ଭୁବନେଶ୍ବର ୨୪।୧୦: ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ । ଶନିବାର ସକାଳେ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସୃଷ୍ଟି ହୋଇଛି । ସନ୍ଧ୍ୟା ସୁଦ୍ଧା ଅବପାତ, ରବିବାର ଗଭୀର ଅବପାତ ଏବଂ ୨୬ ତାରିଖରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୨୭ ତାରିଖ ବେଳକୁ ଏହା ଶକ୍ତିଶାଳୀ ବାତ୍ୟାର ରୂପ ନେବ । ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ।

ତେବେ ବିଭିନ୍ନ ପାଣିପାଗ ମଡେଲ୍ ବାତ୍ୟାର ଭିନ୍ନ ଭିନ୍ନ ରୂପ ଦେଖାଉଛନ୍ତି । ଏହା ୨୮ ସକାଳେ କିମ୍ବା ଦିନବେଳା ଆନ୍ଧ୍ର ଉପକୂଳରେ କାକିନାଡ଼ାରେ ମାଡ଼ ହେବା ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୪୦ କି.ମି. ଡେଇଁପାରେ ବୋଲି ୟୁରୋପୀୟ ପାଣିପାଗ ସଂସ୍ଥା ECMWF କହୁଛି । ଏହା ବିଶାଖାପାଟଣାର ଦକ୍ଷିଣରେ ମାଡ଼ ହେବା ନେଇ ୟୁରୋପିଆନ୍ ECMWF ଆକଳନ କରିଛି ।

ଆମେରିକୀୟ ପାଣିପାଗ ମଡେଲ୍ GFS ଏବଂ ଜର୍ମାନର ICON ମଡେଲ୍ ମଧ୍ୟ ବାତ୍ୟା ପୂର୍ବାନୁମାନ କରିଛି । ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍ ଏବଂ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆକଳନ ଅନୁସାରେ, ଏହି ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୮ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ ଓ କାକିନାଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବାର ୭୫% ରୁ ୯୪% ସମ୍ଭାବନା ରହିଛି ।

Also Read:- ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ, ଚାଷୀଙ୍କ ପାଇଁ ଆଡଭାଇଜରି ଜାରି

ସେପଟେ ଭାରତୀୟ ପାଣିପାଗ ବିଭାଗ ଏହାର ଗତିପଥ ଉତ୍ତର ଆନ୍ଧ୍ରରୁ ଦକ୍ଷିଣ ଓଡ଼ିଶା ମଧ୍ୟରେ ରହିବ ବୋଲି ଆକଳନ କରୁଛି । ଏହି ଗତିପଥ ଚୂଡ଼ାନ୍ତ ନୁହେଁ । ବାତ୍ୟାର ପ୍ରାରମ୍ଭିକ ଅବପାତ ସୃଷ୍ଟି ହେବା ପରେ ଏହାର ସଠିକ୍ ପଥ ଓ ସ୍ଥଳଭାଗ ଛୁଇଁବାର ସ୍ଥାନ ସ୍ପଷ୍ଟ ହେବ । ଯଦି ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଏଁ, ତେବେ ଓଡ଼ିଶା ଉପରେ ସିଧାସଳଖ ବାତ୍ୟା ମାଡ଼ର ଭୟ କମିଯିବ । ତଥାପି, ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଆଦି ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ପବନର ପ୍ରଭାବ ଦେଖିବାକୁ ମିଳିପାରେ ।

Watch Video: