ଭୁବନେଶ୍ୱର: କୋଟିଆକୁ ନେଇ ଥମୁନି ରାଜନୈତିକ ବୟାନବାଜି। ଆନ୍ଧ୍ରପ୍ରଦେଶରେ କୋଟିଆ ଅଞ୍ଚଳକୁ ନେଇ ନିର୍ବାଚନୀ ବିବାଦ ମଧ୍ୟରେ ଏବେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। କୋଟିଆ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ବିଧାୟକ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛି ବିଜେପି। ସେପଟେ ଓଡ଼ିଶାର କୋଟିଆ ଉପରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିଥିବା କହି ବିଜେପି ସରକାରଙ୍କୁ ଘେରିଛି ବିଜେଡି।

ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, କୋଟିଆ ପ୍ରସଙ୍ଗରେ ବିଜେଡି ବିଧାୟକଙ୍କ ଅଧ୍ୟୟନ ଯଥେଷ୍ଟ ନୁହେଁ। ତାଙ୍କର ଏହି ପ୍ରସଙ୍ଗରେ ଅଧିକ ତଥ୍ୟ ଜାଣିବା ସହ କୋଟିଆ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ଆବଶ୍ୟକ। ବିଜେଡି ସରକାର ସମୟରେ ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ କରିଥିଲେ ମଧ୍ୟ ତାହାକୁ ରୋକିବାରେ ତତ୍କାଳୀନ ସରକାର ସଫଳ ହୋଇନଥିଲେ। ଏବେ ସେହି ପ୍ରସଙ୍ଗକୁ ନେଇ ବିଜେଡି ଅଯଥାରେ ହୋହଲ୍ଲା କରୁଥିବା ସେ ଅଭିଯୋଗ କରିଛନ୍ତି।

Also Read: ଗଞ୍ଜାମରେ ନବୀନଙ୍କ କ୍ରେଜ୍ : ଅରୁଣ କହିଲେ ବଡ଼ ସଙ୍କେତ, ପ୍ରାୟୋଜିତ କର୍ମୀ ସମ୍ମିଳନୀ କହିଲା ବିଜେପି

ଏସଆଇଆର ପ୍ରସଙ୍ଗ ଉଠାଇ ମଧ୍ୟ ବିରଞ୍ଚି ତ୍ରିପାଠୀ ବିଜେଡିକୁ ଜବାବ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏହା ଏବେ ବି ଜାରି ରହିଛି। ଆନ୍ଧ୍ରରେ ଏହି ପ୍ରକ୍ରିୟା ଶେଷ ହେବା ପରେ କୋଟିଆବାସୀ ଯେ ଓଡ଼ିଶାର ଭୋଟର, ସେମାନଙ୍କ ନାମ ଓଡ଼ିଶାର ଭୋଟର ତାଲିକାରେ ରହିବା ନେଇ ରାଜ୍ୟ ସରକାର ଓ ବିଜେପି ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯିବ ବୋଲି ସେ କହିଛନ୍ତି।

ଏଥିସହ କୋଟିଆ ପ୍ରସଙ୍ଗକୁ ଦଳୀୟ ରାଜନୀତି ଭିତରେ ସୀମିତ ନରଖିବାକୁ ଆହ୍ୱାନ ଦେଇଛନ୍ତି ବିରଞ୍ଚି। ଆନ୍ଧ୍ରରେ ଏସଆଇଆର ପ୍ରକ୍ରିୟା ଶେଷ ହେବା ପରେ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ନିର୍ବାଚନ ଆୟୋଗଙ୍କ ନିକଟରେ କୋଟିଆବାସୀଙ୍କ ଭୋଟର ତାଲିକା ଓଡ଼ିଶାରେ ରଖିବାକୁ ଦାବି କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

Also Read: ଗଞ୍ଜାମ, ଗଜପତି ଓ କନ୍ଧମାଳବାସୀଙ୍କ ଦୁଃଖରେ ନବୀନ ସାମିଲ, ବନ୍ୟା ବିପନ୍ନଙ୍କ ପାଇଁ ଏଥର ପାଳିବେନି ଦୀପାବଳି

ଅନ୍ୟପଟେ ବିଜେପିର ଏହି ଯୁକ୍ତିକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କୋଟିଆ ପ୍ରସଙ୍ଗରେ ବିଜେଡି ଓ ଅନ୍ୟ ବିରୋଧୀ ଦଳ ଯେଉଁଭଳି ଭାବେ ଲଢ଼େଇ ଜାରି ରଖିଛନ୍ତି, ସେଭଳି ଆଭିମୁଖ୍ୟ ବିଜେପି ନେତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନଥିବା ସେ କହିଛନ୍ତି। ଓଡ଼ିଶାର ବିଜେପି ସରକାର ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ସରକାରଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛନ୍ତି ବୋଲି ଅରୁଣ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ ବିଜେପି ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଥିବା ମଧ୍ୟ ସେ ଆକ୍ଷେପ କରିଛନ୍ତି।