ଭୁବନେଶ୍ୱର ୦୯।୧୧ : ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଅଘଟଣ । ଶତାଧିକ ଆହତ। ଅସାବଧାନତା ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନେକ ଅଘଟଣ ଘଟି ଶତାଧିକ ଲୋକ ଆହତ ହୋଇଛନ୍ତି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୩୧ ଜଣ ଆହତ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି।

ସେହିପରି କଟକ ଏସସିବି କାଜୁଆଲିଟିରେ ୨୫ ଜଣ ଆହତ ଭର୍ତ୍ତି ହୋଇଛନ୍ତି। ବାଣ ଫୁଟି କଟକ ସହରର ୭ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ବାଣ ଫୁଟାଇ ୧୫ ଜଣ ଆହତ ହୋଇ ସୋର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସିତ ହୋଇଛନ୍ତି।

Also Read:-କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ ! ଦିଲ୍ଲୀରୁ ଭୁବନେଶ୍ୱର, ରାତି ଅଧାଯାଏଁ ଫୁଟିଲା ବାଣ

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟଭାସରୁଆ ଗ୍ରାମରେ ଲଙ୍କା ବାଣ ଉପରେ ଷ୍ଟିଲ୍ ମଗ୍ ରଖି ଫୁଟାଇବା ବେଳେ ମଗ୍ ଛିଟିକି ଗୁଲସନ ନାଏକ ନାମକ ଯୁବକଙ୍କ ମୁହଁରେ ବାଜିବାରୁ ସେ ଗୁରୁତର ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ, ପୁରୀ ବଳିଆପଣ୍ଡାରେ ଦୀପ ନିଆଁରୁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ବେଳେ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବଳିଆପଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।