ଭୁବନେଶ୍ଵର: ଆହୁରି ୫ ଦିନ ଜଳିବ ଓଡିଶା । ମିଳିବନି ଗରମରୁ ତ୍ରାହି। ପଶ୍ଚିମ ଓଡିଶା ରେ କିଛି କିଛି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ମଧ୍ୟ ଅସମ୍ଭାଳ ଗରମ ଅନୁଭବ ହେବ ବୋଲି ପାଣିପାଗ ବିଭାଗ କହିଛି । ତେବେ ୨୮ ରୁ ପାଗରେ ପରିବର୍ତ୍ତନ ଆସିବ ଓ ପାରଦ ସିବ ବୋଲି ପାଣିପାଗ ବିଭାଗ କହିଛି ।

କେବେ ମିଳିବ ଏ ଯନ୍ତ୍ରଣାରୁ ମୁକ୍ତି ?… କେବେ ଶୀତଳ ହେବ ଧରାପୃଷ୍ଠ ? … ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଥିବା ବେଳେ ତ୍ରାହା ତ୍ରାହି ଡାକୁଛନ୍ତି ଲୋକେ । ଗରମ ଏମିତି ଯେ ନା ଘରେ ରହି ହେଉଛି ନା ବାହାରକୁ ବାହାରି ହେଉଛି । ଦେହହାତ ଜଳିପୋଡ଼ି ଯାଉଛି । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିସ ହୋଇ ପଡ଼ୁଛି । କିଛି ଦିନ ହେଲା ଲାଗି ରହିଛି ଏମିତି ସ୍ଥିତି । ସେପଟେ ପାଣିପାଗ ବିଭାଗ କହିଛି ଆହୁରି ୫ ଦିନ ଧରି ଜଳିବ ଓଡ଼ିଶା । ତାତିରୁ ମିଳିବନି ନିସ୍ତାର ।

Also Read: ତାତିରୁ ମିଳିବ ଆଶ୍ୱସ୍ତି, ଆସୁଛି ମୌସୁମୀ ବର୍ଷା...

ଏସବୁ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି 

ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଥିବାରୁ ପ୍ରଚଣ୍ଡ ଗରମ ଅନୁଭବ ହେଉଛି। କାରଣ ଉତ୍ତର ପଶ୍ଚିମ ଅଞ୍ଚଳରେ ହିଟ ୱେଭ୍ ରହିଥିବାରୁ ତା ପ୍ରଭାବରେ ପଶ୍ଚିମ ଓଡିଶାରେ ପାରଦ ବଢି ଚାଲିଛି। ଝାରସୁଗୁଡ଼ା, ସମ୍ବଲପୁର ,ବଲାଙ୍ଗୀର ପାଇଁ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଏହି ଅଞ୍ଚଳରେ କିଛି କିଛି ସ୍ଥାନରେ ପ୍ରଚଣ୍ଡ ଗରମ ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି। କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରକୁ ଛାଡ଼ି ବାକି ୨୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୬ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ ବୋଲି କହିଛନ୍ତି ସୋଆ, ସି ଇ ସି ମୁଖ୍ୟ।

୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ

ରାଜଧାନୀରେ ଦିନ ୧୧ ଟା ସୁଦ୍ଧା ତାପମାତ୍ରା ୩୭.୨ ଥିବା ବେଳେ ଗୁଳୁଗୁଳି ପାଇଁ ତାତି ବା ହିଟ୍ ଇଣ୍ଡେକ୍ସ ୫୨ ଡିଗ୍ରୀ ସେଲସିଅସ୍ ଭଳି ଅନୁଭୁତ ହେଉଛି। ପାଣିପାଗ ବିଭାଗ କହିଛି ୨୮ ରୁ ପାଣିପାଗରେ ପରିବର୍ତ୍ତନ ହେବ। ପାରଦ ଖସିବ । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ୨୮ ଓ ୨୯ ରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି।

Also Read: ବିଶ୍ୱର ସମସ୍ତ ୫୦ ଉତ୍ତପ୍ତ ସହର, ସବୁ ଭାରତରେ: ଓଡ଼ିଶାର ବଲାଙ୍ଗୀର ଶୀର୍ଷରେ

ଏହାସହ ରାଜ୍ୟର ଅଳ୍ପ କିଛି ଅଞ୍ଚଳରେ ମଧ୍ୟ ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମେ ଶେଷ ଆଡ଼କୁ କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହେବାକୁ ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।