ଢେଙ୍କାନାଳ: ଢେଙ୍କାନାଳ ସହରରେ ସକ୍ରିୟ ଥିବା ଏକ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଟାଉନ୍ ଥାନା ପୁଲିସ। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କଠାରୁ ସୁନା ଅଳଙ୍କାର, ମାରଣାସ୍ତ୍ର ସହ ଚୋରି ଟଙ୍କାରେ କିଣାଯାଇଥିବା ଏକ ବୁଲେଟ୍ ମୋଟରସାଇକେଲ୍ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ଦକ୍ଷିଣକାଳୀ ସରଜଙ୍ଗ ସାହିରେ ଏହି ୬ ଜଣିଆ ଗ୍ୟାଙ୍ଗ ସକ୍ରିୟ ଥିଲା। ଏଥିରେ ଦୁଇ ଜଣ ନାବାଳକ ମଧ୍ୟ ସାମିଲ ଥିବା ପୁଲିସ ଜାଣିବାକୁ ପାଇଛି। ଗତ ଅଗଷ୍ଟ ମାସରୁ ସହରର ଟାଉନ୍ ପ୍ଲାନିଂ ସମେତ ବିଭିନ୍ନ ଅଞ୍ଚଳରେ ଘରେ ପଶି ଲୁଟ୍ପାଟ୍ କରୁଥିଲେ ଏହି ଗ୍ୟାଙ୍ଗର ସଦସ୍ୟ।

ଲଗାତାର ଲୁଟ୍ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ଟାଉନ୍ ପୁଲିସ। ତଦନ୍ତ ପରେ ଗ୍ୟାଙ୍ଗର ସଦସ୍ୟଙ୍କୁ ଚିହ୍ନଟ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସରଜଙ୍ଗ ସାହିର ମିଲୁ ନାଏକ, ଲିପୁ ନାଏକ, ତପୁ ନାଏକ ଓ ଶୁଭମ ନାଏକ। ପୁଲିସ ସେମାନଙ୍କ ନିକଟରୁ ସୁନା ମୁଦି, ମଙ୍ଗଳସୂତ୍ର ଓ ଚୁଡ଼ି ଆଦି ଅଳଙ୍କାର ଜବତ କରିଛି। ଏଥିସହ ଲୁଟ୍ ଟଙ୍କାରେ କିଣାଯାଇଥିବା ଏକ ବୁଲେଟ୍ ମୋଟରସାଇକେଲ୍ ମଧ୍ୟ ଜବତ ହୋଇଛି।

Also Read: ପଶ୍ଚିମବଙ୍ଗ ନମ୍ବର କାର୍ରେ ଚାଲିଥିଲା କଇଁଛ ଚାଲାଣ, ପିପିଲିରେ ଧରିଲା ପୋଲିସ

ଅନ୍ୟପକ୍ଷରେ, ଚୋରି କରିବା ପରେ ଅଭିଯୁକ୍ତମାନେ ସୁନା ଅଳଙ୍କାରକୁ ନିଜ ପତ୍ନୀଙ୍କ ମାଧ୍ୟମରେ ବିଭିନ୍ନ ଦୋକାନରେ ବଦଳାଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି ବୋଲି ଢେଙ୍କାନାଳ ଏସ୍ପି ସୂଚନା ଦେଇଛନ୍ତି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।