ନୂଆଦିଲ୍ଲୀ ,୩୧ /୧୦-; ଜମ୍ମୁ-କାଶ୍ମୀର ରାଜନୀତିର ଚର୍ଚ୍ଚିତ ଚେହେରା ତଥା ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କ ବିବାହକୁ ନେଇ ଚର୍ଚ୍ଚା। ସୋସିଆଲ୍ ମିଡିଆରେ ଉଭୟଙ୍କ ବିବାହ ଫଟୋ ପ୍ରସାରିତ ହେବା ପରେ ଏହାକୁ ନେଇ ଅନେକ ରାଜନେତା ଓ ଶୁଭେଚ୍ଛୁ ପ୍ରତିକ୍ରିୟା ଦେଇଛନ୍ତି। କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଏକ୍ସରେ ପୋଷ୍ଟ କରି ନବଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି। ଥରୁର ନିଜ ପୋଷ୍ଟରେ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ଏହି ନୂଆ ଶପଥ ଗ୍ରହଣର ଖବର ବେଶ୍ ଆନନ୍ଦଦାୟକ। ଉଭୟଙ୍କୁ ଅନେକ ଅଭିନନ୍ଦନ। ସେମାନଙ୍କ ବୈବାହିକ ଜୀବନ ଦୀର୍ଘ ଓ ସୁଖମୟ ହେଉ ବୋଲି ସେ କାମନା କରିଛନ୍ତି।

ଉମର ଅବଦୁଲ୍ଲା ଓ ନିଧି ରାଜଦାନ ଅକ୍ଟୋବର ୩୦ ତାରିଖରେ ବିବାହ କରିଥିବା ଜଣାପଡ଼ିଛି। ଅକ୍ଟୋବର ୩୧ ତାରିଖରେ ଉମର ସୋସିଆଲ୍ ମିଡିଆରେ ଉଭୟଙ୍କ ଫଟୋ ସେୟାର କରି ‘ଗତକାଲିଠାରୁ ଏକ ନୂଆ ଯାତ୍ରା ଆରମ୍ଭ ହେଲା’ ବୋଲି ଲେଖିଥିଲେ। ଅନ୍ୟପଟେ ନିଧି ମଧ୍ୟ ‘ଇଟ୍ସ ଡନ୍ ବ୍ରୋ’ ଲେଖି ଫଟୋ ସେୟାର କରିଥିଲେ। ଏହାପରେ ଉଭୟଙ୍କ ବିବାହ ଖବର ସାମ୍ନାକୁ ଆସିଥିଲା।

also read- ବଦଳିବକି ଇସ୍ରାଏଲର ରାଜନୈତିକ ଗଣିତ ? ନିର୍ବାଚନ ଫଳାଫଳା ଘୋଷଣା ପରେ ସରକାର ଗଢିବା ପାଇଁ ସମସ୍ୟାରେ ନେତା ନ୍ୟହୁ !

ଅନ୍ୟପଟେ ୧୯୯୪ ମସିହାରେ ପ୍ରଥମେ ପାୟଲ ଅବଦୁଲ୍ଲାଙ୍କୁ ବିବାହ କରିଥିଲେ ଉମର ଅବଦୁଲ୍ଲା। ଏହି ବିବାହରୁ ତାଙ୍କର ଦୁଇ ପୁଅ ଅଛନ୍ତି। ଦୀର୍ଘ ଦିନ ଧରି ଉଭୟ ଅଲଗା ରହୁଥିବା ବେଳେ ଗତ ଜୁଲାଇ ୩୧ ତାରିଖରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ଉଭୟଙ୍କ ବିବାହ ବିଚ୍ଛେଦକୁ ମଞ୍ଜୁରି ଦେଇଥିଲେ। ଆପୋସ ବୁଝାମଣା ପରେ ଏହି ନିଷ୍ପତ୍ତି ଜଣାପଡିଛି ।

ସେହିପରି ନିଧି ରାଜଦାନ ମଧ୍ୟ ଜଣେ ଜଣାଶୁଣା ସାମ୍ବାଦିକା ଓ ଟେଲିଭିଜନ୍ ନ୍ୟୁଜ୍ ଆଙ୍କର୍। ସେ ଦୀର୍ଘ ବର୍ଷ ଧରି ଏନ୍ଡିଟିଭିରେ କାମ କରିଛନ୍ତି। ଏବେ ଏହି ବିବାହକୁ ନେଇ ସୋସିଆଲ୍ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି। ରାଜନୀତି ଓ ସାମ୍ବାଦିକତା ଜଗତର ଏହି ଦୁଇ ପରିଚିତ ଚେହେରାଙ୍କ ନୂଆ ଜୀବନ ଆରମ୍ଭକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।