ଇସଲାମାବାଦ: ଶୀତ ଋତୁ ପୂର୍ବରୁ ଦେଶରେ ଏଲ୍ପିଜି ଅଭାବ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନେଇ ଚିନ୍ତା ବଢ଼ୁଥିବା ବେଳେ ଇରାନ ସହ ଏକ ପ୍ରମୁଖ ସୀମା ପ୍ରବେଶପଥକୁ ପୁନଃ ଖୋଲିଛି ପାକିସ୍ତାନ। ଏହାଦ୍ୱାରା ସପ୍ତାହେ ଧରି ବନ୍ଦ ରହିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଓ ସୀମାପାର ପରିବହନ ପୁଣି ସ୍ୱାଭାବିକ ହେବା ଆଶା କରାଯାଉଛି।

ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶର ଗ୍ୱାଦର ଜିଲ୍ଲାରେ ଥିବା ଗାବ୍ଦ-ରିମଦାନ୍ ସୀମା ପ୍ରବେଶପଥରେ ଶନିବାରଠାରୁ ବାଣିଜ୍ୟ କାରବାର ପୁନର୍ବାର ଆରମ୍ଭ ହୋଇଛି। ‘ଡନ୍’ ଖବରକାଗଜର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୬ କିମ୍ବା ତା’ ପୂର୍ବରୁ ଜାରି ହୋଇଥିବା କନ୍ସାଇନ୍ମେଣ୍ଟ ନୋଟ୍ ଥିବା ବାଣିଜ୍ୟିକ ସାମଗ୍ରୀକୁ ସୀମା ପାର କରିବାକୁ ଅନୁମତି ଦିଆଯାଇଛି। ଏହି ସୀମାପଥ ‘ଗେଟ୍ ୨୫୦’ ନାମରେ ମଧ୍ୟ ପରିଚିତ।

ସୀମା ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଗ୍ୱାଦର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ମୀର ନଭିଦ୍ ଜାନ୍ କଲମତି । ତାଙ୍କ କହିବା ଅନୁଯାୟୀ, ପାକିସ୍ତାନ ଓ ଇରାନ ମଧ୍ୟରେ ଆମଦାନୀ ଓ ରପ୍ତାନି ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଏବଂ ଅନ୍ୟ ଯାନବାହନର ଚଳାଚଳକୁ ଅନୁମତି ମିଳିଛି।

ସୀମା ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରି କଲମତି କହିଛନ୍ତି ଯେ, ଏହାଦ୍ୱାରା ଉଭୟ ପାର୍ଶ୍ୱରେ ଅଟକି ରହିଥିବା ବ୍ୟବସାୟୀ ଓ ପରିବହନକାରୀଙ୍କୁ ତୁରନ୍ତ ଆଶ୍ୱସ୍ତି ମିଳିବ ଏବଂ ଯୋଗାଣ ବ୍ୟବସ୍ଥା ପୁନଃ ସ୍ୱାଭାବିକ ହେଲେ ପାକିସ୍ତାନରେ ଦେଖାଦେଇଥିବା ଏଲ୍ପିଜି ସଙ୍କଟ ହ୍ରାସ ପାଇବା ସହ ଶକ୍ତି ଓ ଖାଦ୍ୟ ସାମଗ୍ରୀର ବଢ଼ୁଥିବା ଦର ଉପରେ ମଧ୍ୟ ଚାପ କମିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନର ବାଣିଜ୍ୟ ମନ୍ତ୍ରଣାଳୟ ଅକ୍ଟୋବର ୧୭ରେ ଏହି ସୀମାପଥକୁ ବନ୍ଦ କରିବା ସହ ସୀମାପାର ଯାତାୟାତ ଓ ବାଣିଜ୍ୟ କାରବାର ଉପରେ ରୋକ୍ ଲଗାଇଥିଲା। ତେବେ ଏହି ନିଷ୍ପତ୍ତି ପଛରେ ଥିବା କାରଣ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନଥିଲା। ସୁରକ୍ଷାଜନିତ ଚିନ୍ତା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଥିଲା।

ସୀମା ବନ୍ଦ ହେବା ଫଳରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଶୀତ ଋତୁ ଆରମ୍ଭ ସହ ଏହି ଇନ୍ଧନର ଚାହିଦା ବଢ଼ୁଥିବାରୁ ପରିସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଥିଲା। ଏହାରି ମଧ୍ୟରେ ଗାବ୍ଦ-ରିମଦାନ୍ ସୀମା ନିକଟରେ ଅଟକି ରହିଥିବା ମାଲବାହୀ ଟ୍ରକ୍ଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା। ଗତ ଗୁରୁବାର ଅଜ୍ଞାତ ବନ୍ଧୁକଧାରୀମାନେ ଏହି ଟ୍ରକ୍ଗୁଡ଼ିକୁ ଟାର୍ଗେଟ୍ କରିଥିଲେ। ଏଥିରେ ଏକାଧିକ ଟ୍ରକ୍ ଜଳିଯାଇଥିବା ବେଳେ ଅନ୍ୟ କେତେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରାଯିବା ପରେ ଶନିବାର ସୀମା ଖୋଲିବା ନିଷ୍ପତ୍ତି ନିଆଯାଇଥିଲା। ବାଣିଜ୍ୟିକ ଯାନବାହନ ଓ ସାମଗ୍ରୀର ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ସୁରକ୍ଷାବଳ ମଧ୍ୟ ମୁତୟନ କରାଯାଇଛି।

ଏହି ସୀମା ଖୋଲିବା ପୂର୍ବରୁ ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ୍ ଆସିମ୍ ମୁନିର୍ ଚଳିତ ସପ୍ତାହର ଆରମ୍ଭରେ ଇରାନ ଗସ୍ତ କରିଥିଲେ। ସେଠାରେ ସେ ଇରାନର ନେତୃତ୍ୱ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଗସ୍ତ ଓ ସୀମା ଖୋଲିବା ମଧ୍ୟରେ ସମ୍ପର୍କ ଥିବା ନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନଥିଲେ ମଧ୍ୟ ଏହି ଘଟଣାକ୍ରମ ଗୁରୁତ୍ୱ ବହନ କରୁଛି।

also read -  ପାକିସ୍ତାନରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୭୦୦୦ ଟଙ୍କା ! LPG ବଦଳରେ ଏବେ କାଠଚୂଲି ଭରସା

ପାକିସ୍ତାନ ଓ ଇରାନ ମଧ୍ୟରେ ପ୍ରାୟ ୯୦୯ କିଲୋମିଟର ଲମ୍ବା ସୀମା ରହିଛି। ଏହା ଇରାନର ସିସ୍ତାନ୍ ଓ ବାଲୁଚିସ୍ତାନ୍ ପ୍ରଦେଶକୁ ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶଠାରୁ ପୃଥକ୍ କରିଛି। ଏହି ସୀମାପଥଗୁଡ଼ିକ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ସାମଗ୍ରୀ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ।

ସୀମା ଖୋଲିବା ପରେ ବାଣିଜ୍ୟ କାରବାର ସ୍ୱାଭାବିକ ହେବା ସହ ଅଟକି ରହିଥିବା ସାମଗ୍ରୀର ପରିବହନ ତ୍ୱରାନ୍ୱିତ ହେବା ଆଶା କରାଯାଉଛି। ତେବେ ଏହା ଏଲ୍ପିଜି ଅଭାବ ଓ ଦରବୃଦ୍ଧିକୁ କେତେ ଶୀଘ୍ର ନିୟନ୍ତ୍ରଣ କରିପାରିବ, ତାହା ଆଗାମୀ ଦିନର ଯୋଗାଣ ସ୍ଥିତି ଉପରେ ନିର୍ଭର କରିବ।