ନୂଆଦିଲ୍ଲୀ ୦୯।୧୧ : କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ବିଳମ୍ବିତ ରାତି ଯାଏଁ ଲୋକ ବାଣ ଫୁଟାଇଲେ । ଆଉ ତାସହ ବାୟୁ ପ୍ରଦୂଷଣ ଏବଂ ଶବ୍ଦକୁ ନିମନ୍ତ୍ରଣ କଲେ । ଦେଶର ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ରାଜ୍ୟର ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ନିୟମକୁ ଉଲ୍ଲଂଘନ କରି ପ୍ରଚୁର ଆତିଶବାଜି ଓ ବାଣ ଫୁଟାଯାଇଛି। ଯଦିଓ ବାଣ ଫୁଟାଇବା ପାଇଁ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଥିଲା, କିନ୍ତୁ ଅନେକ ଅଞ୍ଚଳରେ ସଂଧ୍ୟା ନହେଉଣୁ ଆରମ୍ଭ ହୋଇଥିଲା ବାଣଫୁଟା ।

ମଧ୍ୟରାତ୍ରି ପର୍ଯ୍ୟନ୍ତ ବାଣ ଫୁଟିବା ଜାରି ରହିଥିଲା। ଏହାର ପ୍ରଭାବରେ ବାୟୁମଣ୍ଡଳ ବିଷାକ୍ତ ହୋଇପଡ଼ିଛି ଏବଂ ସାରା ସହର ଧୂଆଁର ଏକ ମୋଟା ଚାଦରରେ ଘେରି ହୋଇଯାଇଛି। ଦୀପାବଳି ଦିନ ଦିଲ୍ଲୀର ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ ବିପଦଜନକ ସ୍ତରରେ ପହଞ୍ଚି ଯାଇଥିଲା । ଦିଲ୍ଲୀର ଅନେକ ସ୍ଥାନରେ ବାଣ ଧୂଆଁ ଯୋଗୁଁ ଭିଜିବିଲିଟି ବହୁତ କମିଯାଇଥିଲା। ରାସ୍ତାଘାଟରେ ଷ୍ଟ୍ରିଟ୍ ଲାଇଟ୍ ଆଲୋକରେ ଧୂଆଁ ସ୍ପଷ୍ଟ ଭାବେ ନଜର ଆସୁଥିଲା।

Also Read:-ଧୈର୍ଯ୍ୟର ସହ ବହିର ଗୋଟେ ପୃଷ୍ଠା ବି ପଢ଼ି ହେଉନି, ଏକାଗ୍ରତା ଛଡ଼ାଇ ନେଉଛି ସୋସିଆଲ ମିଡିଆ

ତେବେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ପ୍ରାୟ ୩୫୦ଟି ଦଳ ଗଠନ କରିଥିବା କଥା କହିଥିଲେ ମଧ୍ୟ, ସ୍ଥିର ସମୟ ପରେ ମଧ୍ୟ ବାଣ ଫୁଟିବା ବନ୍ଦ ହୋଇନଥିଲା। ପ୍ରଦୂଷଣ ବୃଦ୍ଧି ଯୋଗୁଁ ଶ୍ବାସରୋଗୀ, ହୃଦ୍ ରୋଗୀ, ଶିଶୁ ଏବଂ ବୟସ୍କ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଲୋକମାନେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଆଖି ପୋଡ଼ାଜଳା ଭଳି ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି।