ନୂଆଦିଲ୍ଲୀ: ନିଜର ବିସ୍ଫୋରକ ବ୍ୟାଟିଂ ଏବଂ ନେତୃତ୍ଵ ବଳରେ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁକୁ ଆଇପିଏଲର ଗତ ଦୁଇଟି ସିଜିନରେ ଚମ୍ପିଆନ କରାଇଛନ୍ତି ରଜତ ପାଟିଦାର। ଏବେ ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂର ଝଲକ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ତରଫରୁ ପ୍ରତିନିଧିତ୍ଵ କରୁଥିବା ପାଟିଦାରଙ୍କ ବ୍ୟାଟ୍ ଗର୍ଜି ଉଠିଛି।

ନ୍ୟୁଚଣ୍ଡିଗଡ଼ର ମୁଲ୍ଲାନପୁରରେ ଆସାମ  ବିପକ୍ଷ ମ୍ୟାଚରେ ଖେଳିଛନ୍ତି ବିସ୍ଫୋରକ ଶତକୀୟ ଇନିଂସ। ସେ ୪୮ ବଲରୁ ୧୩୫ ରନର ଅପରାଜିତ ଇନିଂସ ଖେଳିଛନ୍ତି। ତାଙ୍କର ଏହି ଦମଦାର ବ୍ୟାଟିଂ ବଳରେ ମଧ୍ୟପ୍ରଦେଶ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୫୦ ରନ କରିଛି।

ମଧ୍ୟପ୍ରଦେଶ ପକ୍ଷରୁ ପ୍ରଥମ ଖେଳାଳି

ଏହି ଡାହାଣହାତୀ ବ୍ୟାଟର ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିଲେ। କିଛି ବଲ୍ ଖେଳିବା ପରେ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ପାଟିଦାର। ମାତ୍ର ୪୧ ବଲରୁ ଶତକ ପୂରଣ କରିଥିଲେ। ଏହି ଇନିଂସ ବଳରେ ପାଟିଦାର ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଇତିହାସରେ ମଧ୍ୟପ୍ରଦେଶ ତରଫରୁ ପ୍ରଥମ ଶତକ ହାସଲ କରିଥିବା ଖେଳାଳି ପାଲଟିଛନ୍ତି।

Also Read: ଦ୍ଵିତୀୟ ଥର ICCର ଚେୟାରମ୍ୟାନ ହେଲେ ଜୟ ଶାହ, ନିର୍ଦ୍ଵନ୍ଦ୍ଵରେ ହେଲେ ନିର୍ବାଚିତ

ଶତକ ହାସଲ ପରେ ଆହୁରି ଧୂଆଁଧାର ବ୍ୟାଟିଂ କରିଥିଲେ ରଜତ ପାଟିଦାର। ତାଙ୍କ ବ୍ୟାଟିଂ ଆଗରେ ଅସହାୟ ନଜର ଆସିଥିଲେ ଆସାମ ବୋଲର। ନିଜର ଏହି ଶତକୀୟ ଇନିଂସରେ ୮ ଚୌକା ସହ ୧୩ ଛକା ମାରିଛନ୍ତି ପାଟିଦାର। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ୨୮୧.୫୦ ରହିଥିଲା। ଫଳରେ ମଧ୍ୟପ୍ରଦେଶ ୨୫୦ ରନର ବିଶାଳ ସ୍କୋର  କରି ପାରିଛି।

ଏହି ସମୟରେ ପାଟିଦାରଙ୍କୁ ଉତ୍ତମ ସହଯୋଗ ଦେଇ ଶିବାଙ୍ଗ କୁମାର ୬୧ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଅଙ୍କୁଶ ସିଂ ୨୩ ରନ ଓ ଅକ୍ଷତ ରଘୁବଂଶୀ  ୧୯ ରନ କରିଛନ୍ତି। ବାକି ବ୍ୟାଟର କିଛି ଖାସ୍ କରି ପାରି ନ ଥିଲେ।