କଟକ ୧୭।୮: ହାଇକୋର୍ଟରେ ନାହାନ୍ତି ଆବଶ୍ୟକୀୟ ବିଚାରପତି। ଏହା ଭିତରେ ମାମଲା ସଂଖ୍ୟା ୧ ଲକ୍ଷ ୭୨ ହଜାର ଛୁଇଁଲାଣି। ହେଲେ ଆବଶ୍ୟକୀୟ ବିଚାରପତି ନିଯୁକ୍ତ କରିବାରେ ଆଗ୍ରହ ପ୍ରକାଶ କରୁନାହିଁ ସୁପ୍ରିମକୋର୍ଟ କଲେଜିୟମ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି ହାଇକୋର୍ଟ ବାର୍ ଆସୋସିଏସନ। ବିଚାରପତି ଅଭାବକୁ ନେଇ ଗତ ୧୪ ତାରିଖରେ ଜେନେରାଲ ବଡି ମିଟିଂ ହୋଇଥିଲା। ଯେଉଁଥିରେ ନିଷ୍ପତ୍ତି ହୋଇଛି ସମସ୍ୟା ସମ୍ପର୍କରେ ରାଷ୍ଟ୍ରପତି, ପ୍ରଧାନ ବିଚାରପତି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ରାଜ୍ୟର ଓକିଲ ସମୁଦାୟ ପ୍ରସ୍ତୁତ ହେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ହାଇକୋର୍ଟ ଓକିଲ ସଙ୍ଘ।

୨୦୧୮ ମସିହା ପରଠାରୁ ସୁପ୍ରିମ କୋର୍ଟରେ ଓଡ଼ିଆ ବିଚାରପତିଙ୍କ ପ୍ରତିନିଧିତ୍ବ ନାହିଁ କହିଲେ ଚଳେ। ତେଣେ ଓଡ଼ିଶା ହାଇକୋର୍ଟ ପାଇଁ ଅନୁମୋଦିତ ୩୩ ବିଚାରପତି ପଦବୀ କେବେବି ପୂରଣ ହୋଇନାହିଁ। ଅତୀତରେ କିନ୍ତୁ ଯେବେ ଆବଶ୍ୟକ ମୁତାବକ ବିଚାରପତି ହାଇକୋର୍ଟରେ ଥିଲେ, ସେବେ ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ସ୍ଥାନ ମଣ୍ଡନ କରିପାରିଥିଲେ ଓଡ଼ିଆ ବିଚାରପତି ମାନେ। ବର୍ତ୍ତମାନ ହାଇକୋର୍ଟରେ ୧୭ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ୨ ଜଣ ବିଚାରପତିଙ୍କ ବଦଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଖୁବଶୀଘ୍ର ଆଉ ୨ ଜଣ ବିଚାରପତି ଚାକିରିରୁ ଅବସର ନେବେ। ସେତେବେଳକୁ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୩ରେ ପହଞ୍ଚିଯିବ। ଯାହା ରାଜ୍ୟର ବିଚାର ବ୍ୟବସ୍ଥା ପ୍ରଭାବିତ କରିବାଟା ନିଶ୍ଚିତ। ଯାହାକୁ ବିରୋଧ କରିଛି ହାଇକୋର୍ଟ ଓକିଲ ସଙ୍ଘ।

Also Read:- NGO କର୍ମଚାରୀଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ ; ରେଡ୍ ବେଳେ ମିଳିଲା ସୁନା, ନଗଦ ଟଙ୍କା ଓ ଜମିପଟ୍ଟା

ଶେଷ ଥର ପାଇଁ ଜଷ୍ଟିସ ଦୀପକ ମିଶ୍ର ଜଣେ ଓଡ଼ିଆ ଭାବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଯଦିଓ ପୂର୍ବରୁ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଏବଂ ଜଷ୍ଟିସ ରଙ୍ଗନାଥ ମିଶ୍ର ଏହି ଆସନକୁ ଅଳଙ୍କୃତ କରିସାରିଛନ୍ତି। ହେଲେ ଓଡ଼ିଆଙ୍କ ପାଇଁ ସେଭଳି ଗୌରବମୟ ସମୟ ଆଉ ଆସିବାର ସମ୍ଭାବନା କମ୍ ବୋଲି କୁହାଯାଇପାରେ ।

Watch Video:​​​​​​​