ଯୋଧପୁର ୨୭/୧୦ : ସୋସିଆଲ୍ ମିଡିଆରେ ୨୦ ଲକ୍ଷ ଫଲୋଅର୍ସ… କିନ୍ତୁ ନିର୍ବାଚନରେ ମିଳିଲା ମାତ୍ର ୩୩ ଖଣ୍ଡ ଭୋଟ୍ | ଇଣ୍ଟରନେଟ୍ରେ ଯାହାଙ୍କର ରହିଛି ଜବରଦସ୍ତ ଫ୍ୟାନ୍ ଫଲୋଇଂ, ଭୋଟ୍ ବାକ୍ସରେ କିନ୍ତୁ ତାଙ୍କୁ ମିଳିଲାନି ଯଥେଷ୍ଟ ସମର୍ଥନ। ଆଉ ଏହାକୁ ନେଇ ଏବେ ଚର୍ଚ୍ଚାରେ ୟୁଟ୍ୟୁବର ଓମ୍ ପ୍ରକାଶ ବିଷ୍ନୋଇଙ୍କ ନିର୍ବାଚନୀ ପରାଜୟ। ଏହି ଘଟଣାକୁ ଦେଖିଲେ ମନରେ ଗୋଟେ କଥା ଆସୁଛି କ'ଣ ସତରେ ସୋସିଆଲ୍ ମିଡିଆରେ ଥିବା ଲୋକପ୍ରିୟତା ନିର୍ବାଚନ ଜିତିବା ପାଇଁ ଯଥେଷ୍ଟ? ଓମ୍ ପ୍ରକାଶ ବିଷ୍ନୋଇଙ୍କୁ ନେଇ ଏବେ ଏହି ପ୍ରଶ୍ନ ଉଠୁଛି। କୁହାଯାଉଛି, ସୋସିଆଲ୍ ମିଡିଆରେ ତାଙ୍କର ପ୍ରାୟ ୨୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଭିଡିଓ ଦେଖୁଥିବା ହଜାର ହଜାର ଲୋକ, ଅନଲାଇନ୍ରେ ମିଳୁଥିବା ଲାଇକ୍ ଓ କମେଣ୍ଟ ସବୁକିଛି ତାଙ୍କ ଲୋକପ୍ରିୟତାର ପରିଚୟ ଦେଉଥିଲା। କିନ୍ତୁ ସରପଞ୍ଚ ନିର୍ବାଚନରେ ଯେଉଁ ଚିତ୍ର ଆସିଲା ତାହା ସମ୍ପୂର୍ଣ୍ଣ ଅଲଗା ଥିବା ଦାବି କରାଯାଉଛି।

ଚଳିତ ବର୍ଷ ରାଜସ୍ଥାନରେ ୨୦୨୬ ପଞ୍ଚାୟତ ରାଜ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଫଳାଫଳ ଆସିବା ପରେ, ସାମ୍ନାକୁ ଆସିଛି ଅନେକ ଆକର୍ଷଣୀୟ ତଥ୍ୟ । ଯୋଧପୁର ଜିଲ୍ଲାର ଓସିଆନ୍ ତହସିଲର ଏକ ଗ୍ରାମ ପଞ୍ଚାୟତର ନିର୍ବାଚନ ଫଳାଫଳ ଆଲୋଚନାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫଲୋଅର୍ସ ଥିବା ଜଣେ ୟୁଟ୍ୟୁବର ଏବଂ ପ୍ରଭାବଶାଳୀ ବ୍ୟକ୍ତି ଓମ୍ ପ୍ରକାଶ ବିଷ୍ନୋଇ ସରପଞ୍ଚ ନିର୍ବାଚନରେ ଲଢ଼ି ପରାସ୍ତ ହୋଇଛନ୍ତି। ତାଙ୍କ ପରାଜୟକୁ ନେଇ ଏବେ ଚାରିଆଡେ ବ୍ୟାପକ ଆଲୋଚନା । ରିପୋର୍ଟ ଅନୁସାରେ, ଓସିଆନ୍ ଅଞ୍ଚଳର 'ଇଣ୍ଡୋନ୍ କି ଢାଣି ଦ୍ୱିତୀୟ' ଗ୍ରାମ ପଞ୍ଚାୟତରୁ ସରପଞ୍ଚ ପଦ ପାଇଁ ଓମ୍ ପ୍ରକାଶ ବିଷ୍ନୋଇ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କର ବହୁ ସଂଖ୍ୟାରେ ସୋସିଆଲ ମିଡିଆ ଫୋଲର୍ସକୁ ଦୃଷ୍ଟିରେ ରଖି ଲୋକମାନେ ତାଙ୍କ ନିର୍ବାଚନୀ ପ୍ରଦର୍ଶନ ଉପରେ ଅତି ଉତ୍ସାହର ସହିତ ନଜର ରଖିଥିଲେ, କିନ୍ତୁ ଭୋଟ ଗଣତି ପରେ ପ୍ରକାଶିତ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପ୍ରାୟ ୧୬୦୦ ଭୋଟର ବିଶିଷ୍ଟ ଏହି ଗ୍ରାମ ପଞ୍ଚାୟତରେ ଓମ୍ ପ୍ରକାଶଙ୍କୁ କେବଳ ୩୩ ଭୋଟ ମିଳିଥିଲା।

Also Read : ଭାରତର ଏମିତି ଗାଁ ଯେଉଁଠି କେବେ ପୂଜା ପାଆନ୍ତି ନାହିଁ ହନୁମାନ, ରହିଛି ବିଚିତ୍ର ଲୋକକଥା

ସୋସିଆଲ ମିଡିଆରେ ଚର୍ଚ୍ଚିତ ୟୁଟ୍ୟୁବର ଓମ ପ୍ରକାଶ ବିଷ୍ନୋଇଙ୍କ ଲୋକପ୍ରିୟତା ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ତାଙ୍କ ଫୋଲର୍ସଙ୍କ ଦ୍ୱାରା ଅନୁମାନ କରାଯାଇପାରିବ। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୧.୪ ନିୟୁତରୁ ଅଧିକ ଅନୁଗାମୀ ଥିବା ଜଣାପଡ଼ିଛି। ଫେସବୁକରେ ତାଙ୍କର ୨୩୨,୦୦୦ ରୁ ଅଧିକ ଅନୁଗାମୀ ଏବଂ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରାୟ ୫୫୦,୦୦୦ ସବସ୍କ୍ରାଇବର୍ ଅଛନ୍ତି। ଏହିପରି, ତିନୋଟି ପ୍ରମୁଖ ପ୍ଲାଟଫର୍ମରେ ତାଙ୍କର ମୋଟ ଅନୁଗାମୀ ଏବଂ ସବସ୍କ୍ରାଇବର୍ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ୟୁଟ୍ୟୁବର ଓମ୍ ପ୍ରକାଶଙ୍କ ସୋସିଆଲ୍ ମିଡିଆରେ ୨୦ ଲକ୍ଷ ଫଲୋଅର୍ସ ଥାଇ ମଧ୍ୟ ତାଙ୍କୁ ମାତ୍ର ୩୩ଟି ଭୋଟ୍ ମିଳିଛି । ତାଙ୍କର ବିଶାଳ ଫୋଲର୍ସ ଥିବା ସତ୍ତ୍ୱେ,ସେ ନିର୍ବାଚନରେ ଚିତପଟାଙ୍ଗ ମାରିଛନ୍ତି । ତେବେ ଏହି ଘଟଣା ପୁଣିଥରେ ଦେଖାଇଦେଇଛି ଯେ ସୋସିଆଲ୍ ମିଡିଆରେ ଫଲୋଅର୍ସଙ୍କ ସଂଖ୍ୟା ଓ ନିର୍ବାଚନରେ ଭୋଟରଙ୍କ ସମର୍ଥନ ଦୁଇଟି ଭିନ୍ନ କଥା। ଅନଲାଇନ୍ରେ ଲୋକପ୍ରିୟ ହେବା ଗୋଟିଏ କଥା, ଆଉ ଲୋକଙ୍କ ବିଶ୍ୱାସ ଜିତି ଭୋଟ୍ ପାଇବା ଅନ୍ୟ କଥା।