ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ଏହା କ୍ରମଶଃ ଘନୀଭୂତ ହୋଇ ଅତିଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶ ଉପକୂଳର ବିଶାଖାପାଟଣାମ ଓ ବାପଟଲା ମଧ୍ୟବର୍ତ୍ତୀ ଅଞ୍ଚଳରେ ଏହା ଅତିଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିପାରେ।

ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟ୍ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ପୂର୍ବ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ସମୟରେ ବାତ୍ୟାର ତୀବ୍ରତା ବୃଦ୍ଧି ପାଇବା ସମ୍ଭାବନା ରହିଛି।

ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ୨୮ ତାରିଖ ପୂର୍ବାହ୍ଣରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

Also Read: ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ, ଖୋଲାଗଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଦୁଇ ଗେଟ୍

ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ତୀବ୍ରତାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବା ଜରୁରୀ। ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଉଛି।