କାଲିମେଳା: ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରା କାରବାର ବିରୋଧରେ କାଲିମେଳା ପୁଲିସକୁ ବଡ଼ ସଫଳତା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ଗାଗ୍ରିମେଟଲା ଜଙ୍ଗଲ ନିକଟରେ ଚଢ଼ାଉ କରି ୧୩୨୫ କେଜି ବେଆଇନ ଗଞ୍ଜେଇ ଜବତ କରିଛି ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୬୬ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗାଗ୍ରିମେଟଲା ଜଙ୍ଗଲ ନିକଟରେ ଜଣେ ଗଞ୍ଜେଇ ବେପାରୀ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖିଥିବା ନେଇ କାଲିମେଳା ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା। ତେବେ ପୁଲିସର ଚଢ଼ାଉ ସମ୍ପର୍କରେ ଆଗୁଆ ସୂଚନା ପାଇ ଗଞ୍ଜେଇ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ପରେ କାଲିମେଳା ତହସିଲଦାର ତଥା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ରାମକୃଷ୍ଣ ସତ୍ୟରାଜଗୁରୁ ଏବଂ ଅନ୍ୟ ସାକ୍ଷୀଙ୍କ ଉପସ୍ଥିତିରେ ଜଙ୍ଗଲ ନିକଟରୁ ମୋଟ ୧୩୨୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ କାଲିମେଳା ଥାନାରେ କେସ୍ ନମ୍ବର ୨୭୯, ତାରିଖ ୦୫.୧୧.୨୦୨୬ରେ NDPS ଆଇନର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି।

Also Read: ଢେଙ୍କାନାଳରେ ଡକାୟତି ଗ୍ୟାଙ୍ଗ ଠାବ: ସୁନା ଅଳଙ୍କାର, ମାରଣାସ୍ତ୍ର ସହ ବୁଲେଟ୍ ଜବତ

କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳଙ୍କ ସୂଚନା ଅନୁଯାୟୀ, ଏହି ଗଞ୍ଜେଇ ଚୋରା କାରବାରରେ ବାହାର ରାଜ୍ୟର ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହି କାରବାରରେ ସମ୍ପୃକ୍ତ ସମସ୍ତଙ୍କୁ ଖୁବ୍ଶୀଘ୍ର ଚିହ୍ନଟ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ପରେ ଏହି ଚୋରା କାରବାର ପଛରେ ଥିବା ନେଟୱର୍କକୁ ଠାବ କରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।