ନୂଆଦିଲ୍ଲୀ : ଲାଗିଯିବ ଆଣବିକ ଯୁଦ୍ଧ। ବିପର୍ଯ୍ୟସ୍ତ ହୋଇଯିବ ଆମେରିକାର ଅର୍ଥନୀତି। 2028 ସୁଦ୍ଧା ଅଶାନ୍ତ ହେବ ସାରା ବିଶ୍ୱ। ମାନବଜାତି ଭପରେ ଘୋଟିଯିବ ମୃତ୍ୟୁ ବିଭିଷୀକାର ଭୟଙ୍କର ରକ୍ତାକ୍ତ ପରିବେଶ। ଆହୁରି ଚିନ୍ତାଜନକ ହେଲା ଲାଗିଯିବ ଆଉ ଏକ ବଡ଼ ଯୁଦ୍ଧ। ଦୀର୍ଘ 27 ବର୍ଷର ଯୁଦ୍ଧ। ଏପରି କିଛି ଭବିଷ୍ୟବାଣୀ କରିଛନ୍ତି ଆମେରିକାର ନାଷ୍ଟ୍ରୋଡମ୍ସ ପରିଚିତ ଜନ୍ ହୋଗ୍। ତାଙ୍କ ଭବିଷ୍ୟବାଣୀ କହୁଛି ଆଉ ମାତ୍ର ଦୁଇ ବର୍ଷରେ ପୃଥିବୀ ଉପରେ ଘୋଟିଯିବ ମହା ବିପଦ। ଯୁଦ୍ଧ , ଅଭାବ ଓ କ୍ଷୁଧାର ବିପର୍ଯ୍ୟୟ।

ଜନ୍ ହୋଗ୍ ଜଣେ ଲେଖକ ଓ ଭବିଷ୍ୟବକ୍ତା।  ଫ୍ରାନ୍ସର ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଭବିଷ୍ୟବକ୍ତା ମାଇକେଲ୍ ଡି ନୋଷ୍ଟ୍ରୋଡମ୍ସଙ୍କ ଲେଖା ଓ ଭବିଷ୍ୟବାଣୀ ଉପରେ ଦୀର୍ଘ ବର୍ଷ ଧରି ଅଧ୍ୟୟନ କରି ଆସୁଛନ୍ତି ହୋଗ୍। ନୋଷ୍ଟ୍ରାଡମ୍ସଙ୍କ ଭବିଷ୍ୟବାଣୀକୁ ନେଇ ସେ ଏକାଧିକ ପୁସ୍ତକ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ନୋଷ୍ଟ୍ରାଡମ୍ସ୍- ଦ ନ୍ୟୁ ରିଭୋଲ୍ୟୁସନ୍, ଦ ମିଲେନିୟମ୍ ବୁକ୍ ଅଫ୍ ପ୍ରୋଫେସି ରହିଛି ସାମିଲ୍। ହୋଗଙ୍କ କହିବା ଅନୁସାରେ ତାଙ୍କ ଭଭିଷ୍ୟବାଣୀ ନୋଷ୍ଟ୍ରାଡମ୍ସଙ୍କ ଲେଖା ଉପରେ ଆଧାରିତ। ଆଉ ତାଙ୍କର ଏହି ଭବିଷ୍ୟବାଣୀ ଏବେ ପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ଭାବିଷ୍ୟବାଣୀ। ଯାହା ପରମାଣୁ ଯୁଦ୍ଧଠାରୁ ଆରମ୍ଭ କରି ବିଶ୍ୱ ଅର୍ଥନୀତିର ବିପର୍ଯ୍ୟୟ ପର୍ଯ୍ୟନ୍ତ ଅନେକ ଗମ୍ଭୀର ଆଶଙ୍କାକୁ ଆଣିଛି ସାମ୍ନାକୁ । ଜନ୍ ହୋଗ୍ ଙ୍କ ସବୁଠାରୁ ଚିନ୍ତାଜନକ ଆକଳନ ହେଉଛି ପରମାଣୁ ଯୁଦ୍ଧର ଆଶଙ୍କା। ବ୍ରିଟେନର ଖବରକାଗଜ ‘ଦି ସନ୍’କୁ ସାକ୍ଷାତକାରରେ ହୋଗ୍ ଦେଇଛନ୍ତି ଚେତାବନୀ , ପରମାଣୁ ବିପର୍ଯ୍ୟୟର ଆଶଙ୍କା ପୂର୍ବ ଅପେକ୍ଷା ଅଧିକ ନିକଟତର ହୋଇଯାଇଛି। ସେ କହିଛନ୍ତି, "ଇରାନ ଉପରେ ପରମାଣୁ ଆକ୍ରମଣ କରିବା ନେଇ ଟ୍ରମ୍ପଙ୍କ 50-50 ମନୋଭାବ। " ହୋଗ୍ ଙ୍କ ଯୁକ୍ତି ହେଉଛି, ବିଶ୍ୱରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ବିପୁଳ ବ୍ୟବହାର ଜାରି ରହେ ତେବେ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକର ଅସ୍ତ୍ରଭଣ୍ଡାର ହ୍ରାସ ପାଇବ। ଏଭଳି ସ୍ଥିତିରେ ରଣନୈତିକ ଓ ପରମାଣୁ ଅସ୍ତ୍ର ବ୍ୟବହାରର ଆଶଙ୍କାକୁ ନେଇ ସେ ଚେତାବନୀ ଦେଇଛନ୍ତି। ତାଙ୍କ ଆକଳନ ଅନୁସାରେ, ଯଦି କୌଣସି ଦେଶ ପରମାଣୁ ଆକ୍ରମଣ କରେ, ତେବେ ଏହାର ପ୍ରତିଶୋଧ ନେବା ପାଇଁ ଅନ୍ୟ ଦେଶ ମଧ୍ୟ ଆକ୍ରମଣ କରିପାରନ୍ତି। ଏହା ଏକ ବଡ଼ ଆନ୍ତର୍ଜାତିକ ସଂଘର୍ଷର ରୂପ ନେଇପାରେ। ହୋଗ୍ ଏହି ବିପଦକୁ ‘ସ୍ୱୋର୍ଡ ଅଫ୍ ନ୍ୟୁକ୍ଲିୟର ଡାମୋକ୍ଲିସ୍’ ବୋଲି କହିଛନ୍ତି। ଅର୍ଥାତ୍ ମାନବଜାତିର ମୁଣ୍ଡ ଉପରେ ସବୁବେଳେ ଝୁଲି ରହିଥିବା ପରମାଣୁ ବିପର୍ଯ୍ୟୟର ଖଣ୍ଡା। ତାଙ୍କ ମତରେ, ୨୦୨୮ ସୁଦ୍ଧା ଏହି ବିପଦ ଆହୁରି ଭୟଙ୍କର ରୂପ ନେଇପାରେ।

ହୋଗଙ୍କ ଦ୍ୱିତୀୟ ଭବିଷ୍ୟବାଣୀ ଆହୁରି ଆଶ୍ଚର୍ଯ୍ୟଜନକ। ତାଙ୍କ ଆକଳନ ଅନୁସାରେ, ବିଶ୍ୱ ଏକ ଦୀର୍ଘକାଳୀନ ଯୁଦ୍ଧ ଆଡ଼କୁ ଗତି କରିପାରେ। ଏହି ଯୁଦ୍ଧ ପ୍ରାୟ ୨୭ ବର୍ଷ ଧରି ଚାଲିବାର ଆଶଙ୍କା ରହିଛି ବୋଲି ସେ ନୋଷ୍ଟ୍ରାଡମ୍ସ ଲେଖାକୁ ବ୍ୟାଖ୍ୟା କରିଛନ୍ତି। ନୋଷ୍ଟ୍ରାଡମ୍ସ କେତେକ ଲେଖାରେ ‘ମାବୁସ୍’ ନାମକ ଏକ ରହସ୍ୟମୟ ବ୍ୟକ୍ତିଙ୍କ ଉଲ୍ଲେଖ ଥିବା କୁହାଯାଏ। ହୋଗ୍ ଏହି ବ୍ୟକ୍ତିଙ୍କୁ ‘ତୃତୀୟ ଆଣ୍ଟିକ୍ରାଇଷ୍ଟ’ ବା ତୃତୀୟ ଅଶୁଭ ଶକ୍ତି ସହ ଯୋଡ଼ିଛନ୍ତି। ତାଙ୍କ ବ୍ୟାଖ୍ୟା ଅନୁସାରେ, ଏହି ରହସ୍ୟମୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହୋଇପାରେ। ସେହି ରହସ୍ୟମୟ ବ୍ୟକ୍ତି ସାଉଦି ଆରବର ଯୁବରାଜ ହୋଇପାରନ୍ତି। ଏହି ସଂଘର୍ଷରେ ଅନେକ ଲୋକଙ୍କ ଜୀବନ ଯିବା ସହ ଦେଶଗୁଡ଼ିକର ଅର୍ଥନୀତି ଓ ଭିତ୍ତିଭୂମି ଧ୍ୱଂସ ହୋଇପାରେ । ଏଥିରେ ତୃତୀୟ ଆଣ୍ଟିକ୍ରାଇଷ୍ଟଙ୍କ ବିନାଶ ପରେ ୨୭ ବର୍ଷର ରକ୍ତାକ୍ତ ଯୁଦ୍ଧ, ମୃତଦେହ, ରକ୍ତପାତ ଏବଂ ପୃଥିବୀରେ ବିନାଶର ଚିତ୍ର ବର୍ଣ୍ଣନା କରାଯାଇଥିବା ଦାବି କରାଯାଇଛି। ତେବେ ‘ମାବୁସ୍’ କିଏ, ତାଙ୍କ ମୃତ୍ୟୁ କେବେ ହେବ କିମ୍ବା ଏହା ସହ କୌଣସି ନିର୍ଦ୍ଦିଷ୍ଟ ଯୁଦ୍ଧର ସମ୍ପର୍କ ରହିଛି କି ନାହିଁ, ଏହାର କୌଣସି ପ୍ରମାଣିତ ଉତ୍ତର ନାହିଁ।

ହୋଗ୍ ଙ୍କ ଆକଳନ କେବଳ ଯୁଦ୍ଧ ଓ ମୃତ୍ୟୁରେ ସୀମିତ ନୁହେଁ। ତାଙ୍କ ମତରେ, ଯଦି ଏକ ବଡ଼ ବହୁଦେଶୀୟ ଯୁଦ୍ଧ ଆରମ୍ଭ ହୁଏ, ତେବେ ଏହାର ସବୁଠାରୁ ବଡ଼ ପ୍ରଭାବ ମଧ୍ୟପ୍ରାଚ୍ୟର ଶକ୍ତି ଓ ଇନ୍ଧନ କ୍ଷେତ୍ର ଉପରେ ପଡ଼ିପାରେ। ଏହି ଅଞ୍ଚଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ତୈଳ ପାଇପ୍ଲାଇନ୍, ଗ୍ୟାସ୍ ଉତ୍ପାଦନ କେନ୍ଦ୍ର ଏବଂ ଇନ୍ଧନ ପରିବହନ ବ୍ୟବସ୍ଥା ରହିଛି। ଯୁଦ୍ଧ ଯୋଗୁଁ ଏହି ଭିତ୍ତିଭୂମି ନଷ୍ଟ ହେଲେ ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ବ୍ୟାହତ ହୋଇପାରେ। ଏହାର ପ୍ରଭାବ କେବଳ ଯୁଦ୍ଧପ୍ରଭାବିତ ଦେଶଗୁଡ଼ିକରେ ସୀମିତ ରହିବ ନାହିଁ। ତାହା ସାରା ବିଶ୍ୱକୁ ଆତଯାତ କରିବ। ଦରବୃଦ୍ଧି, ଅଭାବ ଓ ଖାଦ୍ୟଭାବ ତୀବ୍ର ହେବ। ଏହି ସଙ୍କଟ 27 ବର୍ଷ ଯାଏଁ ରହିପାରେ।

 Also Read- Rule Change 1 Nov: ନଭେମ୍ବର ୧ରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ, ସାଧାରଣ ଲୋକଙ୍କ ଉପରେ ପଡ଼ିବ ପ୍ରଭାବ

ଜନ୍ ହୋଗ୍ ଙ୍କ ତୃତୀୟ ଆକଳନ ଆମେରିକାର ଅର୍ଥନୀତିକୁ ନେଇ। ତାଙ୍କ କହିବା ଅନୁସାରେ, ଆଗାମୀ ସମୟରେ ଆମେରିକା ଏକ ବଡ଼ ଅର୍ଥନୈତିକ ସଙ୍କଟର ସାମ୍ନା କରିପାରେ। ବିଶ୍ୱ ବଜାରରେ ତୈଳ ଯୋଗାଣ ବ୍ୟାହତ ହୁଏ, ତେବେ ଆମେରିକା ସମେତ ଅନେକ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଇବାର ଆଶଙ୍କା ରହିବ। ମୁଦ୍ରାସ୍ପିତୀ ବିରାଟ ସଙ୍କଟ ଭାବେ ଉଭା ହେବ। ହୋଗ୍ ଙ୍କ କହିବା ଅନୁସାରେ, ତାଙ୍କର ଏହି ଚେତାବନୀର ଉଦ୍ଦେଶ୍ୟ ଲୋକଙ୍କୁ ଭୟଭୀତ କରିବା ନୁହେଁ, ବରଂ ଯୁଦ୍ଧ ଓ ହିଂସା ବଦଳରେ ଶାନ୍ତିକୁ ବାଛିବା ପାଇଁ ସଚେତନ କରିବା।