ପାଟନା: ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମୋକମା ବିଧାୟକ ଅନନ୍ତ କୁମାର ସିଂହଙ୍କ ଦଳର ପ୍ରାଥମିକ ସଦସ୍ୟତା ରଦ୍ଦ କରିଛି। ତାଙ୍କୁ ପରବର୍ତ୍ତି ୬ ବର୍ଷ ନିମନ୍ତେ ଜେଡିୟୁରୁ ନିଷ୍କାସିତ କରାଯାଇଛି। ଏହା ସହିତ ତାଙ୍କ ପତ୍ନୀ ତଥା ପୂର୍ବତନ ବିଧାୟକ ନିଲମ ଦେବୀଙ୍କୁ ମଧ୍ୟ ଏହି ଅବଧି ନିମନ୍ତେ ଦଳରୁ ବହିଷ୍କାର କରାଯାଇଛି। ଏ ନେଇ ଜେଡିୟୁ ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ ଅନନ୍ତ କୁମାର ସିଂହ ଲଗାତାର ପାର୍ଟି ନିର୍ଦ୍ଦେଶକୁ ଅଣଦେଖା କରି ଆସୁଥିଲେ। ଏହା ଛଡା ସେ ପାର୍ଟିର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାର ମଧ୍ୟ ଅଭିଯୋଗ ରହିଛି।

ସେହିପରି ନିକଟରେ ଶେଷ ହୋଇଥିବା ଏମଏଲସି ନିର୍ବାଚନରେ ସେ ପାର୍ଟିର ପ୍ରାର୍ଥୀଙ୍କ ବିରୋଧରେ କାମ କରିଥିଲେ। ପାର୍ଟି ସୂତ୍ର ଅନୁସାରେ ଅନନ୍ତ ସିଂହ ଏମଏଲସି ନିର୍ବାଚନରେ ପାର୍ଟି ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିଥିଲେ ଓ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ଏହାକୁ ତାଙ୍କର ଗୁରୁତର ଅନୁଶାସନହୀନତା କୁହାଯାଇଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଜେଡିୟୁ ଏହା ବି କହିଛି ଯେ ଅନନ୍ତ ସିଂହଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ସମ୍ବିଧାନର ୧୦ମ ଅନୁସୂଚୀ ଅନୁସାରେ ବାଚଷ୍ପତିଙ୍କୁ ନିବେଦନ କରାଯିବ।

ସେହିପରି ପୂର୍ବତନ ବିଧାୟିକା ନିଲମ ଦେବୀଙ୍କ ଉପରେ ମଧ୍ୟ ଦଳ ବିରୋଧୀ ଗତିବିଦ୍ଧି ଅଭିଯୋଗ ଅଣାଯାଇଛି। ଏଣୁ ତାଙ୍କୁ ମଧ୍ୟ ପାର୍ଟିରୁ ୬ ବର୍ଷ ନିମନ୍ତେ ବହିଷ୍କାର କରାଯାଇଛି। ନିକଟରେ ହୋଇଥିବା ବିହାର ଏମଏଲସି ନିର୍ବାଚନରେ ଅନନ୍ତ କୁମାର ସିଂହ ପାର୍ଟି ନୀତି ବିରୋଧରେ ଯାଇ ପ୍ରଶାନ୍ତ କିଶୋରଙ୍କ ପାର୍ଟି ଜନସୁରାଜ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ସେ ଜେଡିୟୁ ପ୍ରାର୍ଥୀ ନିରଜ କୁମାରଙ୍କୁ ଖୋଲାଖୋଲି ବିରୋଧ କରିଥିଲେ ଓ ଜନସୁରଜ ସପକ୍ଷରେ ପ୍ରଚାର କରିଥିଲେ।

ତେବେ ନିର୍ବାଚନ ପରେ ଜେଡିୟୁ ଜାତୀୟ ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିରଜ କୁମାରଙ୍କୁ ଭେଟିଥିଲେ। ଏହାକୁ ପାର୍ଟି ନେତୃତ୍ୱ ନିରଜଙ୍କ ସହ ଛିଡା ହୋଇଥିବାର ସଂକେତ ଭାବେ ଦେଖୁଛନ୍ତି। ଅନନ୍ତ ସିଂହ ଓ ତାଙ୍କ ପତ୍ନୀଙ୍କ ବିରୋଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରୁ ଏହା ସ୍ପଷ୍ଟ ହେଉଛି ଯେ ଜେଡିୟୁ ନେତୃତ୍ୱ ବିଶୃଙ୍ଖଳିତ ଆଚରଣ ବିରୋଧରେ ଛିଡା ହେବା ପାଇଁ କଠୋର ଆଭିମୁଖ୍ୟ ଆପଣେଇବାକୁ ମଧ୍ୟ ପ୍ରସ୍ତୁତ।