ସୁନ୍ଦରଗଡ଼:  ଅଶାନ୍ତ ହୋଇ ଉଠିଛି ସୁନ୍ଦରଗଡ। ଫ୍ଲାଇଆସ ବେପାରକୁ ନେଇ ଗ୍ୟାଙ୍ଗୱାର ଆଡକୁ ମୁହାଁଇଛି ସୁନ୍ଦରଗଡ। ଫୁଟୁଛି  ଗୁଳି ଗଡୁଛି ମୁଣ୍ଡ । ଫ୍ଲାଇଆସ ଟଙ୍କା ଆଦାୟ ବିବାଦରୁ ଗୁଳିକାଣ୍ଡ। ବରୋବଘାରରେ ଯୁବକଙ୍କୁ ଗୁଳି କରି ହତ୍ୟା, ଅପରାଧୀଙ୍କୁ ଧରିବାକୁ ସୀମା ସିଲ୍ କରିଥିଲା ପୋଲିସ। ୧୩ ଜଣକୁ ଗିରଫ କରାଯାଇଛି।

ସୁନ୍ଦରଗଡ଼ରେ ଖୁଲମଖୁଲା ଗୁଳିକାଣ୍ଡ। ଫ୍ଲାଏ ଆଶ୍ ପରିବହନ ଗାଡ଼ିରୁ ଟଙ୍କା ଆଦାୟକୁ ନେଇ ଆରମ୍ଭ ହୋଇଛି ବିବାଦ। ଆଉ ସେହି ବିବାଦରୁ ଗଡ଼ିଲା ମୁଣ୍ଡ। ଦର୍ଲିପାଲି ବରୋବଘାର ରାଇଜ୍‌ କାର୍ଯ୍ୟାଳୟ ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ସିଲୁ ନେଟି ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଅପରାଧୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ସୀମା ସିଲ୍ ସହ ଜୋରଦାର ତନାଘନା ଜାରି ରଖିଥିଲା। ଏହା ପରେ ପୋଲିସ ଗୁଳିମାଡ କରିଥିବା ମାଷ୍ଟର ମାଇଣ୍ଡ ସହ ୧୩ ଜଣକୁ ଗିରଫ କରିଛି ।

ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ୪୫। ବରୋବଘାର ରାଇଜ୍ କାର୍ଯ୍ୟାଳୟ ନିକଟରେ ହଠାତ୍ ଗୁଳିର ଶବ୍ଦରେ ଥରି ଉଠିଲା ଅଞ୍ଚଳ। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦର୍ଲିପାଲି ତଳପଡ଼ାର ୩୦ ବର୍ଷୀୟ ସିଲୁ ନେଟି ଗୁରୁତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଭଷ୍ମା ପୋଲିସ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ହେଲେ ଚିକିତ୍ସା ପୂର୍ବରୁ ହିଁ ତାଙ୍କ ଜୀବନ ଦୀପ ଲିଭିଗଲା।

NTPC ଦର୍ଲିପାଲିରୁ ବାହାରୁଥିବା ଫ୍ଲାଏ ଆଶ୍ ପରିବହନକୁ ନେଇ ବହୁ ବ୍ୟବସାୟୀ ଏବେ ସୁନ୍ଦରଗଡ ମୁହାଁ। ସେମାନଂକୁ ନିରାପତ୍ତା ଯୋଗାଇ ଦେବା ନାଁରେ ଚାଲିଛି ବେଆଇନ ଟଙ୍କା ଆଦାୟ। ଗାଡ଼ିରୁ ଟଙ୍କା ଆଦାୟକୁ ନେଇ ଦୀର୍ଘଦିନ ଧରି ଦୁଇ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା। ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସଂଘ ଟଙ୍କା ଆଦାୟ କରୁଥିବା ବେଳେ ଗୁରୁବାର ଦିନ  ରାଇଜ୍ ପକ୍ଷରୁ ମଧ୍ୟ ଆଦାୟ ଆରମ୍ଭ ହୋଇଥିଲା। ଏହାକୁ ନେଇ ବଢ଼ିଥିବା ଉତ୍ତେଜନା ଶେଷରେ ରକ୍ତାକ୍ତ ସଂଘର୍ଷ ଓ ହତ୍ୟାକାଣ୍ଡର ରୂପ ନେଇଥିଲା।

also read-ପର୍ବପର୍ବାଣୀରେ ଉତୁପାତିଆଙ୍କୁ ଧରିବ ପୋଲିସ୍‌, ଗୁଜବ ପ୍ରଚାରକାରୀଙ୍କୁ ଧରିବାକୁ ୨୪ ଘଣ୍ଟିଆ ମନିଟରିଂ

ଫ୍ଲାଏ ଆଶ୍ ପରିବହନ ଗାଡ଼ିରୁ ଟଙ୍କା ଆଦାୟ ବିବାଦର ରକ୍ତାକ୍ତ ପରିଣତି! ଜଣେ ଯୁବକଙ୍କ ଜୀବନ ଗଲା। ଆଗରୁ ମଧ୍ୟ  ଫ୍ଲାଇଆସ ପରିବହନକୁ ନେଇ ସେହି ଜାଗାରେ ଛୁରାମାଡହୋଇଥିଲା। ସେଠାରେ ଦ୍ୱିତୀୟ ଘଟଣାରେ ଗୁଳି ମଧ୍ୟ କିଛି ଦିନ ତଳେ ଫୁଟିଥିଲା। ଏତେ ଘଟଣା ହେଲେ ପରେବି କାହିଁକି ପୋଲିସ ଓ ଜିଲ୍ଲା ପ୍ରଶାସନ  ନିରବ ରହିଥିଲା। ଏ ନେଇ ଏବେ ଉଠିଛି ପ୍ରଶ୍ନ। ସ୍ଥାନୀୟ ଲୋକେ ଗୁରୁବାର ସନ୍ଧ୍ୟାରୁ  NTPC ସମୁଖରେ ରାସ୍ତା ରୋକ  ସହ ଆନ୍ଦୋଳନରେ ବସିଥିଲେ। ପୁର୍ବରୁ ଟଙ୍କା ଆଦାୟ କରୁଥିବା ସଂସ୍ଥା କାର୍ଯ୍ୟାଳୟରେ ନିଆଁ ଲଗାଇବା ସହ ଏକ କାରକୁ ନିଆଁ ଲଗାଇ ଦେଇଥିଲେ। ୪୨ ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ ଓ  କ୍ଷତିପୂରଣ ଘୋଷଣା କରାଯିବାରୁ ଆନ୍ଦୋଳନରୁ ହଟିଛନ୍ତି ଲୋକେ ।

ଏବେ ପ୍ରଶ୍ନ ଉଠୁଛି ଏହି ହତ୍ୟାକାଣ୍ଡ ପଛରେ କିଏ? କାହା ଇଙ୍ଗିତରେ ଚାଲିଥିଲା ଟଙ୍କା ଆଦାୟ?   ଯଦି ପୋଲିସ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଏ  ତେବେ ଆଗାମି ଦିନରେ ଗ୍ୟାଙ୍ଗ ଓ୍ବାରରେ ଥରିବ ସୁନ୍ଦରଗଡ।