ମୁମ୍ଵାଇ ୦୮।୧୧; କୋଟି କୋଟି ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ... କେମିତି ଅଛନ୍ତି ବଲିଉଡ୍ର ଶେହେନ୍ଶା? ଅସୁସ୍ଥତା କାରଣରୁ ଅମିତାଭ ବଚ୍ଚନଙ୍କ କାମରେ ପଡ଼ିଛି ବ୍ରେକ୍। ଏହାର ପ୍ରଭାବ ପଡ଼ିଛି ଲୋକପ୍ରିୟ ଟେଲିଭିଜନ୍ ଶୋ' କୌନ୍ ବନେଗା କରୋଡ଼ପତି ଉପରେ। ସୂତ୍ର ଅନୁସାରେ, ଗତ ଏକ ସପ୍ତାହ ଧରି KBCର ନୂଆ ଏପିସୋଡ୍ର ସୁଟିଂ ବନ୍ଦ ରହିଛି।

ଅମିତାଭଙ୍କ ଅସୁସ୍ଥତା ଯୋଗୁଁ ନିର୍ମାତାମାନେ ସୁଟିଂ ସ୍ଥଗିତ ରଖିଥିବା ଜଣାପଡ଼ିଛି। ତେବେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଚ୍ୟାନେଲ୍ ପକ୍ଷରୁ ପ୍ରସାରଣ କରାଯାଉଛି ପୂର୍ବରୁ ସୁଟିଂ ହୋଇଥିବା ସେଲିବ୍ରିଟି ସ୍ପେଶାଲ୍ ଏପିସୋଡ୍। ଏହି ଦୀପାବଳି ସ୍ପେଶାଲ୍ରେ ରହିଛି ଆଉ ଏକ ଆକର୍ଷଣ। ରଣବୀର କପୁର, ସାଇ ପଲ୍ଲବୀ ଏବଂ ରବି ଦୁବେଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏକ ସ୍ୱତନ୍ତ୍ର ଏପିସୋଡ୍ରେ ସେମାନେ ନିଜ ଆଗାମୀ ଫିଲ୍ମ 'ରାମାୟଣ'ର ପ୍ରଚାର କରିଥିଲେ। ପୂର୍ବରୁ ଫିଲ୍ମ ରିଲିଜ୍ ସମୟରେ ଏହି ଏପିସୋଡ୍ ପ୍ରସାରଣ କରିବାର ଯୋଜନା ଥିଲା। କିନ୍ତୁ KBCର ସୁଟିଂ କାର୍ଯ୍ୟସୂଚୀ ବଦଳିବା ପରେ ଏହାକୁ ଆଗୁଆ ପ୍ରସାରଣ କରାଯାଇଥିବା ସୂଚନା ମିଳିଛି।

ଅନ୍ୟପଟେ ଅମିତାଭଙ୍କୁ ନେଇ ଆଉ ଏକ ଖବର ଚର୍ଚ୍ଚାରେ। ନିକଟରେ ମୁମ୍ବାଇ ମେୟରଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା। ଯେଉଁଥିରେ ଅମିତାଭ ବଚ୍ଚନଙ୍କ ବାସଭବନକୁ ଟାର୍ଗେଟ୍ କରିବାର ଧମକ ଦିଆଯାଇଥିବା ଦାବି ହୋଇଛି। ଏହାସହ ଅନ୍ୟ ଜଣେ ଅଭିନେତାଙ୍କ ଘରେ ଗୁଳିକାଣ୍ଡ ଘଟଣାର ତଦନ୍ତ ବେଳେ ଅମିତାଭଙ୍କ ଘର ଜଲସାର ରେକି କରାଯାଇଥିବା ନେଇ ମଧ୍ୟ ତଥ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି। ତେବେ KBCର ସୁଟିଂ ବନ୍ଦ ରହିବା ସହ ଏହି ସୁରକ୍ଷା ଘଟଣାର କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରାଯାଇଛି। ଏପଟେ ନିଜ ପ୍ରଶଂସକଙ୍କୁ ଅଭିବାଦନ ଜଣାଇବାକୁ ଘର ବାହାରକୁ ଆସିଥିଲେ ବିଗ୍ ବି। ତେବେ ଏଥର ସେ ବୁଲେଟ୍ପ୍ରୁଫ୍ କାଚ ପଛରେ ରହି ପ୍ରଶଂସକଙ୍କୁ ହାତ ହଲାଇଥିଲେ। ତାଙ୍କ ସହ ଥିଲେ ପୁଅ ଅଭିଷେକ ବଚ୍ଚନ।