ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ପୂର୍ବରୁ ଖେଳାଳିଙ୍କ ଟ୍ରେଡକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର୍ ଧରିଛି । ଭାରତର ଫାଷ୍ଟ ବୋଲର ମହମ୍ମଦ ଶାମି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଛାଡ଼ି ରାଜସ୍ଥାନ ରୟାଲ୍ସରେ ଯୋଗ ଦେଇପାରନ୍ତି । ଇଂଲଣ୍ଡର ଅଲରାଉଣ୍ଡର ସାମ୍ କରନଙ୍କ ସହ ଏହି ଖେଳାଳି ଅଦଳବଦଳ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ଏହି ଟ୍ରେଡରେ ଶାମି ଓ ସାମ୍ କରନଙ୍କ ସହ ତାମିଲନାଡୁର ବାମହାତୀ ସ୍ପିନର ଏମ୍.ସିଦ୍ଧାର୍ଥ ମଧ୍ୟ ସାମିଲ ଅଛନ୍ତି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସିଦ୍ଧାର୍ଥଙ୍କୁ ରାଜସ୍ଥାନ ରୟାଲ୍ସକୁ ଛାଡ଼ିବାକୁ ରାଜି ହୋଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ ୩୬ ବର୍ଷୀୟ ମହମ୍ମଦ ଶାମି ଆଇପିଏଲ୍ ୨୦୨୬ରେ ଲକ୍ଷ୍ନୌ ପାଇଁ ୧୩ଟି ମ୍ୟାଚ୍ ଖେଳି ମୋଟ ୧୨ଟି ୱିକେଟ୍ ନେଇଥିଲେ । ପୂରା ସିଜିନ ତାଙ୍କ ଇକୋନୋମି ରେଟ୍ ୯.୦୦ ରହିଥିଲା । ଯଦିଓ ଗତ ସିଜିନରେ ତାଙ୍କ ପ୍ରଦର୍ଶନ ବିଶେଷ ଉଲ୍ଲେଖନୀୟ ନଥିଲା, ତଥାପି ତାଙ୍କ ଅଭିଜ୍ଞତା ଲକ୍ଷ୍ନୌର ବୋଲିଂ ଲାଇନକୁ ଶକ୍ତି ଦେଇଥିଲା । ଯଦି ଏହି ଟ୍ରେଡ୍ ଚୂଡ଼ାନ୍ତ ହୁଏ, ତେବେ ରାଜସ୍ଥାନ ରୟାଲ୍ସର ଫାଟ୍ ବୋଲିଂ ଆଟକରେ ଶାମିଙ୍କ ସହ ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କ ଯୋଡ଼ି ଦେଖିବାକୁ ମିଳିପାରେ ।

ଅନ୍ୟପଟେ, ସାମ୍ କରନ ଯଦି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ରେ ସାମିଲ ହୁଅନ୍ତି, ତେବେ ଏହା ହେବ ତାଙ୍କର ତୃତୀୟ ଆଇପିଏଲ୍ ଫ୍ରାଞ୍ଚାଇଜ୍ । ପୂର୍ବରୁ ସେ ପଞ୍ଜାବ କିଙ୍ଗସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଖେଳିଛନ୍ତି । ଆହତ ସମସ୍ୟା ଯୋଗୁଁ ସେ ଆଇପିଏଲ୍ ୨୦୨୬ରେ ଖେଳିପାରି ନଥିଲେ । ଲକ୍ଷ୍ନୌ ଦଳରେ ଯୋଗ ଦେଲେ ସେ ପୁଣିଥରେ ଟମ୍ ମୁଡିଙ୍କ ସହ କାମ କରିବାର ସୁଯୋଗ ପାଇବେ । ଟମ୍ ମୁଡି ବର୍ତ୍ତମାନ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍ର କ୍ରିକେଟ୍ ଡାଇରେକ୍ଟର ଅଛନ୍ତି ।