ପୁରୀ ୦୮।୧୧ : ଦୀପାବଳିରେ ପ୍ରମେୟ ପରିବାରର ନୂଆ ଅଧ୍ୟାୟ । ପାଠକଙ୍କ ପାଇଁ ଆସିଲା ନୂଆ ଭେଟି । ଓଡ଼ିଶାର ମାଟି, ମନ ଓ ମହକକୁ ଏବେ ଇଂରାଜୀ ଭାଷାରେ ଦେଶ ଦୁନିଆ ପାଖରେ ପହଞ୍ଚାଇବ ‘ପ୍ରମେୟ ଟାଇମ୍ସ’ । ପବିତ୍ର ଦୀପାବଳି ଅବସରରେ ଶୁଭାରମ୍ଭ ହୋଇଛି ପ୍ରମେୟର ଏହି ଇଂରାଜୀ ଖବରକାଗଜ । ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଥମ କପି ସମର୍ପଣ ପରେ ସିଂହଦ୍ୱାର ସମ୍ମୁଖରେ ହୋଇଥିଲା ଭବ୍ୟ ଲୋକାର୍ପଣ ଉତ୍ସବ ।

ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆରମ୍ଭ ହୋଇଥିଲା ଏହି ନୂଆ ଅଭିଯାନ । ପରେ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଆୟୋଜିତ ହୋଇଥିଲା ଭବ୍ୟ ଲୋକାର୍ପଣ ଉତ୍ସବ । ଏହି ଅବସରରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ, ବିଭିନ୍ନ ମଠର ମଠାଧୀଶ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ପ୍ରମେୟ ନ୍ୟୁଜ୍ ସେଭେନ୍ର ପୁରୀ ଟିମ୍ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲା ।

Also Read:-'ପ୍ରମେୟ' ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ଦୀପାବଳି ଉପହାର, ଆତ୍ମପ୍ରକାଶ କଲା ଇଂରାଜୀ ଖବରକାଗଜ 'ପ୍ରମେୟ ଟାଇମ୍ସ'

ତେବେ ‘ପ୍ରମେୟ ଟାଇମ୍ସ’ କେବଳ ଏକ ଇଂରାଜୀ ଖବରକାଗଜ ନୁହେଁ, ବରଂ ଓଡ଼ିଶାର ସ୍ୱରକୁ ବ୍ୟାପକ ପାଠକଙ୍କ ନିକଟରେ ପହଞ୍ଚାଇବାର ଏକ ନୂଆ ମାଧ୍ୟମ । ଏଥିରେ ରହିବ ଓଡ଼ିଶାର ରାଜନୀତି, ବିକାଶ, ଶିକ୍ଷା, ପର୍ଯ୍ୟଟନ, କଳା ଓ ସଂସ୍କୃତି ସହ ମହାପ୍ରଭୁଙ୍କ ଜଗନ୍ନାଥ ସଂସ୍କୃତିକୁ ନେଇ ସ୍ୱତନ୍ତ୍ର ପୃଷ୍ଠା । ରାଜ୍ୟର ଗୌରବମୟ ପରମ୍ପରା, ସମ୍ଭାବନା ଓ ବିକାଶର କାହାଣୀ ଏବେ ଇଂରାଜୀ ଭାଷାରେ ପହଞ୍ଚିବ ଅଧିକରୁ ଅଧିକ ପାଠକଙ୍କ ପାଖରେ ।

ଓଡ଼ିଶାର ଖବର, ଓଡ଼ିଶାର ଚିନ୍ତାଧାରା ଏବଂ ଓଡ଼ିଶାର ଅସ୍ମିତାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ‘ପ୍ରମେୟ ଟାଇମ୍ସ’ର ଯାତ୍ରା । ଦୀପାବଳିର ଆଲୋକମୟ ପର୍ବରେ ଏହି ନୂଆ ଶୁଭାରମ୍ଭ ପ୍ରମେୟ ପରିବାରର ସାମ୍ବାଦିକତା ଯାତ୍ରାରେ ଯୋଡ଼ିଛି ଆଉ ଏକ ନୂଆ ଫର୍ଦ୍ଦ ।