କଣାସ ୮।୧୧: ପବିତ୍ର ଆଲୋକର ପର୍ବ ଦୀପାବଳିରେ ପୁରୀ ଜିଲ୍ଲା କଣାସ ଅଞ୍ଚଳରୁ ଗୋମାଂସ ଜବତ ହୋଇଛି । ପୁରୀରୁ ତେଲେଙ୍ଗାନା ନମ୍ବର ବିଶିଷ୍ଟ ଏକ ଆଇଚର ଗାଡ଼ିରେ ବିପୁଳ ପରିମାଣର ଗୋମାଂସ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଯୁବକ ମାନେ କାବୁ କରିଛନ୍ତି । ଜବତ ଗୋମାଂସର ଓଜନ ପ୍ରାୟ ୧୦ ଟନ୍ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କର ରାଇଗୁରୁପୁର ଗାଁ ନିକଟରେ ଏହି ଆଇଚର ଗାଡ଼ିଟି ଯାଉଥିବା ବେଳେ ସ୍ଥାନୀୟ ଯୁବକ ମାନେ ସନ୍ଦେହରେ ଗାଡ଼ିକୁ ଅଟକାଇଥିଲେ । ଯାଞ୍ଚ ବେଳେ ଗାଡ଼ି ଭିତରେ ବରଫ ପ୍ୟାକିଂ ହୋଇ ପ୍ରଚୁର ପରିମାଣର ଗୋମାଂସ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଯୁବକ ମାନେ ତୁରନ୍ତ ଗାଡ଼ି ସହ ଗୋମାଂସକୁ ଜବତ କରିବା ସହ ସେଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ତେବେ ସୁଯୋଗ ଦେଖି ଅନ୍ୟ ଜଣେ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି ।

Also Read:- Amitabh Bachchan: ହଠାତ୍ ବିଗିଡିଲା ଅମିତାଭଙ୍କ ସ୍ଵାସ୍ଥ୍ୟାବସ୍ଥା, ସ୍ଥଗିତ ରହିଲା KBC ଶୁଟିଂ

ପବିତ୍ର ଦୀପାବଳି ଏବଂ ପୟାଶ୍ରାଦ୍ଧ ଭଳି ଏକ ଆଧ୍ୟାତ୍ମିକ ଦିନରେ ମହାପ୍ରଭୁଙ୍କ ମାଟିରେ ଏଭଳି ବେଆଇନ ଗୋମାଂସ ଚୋରା ଚାଲାଣ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ବର୍ତ୍ତମାନ ସ୍ଥାନୀୟ ଜନସାଧାରଣ ଗାଡ଼ି ସହ ଅଟକ ଅଭିଯୁକ୍ତକୁ ରଖି ଗଡ଼ିଶାଗଦା ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏହି ବେଆଇନ ରାକେଟ ପଛରେ ଆଉ କାହାର ହାତ ଅଛି, ସେ ନେଇ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ସୂଚନା ମିଳିବ ।