ବାଲେଶ୍ୱର: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁ ଓରାଙ୍ଗଉଟାନ ଚାଲାଣ ଘଟଣାକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଯେଉଁମାନେ ମଧ୍ୟ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ସମସ୍ତ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି। ସେଠାକାର ଭେଟନାରୀ ଡାକ୍ତରମାନେ ନିୟମିତ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ସେମାନେ ଖାଉଛନ୍ତି, ଖେଳୁଛନ୍ତି ଏବଂ ଶୀଘ୍ର ସେମାନଙ୍କୁ କ୍ଷୀର ମଧ୍ୟ ଦିଆଯିବ।

ଏହି ଶିଶୁଗୁଡ଼ିକର ମାଆବାପା କିଏ ଏବଂ ସେମାନେ କେଉଁ ଦେଶ କିମ୍ବା ଜୁ'ରୁ ଆସିଛନ୍ତି, ତାହା ଜାଣିବା ପାଇଁ ଡିଏନ୍ଏ ପରୀକ୍ଷା କରାଯିବ। ରିପୋର୍ଟ ଆସିବା ପରେ ସେମାନଙ୍କ ପ୍ରକୃତ ସୋର୍ସ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହାର ତଦନ୍ତ କରାଯାଉଛି।

ଓଡ଼ିଶାର ପାଣିପାଗ ଏହି ପ୍ରଜାତିଙ୍କ ପାଇଁ ଉପଯୋଗୀ କି ନାହିଁ, ସେନେଇ ତଦାରଖ କରିବାକୁ 'ନେସନାଲ ଜୁ ଅଥରିଟି'କୁ ଚିଠି ଲେଖାଯାଇଛି। ସେମାନଙ୍କ ଏକ ଟିମ୍ ଆସି ଯାଞ୍ଚ କରିବା ପରେ ଏଠାରେ ସେମାନଙ୍କ ସ୍ଥାୟୀ ଅବସ୍ଥାନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏମାନେ ରହିଲେ ନନ୍ଦନକାନନର ଶୋଭା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

ଘଟଣାସ୍ଥଳକୁ ଏକ ଗାଡ଼ି ଆସି ମାତ୍ର ୧୫ ମିନିଟ୍ ରହି ଚାଲିଯାଇଥିବା ନେଇ ସାଧାରଣ ଲୋକଙ୍କୁ ପଚରାଉଚରା କରାଯାଉଛି ଏବଂ ଗ୍ରାମବାସୀଙ୍କ ସହାୟତା ମଧ୍ୟ ନିଆଯାଉଛି। ପୋଲିସ, ପ୍ରଶାସନ, ବନ ବିଭାଗ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (STF) ମିଳିତ ଭାବେ ତଦନ୍ତ ଚଳାଇଛନ୍ତି। ଏଥିସହ ପଶ୍ଚିମବଙ୍ଗ ପୋଲିସ ଓ ପ୍ରଶାସନର ସହଯୋଗ ମଧ୍ୟ ନିଆଯାଉଛି।

also read- ସୃଷ୍ଟି ହେଲା ଲଘୁଚାପ ! ଓଡ଼ିଶାରେ ବଢ଼ିଲା ବର୍ଷା ଭୟ, ମୟୂରଭଞ୍ଜକୁ ରେଡ୍ ଓ୍ୱାର୍ଣ୍ଣିଂ

ଭାରତ ସରକାର ଏବଂ ଓଡ଼ିଶା ସରକାର ମିଳିତ ଭାବେ ଏହି ରାକେଟ୍ ପଛର ସତ୍ୟାସତ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛନ୍ତି। ଆଗାମୀ ଦିନରେ ପ୍ରାଣୀ କଲ୍ୟାଣ ସମ୍ପର୍କିତ ଜାତୀୟ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।