ଭୁବନେଶ୍ୱର: ବାପା ମାଆ ସ୍ୱପ୍ନ ଦେଖିୁଥିଲେ ଆମ ପୁଅ ଝିଅ ବଡ଼ ହେବେ, ବଡ଼ ଚାକିରି କରିବେ, ଲୋକଙ୍କ ସେବା କରିବେ। ପିଲାମାନେ ବଡ଼ ଚାକିରି ପାଇଲେ।ବଡ଼ ପଦବୀରେ ରହିଲେ। କିନ୍ତୁ ଚାକିରି ପରେ ସେମାନଙ୍କ ପିଲାମାନେ ଯେଉଁ କାର୍ଯ୍ୟ କଲେ ଆଜି ସେମାନଙ୍କ ମୁଣ୍ଡ ତଳକୁ ! ଘୃଣା କରୁଛି ସମାଜ। ଘରେ ବସି ଗୁମୁରି କାନ୍ଦୁଛନ୍ତି ଜନ୍ମଦେଇଥିବା ବାପା ମାଆ। କାହିଁକିନା ସେମାନଙ୍କ ପିଲାମାନଙ୍କ ନାଁରେ ଯେଉଁ ଅଭିଯୋଗ, ତାକୁ କିଭଳି ସାମ୍ନା କରିବୁ। ଲାଞ୍ଚ ନେଇ ଅଫିସର ପୁଅ-ଝିଅ ଗିରଫ।

ସିଭିଲ ସର୍ଭିସ୍ କ୍ୱାଲିଫାଏ କରିବା ପାଇଁ ଦିନରାତି ଏକ କରି ପରିଶ୍ରମ। ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭିତରୁ ଜଣେ ହୋଇ ହାସଲ କରୁଛନ୍ତି ସଫଳତା। ହେଲେ ଚାକିରି ଜୀବନ ଆରମ୍ଭ ନ ହେଉଣୁ କିଛି ଅଫିସରଙ୍କୁ ଘାରୁଛି ଲାଞ୍ଚ ନିଶା। ଲୋକଙ୍କ ସେବା କରିବାକୁ ଶପଥ ନେଉଥିବା ଅଧିକାରୀ ଯେତେବେଳେ ଲାଞ୍ଚ ନିଅନ୍ତି, ସେତେବେଳେ ସରକାରୀ ବ୍ୟବସ୍ଥା ଉପରେ ଉଠେ ବଡ଼ ପ୍ରଶ୍ନ। ଓଏଏସ୍ ଟପ୍ପରଙ୍କଠୁ ଆରମ୍ଭ କରି ନବନିଯୁକ୍ତ ଅଧିକାରୀ, ଭିଜିଲାନ୍ସ ଜାଲରେ ଫସୁଛନ୍ତି। ଏଥର ପ୍ରସଙ୍ଗ ବିଶ୍ୱାସଘାତକ ଅଫିସର୍।

ସରକାରୀ ଚାକିରି। ସମ୍ମାନଜନକ ପଦବୀ। ମୋଟା ଦରମା। ଆଉ ସମାଜରେ ଖାତିର ଅଲଗା ପ୍ରକାର। ଖାସ୍ ଏଥିପାଇଁ ଅନେକ ଯୁବକ ଯୁବତୀ ବର୍ଷ ବର୍ଷ ଧରି ପରିଶ୍ରମ କରିଥାନ୍ତି। ବିଶେଷକରି ଓଏଏସ୍, ଓପିଏସ୍, ଓଆରଏସ ଭଳି ମର୍ଯ୍ୟାଦାଜନକ ପଦବୀ ହାସଲ କରିବା ଅନେକଙ୍କ ସ୍ୱପ୍ନ। କିନ୍ତୁ ଏହି ପଦବୀରେ ବସିବା ପରେ ଲୋକଙ୍କ ସମସ୍ୟା ସମାଧାନ ବଦଳରେ ଲାଞ୍ଚ ଆଦାୟକୁ ପ୍ରାଥମିକତା ଦିଅନ୍ତି, ତେବେ ତାହା କେବଳ ଦୁର୍ନୀତି ନୁହେଁ, ବରଂ ଜନସାଧାରଣଙ୍କ ସହ ବିଶ୍ୱାସଘାତକତା।

ମନୀଷା ମିଶ୍ର ନାମକ ଜଣେ ନବନିଯୁକ୍ତ ପ୍ରୋବେସନାରୀ ସବ୍-ରେଜିଷ୍ଟ୍ରାରଙ୍କ ନାଁ ମଧ୍ୟ ଲାଞ୍ଚ ମାମଲାରେ ସାମ୍ନାକୁ ଆସିଛି। ଜମି କିଣିଥିବା ଜଣେ ବ୍ୟକ୍ତିଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଧରିଥିବା ସୂଚନା ମିଳିଛି। ଚାକିରି ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ଅଭିଯୋଗ ଉଠିବା ନିଶ୍ଚିତ ଭାବେ ଚିନ୍ତାଜନକ। ଜମି ରେଜେଷ୍ଟ୍ରି କରିବା ପାଇଁ ସବରେଜିଷ୍ଟର ମନିଷା ମିଶ୍ର  ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି  ଭିଜିଲାନ୍ସ। ଚଢ଼ଉ ସମୟରେ ବାରିପଦା ଭିଜିଲାନ୍ସ ବିଭାଗର ୮ ଜଣିଆ  ଟିମ ଥିଲେ। ଟଙ୍କା ଜବତ ସହ ତାଙ୍କୁ ଗିରଫ କରାଯାଇଛି।

ସବୁଠୁ ବଡ଼ କଥା ହେଲା ମନିଷାଙ୍କର ମାତ୍ର ୨ ବର୍ଷର ଚାକିରି। ଏପରିକି ପ୍ରୋବେସନ ପିରିୟଡ ବି ସରିନି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ସବ ରେଜିଷ୍ଟର ଦୀର୍ଘ ୮ ମାସ ଧରି କାର୍ଯ୍ୟ କରି ଆସୁଛନ୍ତି ମନୀଷା ମିଶ୍ର। ସେ ବିଭିନ୍ନ ସମୟରେ ବିଭନ୍ନ କାମ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ ଥିଲା। କିନ୍ତୁ ସବୁଦିନ ସମୟ ସମାନ ନୁହେଁ।  ବାଲିଆପାଳ ଅଂଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କର  ଜମିରେ ରେଜେଷ୍ଟ୍ରି କରିବା ପାଇଁ  ସବ ରେଜିଷ୍ଟର ମନୀଷା ମିଶ୍ର ୧୦ ହଜାଇ ଟଙ୍କା ଲାଞ୍ଚ ମାଗିଥିଲେ। ପରବର୍ତ୍ତୀ ସମୟରେ ୭ ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା। ଏନେଇ ଜ୍ଞାନ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ। ପାଖାପାଖି ମଧ୍ୟାହ୍ନ ସମୟରେ ଜ୍ଞାନ 7ହଜାର ଟଙ୍କା ନେଇ ସବ ରେଜିଷ୍ଟର ମନୀଷା ମିଶ୍ରଙ୍କ ପାଖକୁ ଆସିଥିଲେ। ଟଙ୍କା ଦେଇଥିଲେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗର ୮ ଜଣିଆ ଟିମ ମାଡି ବସିଥିଲା।

also read-ପର୍ବପର୍ବାଣୀରେ ଉତୁପାତିଆଙ୍କୁ ଧରିବ ପୋଲିସ୍‌, ଗୁଜବ ପ୍ରଚାରକାରୀଙ୍କୁ ଧରିବାକୁ ୨୪ ଘଣ୍ଟିଆ ମନିଟରିଂ

ଏହାର ଏକ ଚର୍ଚ୍ଚିତ ଉଦାହରଣ ହେଉଛନ୍ତି ଅଶ୍ୱିନୀ କୁମାର ପଣ୍ଡା। ୨୦୧୯ ବ୍ୟାଚ୍ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇ ସେ ଚର୍ଚ୍ଚାକୁ ଆସିଥିଲେ। ୨୦୨୧ ଡିସେମ୍ବରରେ ସରକାରୀ ସେବାରେ ଯୋଗ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତହସିଲଦାର ଭାବେ କାର୍ଯ୍ୟରତ ଥିବାବେଳେ ଜମି ମ୍ୟୁଟେସନ୍ ମାମଲାରେ ୧୫ ହଜାର ଟଙ୍କା ଲାଞ୍ଚ ମାଗିବା ଓ ଗ୍ରହଣ କରିବା ଅଭିଯୋଗରେ ୨୦୨୫ ସେପ୍ଟେମ୍ବରରେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଯିଏ ଦିନେ ପରିଶ୍ରମ ବଳରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିଲେ, ସେହି ଅଧିକାରୀଙ୍କ ନାମ ଲାଞ୍ଚ ମାମଲାରେ ଆସିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ସରକାରୀ ଚାକିରିରେ ଅଫିସରଙ୍କ ନୈତିକତା ଓ ସଚ୍ଚୋଟତାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏ ତାଲିକା ତ ବହୁତ ଲମ୍ବା।

ସାଧାରଣ ଲୋକେ ଆପଣଙ୍କୁ ଭରସା କରନ୍ତି। ଆପଣଙ୍କୁ ବିଶ୍ୱାସ କରନ୍ତି। ଆପଣଙ୍କ ପଦମର୍ଯ୍ୟାଦାକୁ ସମ୍ମାନ ଦିଅନ୍ତି। ତେଣୁ ଲୋକଙ୍କ ଭରସା ଯେପରି ନତୁଟେ, ଏଥିପ୍ରତି ସଚେତନ ଓ ଯତ୍ନବାନ ହେବା ଜରୁରୀ। ସମସ୍ତ ଓଏଏସ୍ କିମ୍ବା ସରକାରୀ ଅଧିକାରୀ ଦୁର୍ନୀତିଗ୍ରସ୍ତ ନୁହନ୍ତି। ଅନେକ ଅଧିକାରୀ ସଚ୍ଚୋଟତାର ସହ ନିଜ ଦାୟିତ୍ୱ ତୁଲାଉଛନ୍ତି। କିନ୍ତୁ କିଛି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ପୂରା ବ୍ୟବସ୍ଥାର ଭାବମୂର୍ତ୍ତିକୁ ପ୍ରଭାବିତ କରୁଛି। ମନେ ରଖିବାକୁ ହେବ, ବଡ଼ ଚାକିରି କରିବାଠାରୁ ବଡ଼ ମଣିଷ ହେବା ଅଧିକ ଜରୁରୀ। କାରଣ ପଦବୀ ମଣିଷକୁ ପରିଚୟ ଦିଏ, କିନ୍ତୁ ତାର କାମ ହିଁ ତାକୁ ସମ୍ମାନ ଦିଏ।