ଭଦୋଦରା: ବ୍ୟାଟିଂରେ ହରମନପ୍ରୀତ କୌର ଏବଂ ଦୀପ୍ତି ଶର୍ମାଙ୍କ ଐତିହାସିକ ଶତକୀୟ ଇନିଂସ ପରେ ବୋଲିଂରେ ବୈଷ୍ଣବୀ ଶର୍ମାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଜିମ୍ୱାୱେକୁ ୧୨୧ ରନରେ ହରାଇଲା ଭାରତ।

ଜିମ୍ୱାୱେ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ଭଦୋଦରାର ବିସିଏ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୩୨୮ ରନ୍ କରିଥିଲା। ଜବାବରେ ଜିମ୍ୱାୱେ ୪୮.୫ ଓଭର ଖେଳି ମାତ୍ର ୨୦୭ ରନ୍ କରି ଅଲ୍ ଆଉଟ ହୋଇଯାଇଛି।

୩୨୯ ରନର ବିଶାଳ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଜିମ୍ୱାୱେ ମହିଳା ଦଳ ଭାରତର ଘାତ ବୋଲିଂ ଆଗରେ ତିଷ୍ଟି ପାରି ନଥିଲା। ତେବେ ୮.୧ ଓଭରରେ ଦଳୀୟ ସ୍କୋର ୩୮ ହୋଇଥିବା ବେଳେ ଜିମ୍ୱାବେ ପ୍ରଥମ ୱିକେଟ୍ ହରାଇଥିଲା। ଓପନର ଲୋରିନ୍ ଫିରି ୨୩ ବଲ୍ ଖେଳି ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ସମୟ ସମୟରେ ଦଳର ୱିକେଟ୍ ଯାଇଥିଲା।

ଜିମ୍ୱାୱେ ପକ୍ଷରୁ ୱିକେଟ କିପର ମୋଡେଷ୍ଟର ମୁପାଚିକ୍ୱା ସର୍ବାଧିକ ୪୯ ରନ (୭୦ ବଲ, ୯ ଚୌକା) କରିଥିବା ବେଳେ ଚିପୋ ମୁଗେରି-ତିରିପାନୋ ୫୭ ବଲରୁ ୪୬ ରନ କରିଥିଲେ। ସେହିପରି ବିଲଭ୍ଡ ବିଜା ୩୪ ଏବଂ ଅଧିନାୟିକା ଜୋସେଫାଇନ ଙ୍କୋମୋ ମାତ୍ର ୨୦ ରନ କରି ଆଉଟ ହୋଇଥିଲେ। ଏହାପରେ କୌଣସି ବ୍ୟାଟର ବଡ଼ ସ୍କୋର କରିପାରି ନଥିଲେ।

ବୈଷ୍ଣବୀ ଶର୍ମାଙ୍କ କମାଲ

ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ବୋଲିଂରେ ବି ଜିମ୍ୱାୱେକୁ ଘାଇଲା କରିଥିଲା ଭାରତୀୟ ମହିଳା ଦଳ। ଭାରତ ପକ୍ଷରୁ ବୈଷ୍ଣବୀ ଶର୍ମା ସବୁଠାରୁ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ସେ ୪ ୱିକେଟ୍ ହାସଲ କରିଥିଲେ। ସେ ମୋଡେଷ୍ଟର ମୁପାଚିକୱା, ବିଲଭ୍ଡ ବିଜା, ଜୋସେଫାଇନ୍ ଙ୍କୋମୋ ଏବଂ ମିଶେଲ ମାଭୁଙ୍ଗାଙ୍କୁ ଆଉଟ୍ କରିଥିଲେ।

ଆଜି ବ୍ୟାଟିଂରେ ଶତକୀୟ ଇନିଂସ ଖେଳି ରେକର୍ଡ କରିଥିବା ଦୀପ୍ତି ଶର୍ମା ବୋଲିଂରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ନିମ୍ନ କ୍ରମରେ ୩ ବ୍ୟାଟରଙ୍କୁ ଆଉଟ୍ କରି ମ୍ୟାଚ୍ ଉପରେ ପୂରା କବ୍ଜା ଜମାଇଥିଲେ।

ଭାରତର ବ୍ୟାଟିଂ

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଦଳର ଆରମ୍ଭ ଖୁବ ଦୁର୍ବଳ ରହିଥିଲା। ଦଳ ପ୍ରଥମ ଓଭରରେ ହିଂ କ୍ୟାପ୍ଟେନ୍ ସ୍ମୃତି ମନ୍ଧାନଙ୍କ ୱିକେଟ ହରାଇଥିଲା। ସେହିପରି ଶେଫଳା ବର୍ମା(୯) ରନ୍ କରି ପାଭିଲିଅନ ଫେରିଯାଇଥିଲେ। 

ଶେଫାଳୀ ଆଉଟ ହେବା ପରେ ପରବର୍ତ୍ତୀ ଖେଳାଳି ଭାବେ ଆସିଥିଲେ ହରମନପ୍ରୀତ କୌର। ଆଜି ବି ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ଜବରଦସ୍ତ ବ୍ୟାଟିଂ। ସେ ୧୦୧ ବଲ ଖେଳି ତାଙ୍କର ଶତକ ପୂରଣ କରିବା ସହ ପ୍ରତୀକା ରାୱଲଙ୍କ ସହିତ ତୃତୀୟ ୱିକେଟ ପାଇଁ ୧୨୪ ରନର ପାର୍ଟନର୍ସିପ କରିଥିଲେ।

ଆଜିର ମ୍ୟାଚରେ ପ୍ରତିକା ୬୭ ବଲ୍ ଖେଳି ୬୧ ରନର ଯୋଗଦାନ ଦେଇଥିଲେ। ଏହାପରେ ନ୍ୟାଶା ଗ୍ୱାଞ୍ଜୁରାଙ୍କ ବୋଲିଂର ଶିକାର ହୋଇଥିଲେ। ଏହାପରେ ତେଜଲ ହସବନିସ(୩) ୱିକେଟ୍ ବି ସହଜରେ ହରାଇଥିଲା ଦଳ। ଏହାପରେ ଆସିଥିବା ଦୀପ୍ତି ଶର୍ମା ହରମନପ୍ରୀତଙ୍କ ସହ ମିଶି ଜବରଦସ୍ତ ବ୍ୟାଟିଂ କରି ପୂରା ଖେଳ ଦିଗ ବଦଳାଇ ଦେଲେ।

ଦୀପ୍ତି ଶର୍ମା ଆଜି ମାତ୍ର ୮୩ ବଲରେ ଶତକ ହାସଲ କରିଥିଲେ। ସେ ତାଙ୍କ ଇନିଂସରେ ୮୬ ବଲ୍ ଖେଳି ମୋଟ ୧୦୬ ରନ୍ କରିଥିବା ବେଳେ ୧୫ଟି ଚୌକା ମାରିଥିଲେ। ସେହିପରି ହରମନପ୍ରୀତ କୌର ୧୨୧ ବଲ୍ ଖେଳି ୧୨୬ ରନ୍ କରିଥିବା ବେଳେ ୧୫ଟି ଚୌକା ମାରିଥିଲେ। ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କକ ବି ସ୍କୋର କରିପାରି ନଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୨୮ ରନ୍ କରିପାରିଥିଲା।