ ତାଙ୍କ ଫର୍ମ ଉପରେ ପ୍ରଶ୍ନ ଉଠିଥିଲେ ମଧ୍ୟ, ଏହି ଅଭିଜ୍ଞ ଓପନର କିଛି ଉଲ୍ଲେଖନୀୟ ଅବଦାନ ସହିତ ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି । ହେଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ରୋହିତ ଚାରି ଇନିଂସରେ ମାତ୍ର ୩୦ ରନ୍ କରିପାରିଥିଲେ, ଯାହାର ଆଭେରଜ୍ ମାତ୍ର ୭.୫୦ ଥିଲା । ଏହି ପ୍ରଦର୍ଶନ ତାଙ୍କ ବର୍ତ୍ତମାନର ଫର୍ମ ଉପରେ ପ୍ରଶ୍ନ ଉଠାଇଛି ଏବଂ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜରେ ପୁଣି ଥରେ ନିଜ ବ୍ୟାଟରୁ ରନ୍ ବାହାର କରିବା ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଆଉ ଏକ ସିରିଜରେ ନିରାଶଜନକ ପ୍ରଦର୍ଶନ ତାଙ୍କ ସ୍ଥିତିକୁ ଦୁର୍ବଳ କରିପାରେ, ବିଶେଷକରି ଯେତେବେଳେ ଯଶସ୍ୱୀ ଜୟସ୍ୱାଲ ଏକ ସୁଯୋଗ ଅପେକ୍ଷାରେ ଅଛନ୍ତି ।

ଋତୁରାଜ ଗାଏକୱାଡ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଋତୁରାଜ ଗାଏକୱାଡ ଦୁଇଟି ମ୍ୟାଚ୍‌ରେ ସୁଯୋଗ ପାଇଥିଲେ କିନ୍ତୁ ଏହି ସୁଯୋଗର ସେ ଲାଭ ଉଠାଇପାରି ନଥିଲେ । ଡାହାଣହାତୀ ବ୍ୟାଟର ତାଙ୍କ ଦୁଇଟି ମ୍ୟାଚ୍‌ରେ କେବଳ ୨୩ ରନ୍ କରିପାରିଥିଲେ । ଯଦିଓ ଗାଏକୱାଡ ଟିମ୍ ଇଣ୍ଡିଆର ଯୋଜନାର ଅଂଶ ହୋଇଛନ୍ତି, କିନ୍ତୁ ବ୍ୟାଟିଂ ସ୍ଥାନ ପାଇଁ ପ୍ରତିଯୋଗିତା ବୃଦ୍ଧି ପାଇଛି । ଇଶାନ କିଶାନ ଏବଂ ଯଶସ୍ୱୀ ଜୟସ୍ୱାଲ ଭଳି ଖେଳାଳି ମଧ୍ୟ ବ୍ୟାକଅପ୍ ଓପନିଂ ସ୍ଥାନ ପାଇଁ ଦୌଡ଼ରେ ଅଛନ୍ତି । ଗାଏକୱାଡଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶୀର୍ଷ କ୍ରମରେ ସୁଯୋଗ ଦିଆଯାଇଥିଲା କିନ୍ତୁ ସେ ଯଥେଷ୍ଟ ଯୋଗଦାନ ଦେଇପାରିଲେ ନାହିଁ । ଦଳରେ ନିଜର ସ୍ଥିତିକୁ ମଜଭୁତ କରିବା ପାଇଁ ମିଳୁଥିବା ସୁଯୋଗର ଲାଭ ଉଠାଇବାକୁ ପଡ଼ିବ ।

କୁଲଦୀପ ଯାଦବ

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କ ପ୍ରଦର୍ଶନ ମଧ୍ୟ ନିରାଶାଜନକ ରହିଥିଲା । ତାଙ୍କୁ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା । ସେହି ମ୍ୟାଚରେ ୮ ଓଭର ବୋଲିଂ କରି ୭୩ ରନ୍ ବ୍ୟୟ କରିଥିଲେ । ତାଙ୍କ ଇକୋନୋମି ରେଟ୍ ଥିଲା ୯.୧୨ ।

ନ୍ୟୁଜିଲାଣ୍ଡର ପରିବେଶ ସାଧାରଣତଃ ଦ୍ରୁତ ବୋଲରଙ୍କୁ ଅଧିକ ସହାୟତା କରିଥାଏ । ତେବେ ଅକ୍ଷର ପଟେଲ ଏବଂ ମିଚେଲ ସାଣ୍ଟନରଙ୍କ ଭଳି ସ୍ପିନର ମଧ୍ୟ ପ୍ରଭାବଶାଳୀ ବୋଲିଂ କରିଥିଲେ । ଅନ୍ୟପଟେ କୁଲଦୀପ ନିଜ ଲୟ ହାସଲ କରିବାରେ ବିଫଳ ହୋଇଥିଲେ । ଆଗାମୀ ଶ୍ରୀଲଙ୍କା ବିପକ୍ଷ ଘରୋଇ ଦିନିକିଆ ସିରିଜ୍ରେ କୁଲଦୀପଙ୍କ ପାଖରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିବ । ଦଳରେ ସ୍ଥାନ ବଜାୟ ରଖିବାକୁ ହେଲେ ତାଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ ।