ଭଦଦୋରା: ହରମନପ୍ରୀତ କୌର ଓ ଦୀପ୍ତି ଶର୍ମାଙ୍କ ଦମଦାର ରେକର୍ଡ ବ୍ରେକିଂ ଶତକୀୟ ଇନିଂସ ବଳରେ ଜିମ୍ବାୱେ ଆଗରେ ୩୨୮ ରନ୍ର ବିଶାଳ ସ୍କୋର ଛିଡ଼ା କଲା ଭାରତୀୟ ମହିଳା ଦଳ। ରବିବାର ଭାରତ ଓ ଜିମ୍ବାୱେ ମହିଳା ଦଳ ମଧ୍ୟରେ ଭଦୋଦରା କୋଟାମ୍ବିର ବିସିଏ ଷ୍ଟାଡିୟମରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଭାରତୀୟ ମହିଳା ଦଳ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ୩୨୮ ରନ୍ କରିଛି। ଦଳ ପକ୍ଷରୁ ହରମନପ୍ରୀତ କୌର ସର୍ବାଧିକ ୧୨୬ ରନ୍ କରିଥିବା ବେଳେ ଦୀପ୍ତି ଶର୍ମା ୧୦୬ର କରିଛନ୍ତି। ସେପଟେ ଜିମ୍ବାୱେ ମହିଳା ଦଲ ପକ୍ଷରୁ ନଭେଲୋ ଶିବାଣ୍ଡା ସର୍ବାଧିକ ୨ଟି ୱିକେଟ୍ ନେଇଛନ୍ତି।

ଭାରତର ବ୍ୟାଟିଂ

ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ୍ ଦିତି ୧-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚରେ ବଡ଼ ସ୍କୋର କରି ସିରିଜ ହାତେବାକୁ ଚେଷ୍ଟା କରିବ। ଆଜିର ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ପ୍ରଥମ ଓଭରରୁ ହିଁ ଦଳକୁ ଶକ୍ତା ଝଟ୍‌କା ଲାଗିଥିଲା। ପ୍ରଥମ ଓଭରର ୪ତମ ବଲ୍‌ରେ କ୍ୟାପ୍ଟେନ୍ ସ୍ମୃତି ମନ୍ଧାନା ମାତ୍ର ବିନା ଖାତା ଖୋଲି ନୋମଭେଲୋ ସିବାଣ୍ଡାଙ୍କ ଶିକାର ହୋଇଥିଲେ। ଏହାପରେ ତୃତୀୟ ୱିକେଟ ପାଇଁ ବ୍ୟାଟିଂ କରିବାକୁ ଆସିଥିବା ଶେଫାଳୀ ବର୍ମା ମଧ୍ୟ ମାତ୍ର ୮ ରନ୍ କରି ପାଭିଲିଅନ ଫେରିଥିଲେ। ହେଲେ ଗୋଟିଏ ପଟେ ପ୍ରତିକା ରାୱଲ କିନ୍ତୁ ବଡ଼ ବୁଝାମଣାର ସହ ଖେଳ ଜାରି ରଖିଥିଲେ।

ଶେଫାଳୀ ଆଉଟ ହେବା ପରେ ପରବର୍ତ୍ତୀ ଖେଳାଳି ଭାବେ ଆସିଥିଲେ ହରମନପ୍ରୀତ କୌର। ଆଜି ବି ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ଜବରଦସ୍ତ ବ୍ୟାଟିଂ। ସେ ୧୦୧ ବଲ ଖେଳି ତାଙ୍କର ଶତକ ପୂରଣ କରିବା ସହ ପ୍ରତୀକା ରାୱଲଙ୍କ ସହିତ ତୃତୀୟ ୱିକେଟ ପାଇଁ ୧୨୪ ରନର ପାର୍ଟନର୍ସିପ କରିଥିଲେ।

ଆଜିର ମ୍ୟାଚରେ ପ୍ରତିକା ୬୭ ବଲ୍ ଖେଳି ୬୧ ରନର ଯୋଗଦାନ ଦେଇଥିଲେ। ଏହାପରେ ନ୍ୟାଶା ଗ୍ୱାଞ୍ଜୁରାଙ୍କ ବୋଲିଂର ଶିକାର ହୋଇଥିଲେ। ଏହାପରେ ତେଜଲ ହସବନିସ(୩) ୱିକେଟ୍ ବି ସହଜରେ ହରାଇଥିଲା ଦଳ। ଏହାପରେ ଆସିଥିବା ଦୀପ୍ତି ଶର୍ମା ହରମନପ୍ରୀତଙ୍କ ସହ ମିଶି ଜବରଦସ୍ତ ବ୍ୟାଟିଂ କରି ପୂରା ଖେଳ ଦିଗ ବଦଳାଇ ଦେଲେ।

ଦୀପ୍ତି ଶର୍ମା ଆଜି ମାତ୍ର ୮୩ ବଲରେ ଶତକ ହାସଲ କରିଥିଲେ। ସେ ତାଙ୍କ ଇନିଂସରେ ୮୬ ବଲ୍ ଖେଳି ମୋଟ ୧୦୬ ରନ୍ କରିଥିବା ବେଳେ ୧୫ଟି ଚୌକା ମାରିଥିଲେ। ସେହିପରି ହରମନପ୍ରୀତ କୌର ୧୨୧ ବଲ୍ ଖେଳି ୧୨୬ ରନ୍ କରିଥିବା ବେଳେ ୧୫ଟି ଚୌକା ମାରିଥିଲେ। ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କକ ବି ସ୍କୋର କରିପାରି ନଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୩୨୮ ରନ୍ କରିଛି। ଜିମ୍ବାୱେକୁ ମ୍ୟାଚ୍ ଜିତିବାକୁ ହେଲେ ୩୨୯ ରନ୍ କରିବାକୁ ହେବ।

ସେପଟେ ଆରମ୍ଭରୁ ଘାତକ ବୋଲିଂ କରି ଭାରତୀୟ ଦଳ ଉପରେ ଚାପ ପକାଇ ଆସୁଥିବା ଜିମ୍ୱାୱେ କିନ୍ତୁ ଭାରତକୁ ବଡ଼ ସ୍କୋର ଛିଡ଼ା କରିବାରେ ରୋକିପାରି ନଥିଲା। ତଥାପି ଦଳ ପକ୍ଷରୁ ନୋମଭେଲୋ ସିବାଣ୍ଡା ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ତେଣ୍ଡାଇ ମାକୁଶା, ମିଶେଲ୍ ମାଭୁଙ୍ଗା, ନ୍ୟାସା ଗ୍ୱାନଜୁରା, ଓଲିଆଣ୍ଡର ଚାରେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।