ଚଣ୍ଡିଖୋଲ ୦୮।୧୧ : ଘର ଭିତରେ ହୁତୁହୁତୁ ହୋଇ ଜଳୁଥିଲା ନିଆଁ । ଚାରିଆଡ଼େ ଧୂଆଁ ଆଉ ହାହାକାର । ଆଖି ପିଛୁଳାକେ ନିଆଁ କବଳିତ କରିନେଲା ପୂରା ଘରକୁ । ଆଉ ଏହି ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୪ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମହିଳା ଏବଂ ଦୁଇ ଜଣ ନିଷ୍ପାପ ଶିଶୁ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ପଞ୍ଚାୟତର ସେକ୍ ମହଲାରେ ଘଟିଛି ଏହି ହୃଦୟବିଦାରକ ଘଟଣା ।

ଖବର ଅନୁଯାୟୀ, ସେକ୍ ନିଜାମୁଦ୍ଦିନଙ୍କ ଘରେ ସନ୍ଧ୍ୟା ସମୟରେ ରୋଷେଇ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ଘରର ବିଭିନ୍ନ ଅଂଶକୁ ବ୍ୟାପି ଯାଇଥିଲା । ଘରେ ଥିବା ଏସି ଓ ଫ୍ରିଜ୍ ମଧ୍ୟ ନିଆଁ କବଳରେ ଆସିଯାଇଥିଲା । ଫଳରେ ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଘରଟି ଜଳିବାକୁ ଲାଗିଥିଲା । ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ତାହାକୁ ଆୟତ୍ତ କରିବା ସମ୍ଭବ ହୋଇନଥିଲା । ଫଳରେ ଘର ଭିତରେ ଫସି ରହିଥିବା ଦୁଇ ମହିଳା ଓ ଦୁଇ ଶିଶୁଙ୍କ ଜୀବନ ଚାଲିଯାଇଥିଲା ।
Also Read:-ରାସ୍ତାକଡରେ ପଡିଛି ମୃତଦେହ, ପାଖରେ ପାର୍କିଂ ହୋଇଛି କାର୍ : ଦୁର୍ଘଟଣା ନା ହତ୍ୟା ?

ମୃତକ ହେଲେ ଗୁଲପସା ବିବି ଓ ତବସୁମ୍ ବିବି। ସେମାନେ ସମ୍ପର୍କରେ ନଣନ୍ଦ ଓ ଭାଉଜ ବୋଲି ଜଣାପଡ଼ିଛି । ଅନ୍ୟପଟେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣାକୁ ଆହୁରି ଶୋକାକୁଳ କରିଦେଇଛି । ମୃତଦେହଗୁଡ଼ିକୁ ବଡ଼ଚଣା ମେଡିକାଲକୁ ନିଆଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ।