ଉଦଳା : ଗାଁର ରାସ୍ତା କଡରେ ବସିଛନ୍ତି ବୁଢାବୁଢ଼ୀ । ଏକାଠି ହୋଇଛନ୍ତି, କଣ ସବୁ କଥା ହେଉଚନ୍ତି, କିଛି ଆଲୋଚନା କରୁଛନ୍ତି। ଆପଣ ଭାବୁଥିବେ ଏମାନେ ପରିଣତ ବୟସରେ ବୋଧେ ହସଖୁସି ବାଣ୍ଟୁଥିବେ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ ହସଖୁସି ନୁହେଁ, ବରଂ ପ୍ରଶାସନର ଅବହେଳା ବା ଅଣଦେଖା ପାଇଁ ଏମାନେ ନିରୁପାୟ ହୋଇ କେବଳ ସମାଧାନର ରାସ୍ତା ଖୋଜୁଛନ୍ତି। କାରଣଟି ହେଲା , ସେମାନଙ୍କୁ ୪ ମାସ ହେବ ଭତ୍ତା ମିଳି ନାହିଁ। ଅଭାବର ଯନ୍ତ୍ରଣା ଘାରିଛି। ଏବେ ସେମାନେ କେମିତି ବଂଚିବେ ତାର ଖିଅ ଖୋଜୁଛନ୍ତି। ଏଭଳି କିଛି ଚିତ୍ର ଖୁଣ୍ଟା ବ୍ଲକ ଲଖଣାସାହି ପଂଚାୟତରୁ ଆସିଛି ସାମ୍ନାକୁ । ବୟସର ଅପରାହ୍ନରେ ଭତ୍ତା ପାଇଁ ହୀନସ୍ତା ହେଉଛନ୍ତି ବୃଦ୍ଧବୃଦ୍ଧା। ହାତରେ ବ୍ୟାଙ୍କ ପାସବୁକ୍, କାନ୍ଧରେ ଝୁଲୁଛି ବ୍ୟାଗ୍, ଆଉ ମନରେ ଚିନ୍ତା। କେତେବେଳେ ବ୍ୟାଙ୍କ ଦୁଆର ତ କେତେବେଳେ ପଞ୍ଚାୟତ କାର୍ଯ୍ୟାଳୟ। ଦିନ ପରେ ଦିନ ବିତୁଛି, ହେଲେ ମିଳୁନି ନିଜ ହକ୍ର ଟଙ୍କା। ଚାରି ମାସ ହେଲା ଖାତାକୁ ଆସିନି ଭତ୍ତା। ବୟସର ଏହି ଶେଷ ପାହାଚରେ ଯେଉଁଠି ଟିକିଏ ଆଶ୍ୱସ୍ତି ଓ ସାହାରା ଲୋଡ଼ୁଛନ୍ତି, ସେଠି ଡିଜିଟାଲ ବ୍ୟବସ୍ଥାର ଜଟିଳତା ଏମାନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି।

ଲଖଣାସାହି ପଂଚାୟତର ତାଡ଼କି, କେନ୍ଦୁଗାଡି ଗ୍ରାମର ଭତ୍ତା ହିତାଧିକାରୀମାନଙ୍କ ଯନ୍ତ୍ରଣା କହିଲେ ନସରେ। ପୂର୍ବରୁ ପଂଚାୟତ କାର୍ଯ୍ୟାଳୟରେ ହାତରେଦିଆଯାଉଥିଲା ଭତ୍ତା। ହେଲେ ବର୍ଷେରୁ ଅଧିକ ହେବ ଡିବିଟି ମୋଡ଼ରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ନେଣଦେଣଆରମ୍ଭ ହୋଇଥିଲା। ଯାହା ଏହି ବୃଦ୍ଧଵୃଦ୍ଧାଙ୍କ ପାଇଁ ବେଶ ସହାୟକ ହେବ ବୋଲି ମନେ ହେଉଥିଲା। ହେଲେ ସେହି ଭାବନା ଏବେ ଡିଜିଟାଲ ସିଷ୍ଟମ ଆଗରେ ଭାଙ୍ଗି ପଡିଛି। କାହିଁକି ନା ଏବେ କେବଳ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ସେମାନେ ନୟାନ୍ତ। ୪ ମାସ ହେବ ଖାତାରେ ଆସୁ ନାହିଁ ଭତ୍ତା। କେବଳ ଏହି ଦୁଇ ଗାଁ ନୁହେଁ ପଂଚାୟତର ୪ ରୁ ୫ଟି ଗାଁର ୩ଶହରୁ ଅଧିକ ହିତାଧିକାରୀଙ୍କର ଏହି ସମାନ ଅବସ୍ଥା। ଯେଉଁଥିପାଇଁ ତ ସେମାନେ କଣ କରିବେ, କେମିତି ବଞ୍ଚିବେ ତାକୁ ନେଇ ଆଶା ଓ ଆଶଙ୍କାରେ। ହାତରେ ବ୍ୟାଗ୍ କିମ୍ବା ଜରି, ଆଉ ତା ଭିତରେ ବ୍ୟାଙ୍କ ଖାତା ଧରି ବୁଲୁଛନ୍ତି ଏହି ବୁଢାବୁଢୀମାନେ। କିଏ ହାତରେ ଆଶାବାଡ଼ି ଧରି ଚାଲୁଛି ତ ଆଉ କିଏ ନଇଁ ନଇଁ। ସମସ୍ତେ ବାରମ୍ବାର ବ୍ୟାଙ୍କ ଯାଉଥିବା ବେଳେ କେବଳ ଗୋଟିଏ ଅକ୍ଷର ନା... ଯାହା ସେମାନହ୍କ ମନରେ ନିରାଶା ଭରି ଦେଇଛି। ତଥାପି ଆଶା, କାଳେ ମିଳିଯିବ କି ବତ୍ତା। ଆକୁଳ ନିବେଦନ, ବାବୁ ଆମ ଭାତ୍ତା କମ ମିଳିବନି ।

ହିତାଧିକାରୀଙ୍କ ଏହି ଯନ୍ତ୍ରଣା ବାବଦରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚରା ଯାଇଥିଲା। କିନ୍ତୁ ନିର୍ଦ୍ଧିଷ୍ଟ ତାରିଖ କିମ୍ବା ଦିନ ବଦଳରେ ତାଙ୍କ ଉତ୍ତର ହେଲାକିଛି ଯାନ୍ତ୍ରିକ ତ୍ରୁଟି ରହିଛି ଯାହାକି ଶୀଘ୍ର ସମାଧାନ ହେବ। ଆଉ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ମିଳିବ ବୋଲି ।

Also Read : Kanas beef seizure: ଦୀପାବଳିରେ କଣାସରୁ ୧୦ ଟନ୍ରୁ ଅଧିକ ଗୋମାଂସ ଜବତ, ଜଣେ ଅଟକ

ଏ ସବୁ ଭିତରେ କିନ୍ତୁ ଗୋଟିଏ ପ୍ରଶ୍ନ । ଭତ୍ତା ହିତାଧିକାରୀ କାହିଁକି ବ୍ୟବସ୍ଥାର ନିୟମ ଭିତରେ ପେଶି ହେବେ ଏବଂ କାହିଁକି ନିଜ ହକ ପାଇଁ ଚାତକ ପରି ଚାହିଁ ରହିବେ । ବିନା ଦୋଷରେ ଯନ୍ତ୍ରଣା ଭୋଗିବେ କାହିଁକି। ସରକାରୀ ବ୍ୟବସ୍ଥାର ପରିଚାଳନା ବା ୟାନ୍ତ୍ରୀକ ତ୍ରୁଟିର ଉତ୍ତର ଦାୟୀ କିଏ। ଯାହା ବି ହେଉ ନୀରିହ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ମିଳୁ। ବିରିଷ୍ଠଙ୍କୁ ହକ୍ ଓ ସମ୍ମାନ ମିଳୁ।