କୋଲକାତା: ସୂର୍ଯ୍ୟକୁମାର ଯାଦବ ଯେବେଠୁ ଟିମ୍ ଇଣ୍ଡିଆରୁ ବାହାର  ହୋଇଛନ୍ତି ଏବଂ ତାଙ୍କଠୁ ଅଧିନାୟକତ୍ଵ ଛଡ଼ାଇ ନିଆଯାଇଛି, ତା ପରଠୁ ସେ ପେଶାଦାର କ୍ରିକେଟ୍ ଖେଳି ଚାଲିଛନ୍ତି। ବିସିସିଆଇର ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେ ବର୍ତ୍ତମାନ ଆର୍ ପାର୍ ମୁଡରେ ନଜର ଆସିଛନ୍ତି। ସ୍ଥାନୀୟ ଟୁର୍ଣ୍ଣାମେଣ୍ଟରେ ସେ ମୁମ୍ବାଇ ପକ୍ଷରୁ ଖେଳିଥିଲେ। ଏହି ମ୍ୟାଚରେ ପ୍ରଦର୍ଶନ ଠିକ୍ ରହିଥିଲା। ହେଲେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ତାଙ୍କୁ ପୁରୁଣା ରୂପରେ ଦେଖିବାକୁ ମିଳିଛି। ପ୍ରଥମ ମ୍ୟାଚରେ ୨୧ ବଲରୁ ୬୦ ରନର ଇନିଂସ ଖେଳିଥିବା ବେଳେ ଏଥର ଆହୁରି ବିସ୍ଫୋରକ ଇନିଂସ ଖେଳିଛନ୍ତି ସୂର୍ଯ୍ୟ।

ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପ୍ରଥମ ମ୍ୟାଚରେ ସୂର୍ଯ୍ୟ ହାଇଦ୍ରାବାଦ ବିପକ୍ଷରେ ୬ ଚୌକା ଓ ୫ ଛକା ସହ ୬୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ୨୮୫.୭୧ ରହିଥିଲା। ଏବେ ଗୁଜରାଟ ବିପକ୍ଷରେ ଖେଳିଛନ୍ତି ଆହୁରି ବଡ଼ ଇନିଂସ। ଧୂଆଁଧାର ବ୍ୟାଟିଂ କରି ବିପକ୍ଷ ବୋଲରଙ୍କୁ ନିର୍ମମ ପ୍ରହାର କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ୨୯ ବଲରୁ ୯ ଚୌକା ଓ ୭ ଛକା ସହ ୮୨ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ୨୮୩ ରହିଥିଲା। ସେ ଗତ ମ୍ୟାଚରେ ନମ୍ବର ୪ରେ ଖେଳିଥିବା ବେଳେ ଏହି ମ୍ୟାଚରେ ମଧ୍ୟ ସେହି ସମାନ କ୍ରମରେ ବ୍ୟାଟିଂ କରିଛନ୍ତି।

Also Read: ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ପରେ ବିପଦରେ ତିନି କ୍ରିକେଟରଙ୍କ କ୍ୟାରିୟର ! ଟିମରୁ କଟିପାରେ ପତ୍ତା

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୧୯୭ ରନ କରିଥିଲା। ଜବାବରେ ମୁମ୍ବାଇ ୧୬ତମ ଓଭରରେ ୫ ଓ୍ଵିକେଟ୍ ହରାଇ  ଲକ୍ଷ୍ୟ ହାସଲ କରି ନେଇଥିଲା। ମୁମ୍ବାଇ କ୍ରମାଗତ ଦମଦାର ବିଜୟ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ସୂର୍ଯ୍ୟଙ୍କ ବ୍ୟତୀତ ସରଫରାଜ ଖାନ ୧୭ ବଲରୁ ୪୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଆଜି ଶିବମ ଦୁବେ ନିରାଶ କରିଛନ୍ତି। ଶାର୍ଦ୍ଦୁଳ ଠାକୁର ଓ ଅର୍ଥବ ଅଙ୍କୋଲକର ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

 ସୂଏଚନାଯୋଗ୍ୟ, ସୂର୍ଯ୍ୟ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୬ ମାର୍ଚ୍ଚ ୮ରେନ ଟି-୨୦ବିଶ୍ଵକପ୍ ଫାଇନାଲ୍ ମ୍ୟାଚ୍ ଖେଳିଥିଲେ। ସେ ଦଳର ନେତୃତ୍ଵ ନେଇ ଭାରତକୁ କ୍ରମାଗତ ଦ୍ଵିତୀୟ ଥର ବିଶ୍ଵକପ୍ ଜିତାଇଥିଲେ। ଏହା ପରେ ଆଇପିଏଲରେ ନଜର ଆସିଥିଲେ ସୂର୍ଯ୍ୟ। ତଥାପି ତାଙ୍କଠୁ ନେତୃତ୍ଵ ଭାର ଛଡ଼ାଇ ନିଆଗଲା। ଏବେ ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ଲଢେଇ ଜାରି ରଖିଛନ୍ତି ସୂର୍ଯ୍ୟ।