ନୂଆଦିଲ୍ଲୀ, ୨୫/୧୦ : ଚାଲିଥିଲା ଲାଇଭ୍ ରିପୋର୍ଟିଂ । ମାଡ଼ି ଆସିଲା ଲହଡି଼ । ସାମ୍ବାଦିକ ଏବଂ କ୍ୟାମେରାମ୍ୟାନଙ୍କୁ ଟାଣିନେଲା । ଏମିତି କିଛି ଘଟଣା ଏବେ ଖୁବ୍ ଚର୍ଚ୍ଚାରେ । ଯାହାର ଭିଡିଓ ଏବଂ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଲାଇଭ୍ ରିପୋର୍ଟିଂ ବେଳେ ଅନେକ ସମୟରେ ସାମ୍ବାଦିକମାନେ ଭିନ୍ନ ପରିସ୍ଥିତିର ସାମ୍ନା କରିଥାନ୍ତି । ଯାହା ସେମାନେ ନିଜେ ମଧ୍ୟ ଜାଣିନଥାନ୍ତି । କେତେବେଳେ କଣ ଘଟିବ କହିହୁଏନି । ଏମିତି ଏକ ମାମଲା ସ୍ପେନରୁ ଆସିଛି । ଏଠାରେ ସମୁଦ୍ର କୂଳରେ ରିପୋର୍ଟିଂ କରୁଥିବା ସମୟରେ ହଠାତ ଏକ ବଡ ଲହଡି ଆସି ଯାଇଥିଲା । ଏହି ସମୟରେ ସାମ୍ବାଦିକଜଣଙ୍କ ସମୁଦ୍ରର ଉଚ୍ଚ ଲହଡି ବାବଦରେ ରିପୋର୍ଟିଂ କରୁଥିଲେ । ତେବେ ଠିକ୍ ସେତିକି ବେଳେ ଏତେ ବଡ଼ ଲହଡି ଆସିଥିଲା ଯେ ନିଜେ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ୍ ତଳେ ପଡି କିଛି ମିଟର ଭାସି ଯାଇଥିଲେ ।

ରିପୋର୍ଟ ଅନୁସାରେ, ସ୍ପେନର ବାସ୍କ ଅଞ୍ଚଳର ଓନଡାରୋଆ ସହରରେ ଏହି ଘଟଣା ଘଟିଛି । ଏଠାରେ ସାମ୍ବାଦିକ ସର୍ଜିୟୋ ଓଭେଖେରୋ ଏକ ଟିଭି କାର୍ଯ୍ୟକ୍ରମ ପାଇଁ ସମୁଦ୍ର କୂଳରେ ଲାଇଭ୍ ରିପୋର୍ଟିଂ କରୁଥିଲେ । ସମୁଦ୍ରରେ ବଡ଼ ଲହଡି ଆସୁଥିବା ସେ କହୁଥିଲେ । ଏହାସହ ସାବଧାନ ରହିବା ଜରୁରୀ ବୋଲି ସେ ସୂଚନା ଦେଉଥିଲେ । ଏତିକିବେଳେ ସମୁଦ୍ରରୁ ଏକ ବଡ଼ ଲହଡି ସୁରକ୍ଷା ପାଚେରୀ ଅତିକ୍ରମ କରି ସର୍ଜିଓଙ୍କ ପାଖରେ ପହଁଚି ଯାଇଥିଲା । ଏହା ଏତେ ଶକ୍ତିଶାଳୀ ଥିଲା ଯେ ସାମ୍ବାଦିକ ଏବଂ କ୍ୟାମେରାମ୍ୟାନ୍ ନିଜକୁ ସମ୍ଭାଳି ପାରିନଥିଲେ ଏବଂ ପଡିଯାଇଥିଲେ ।

ଘଟଣା ପରେ ଟିଭି କାର୍ଯ୍ୟକ୍ରମ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ଷ୍ଟୁଡିଓରେ ଥିବା ଆଙ୍କର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ସହଯୋଗୀ ସୁରକ୍ଷିତ ଅଛନ୍ତି ନା ନାହିଁ ସେନେଇ ଅପେକ୍ଷା କରିଥିଲେ । ପରେ ଟିଭି ପକ୍ଷରୁ ଦୁଇ ଜଣ ସୁରକ୍ଷିତ ଥିବା କୁହାଯାଇଥିଲା । ଏପରିକି ସେମାନଙ୍କୁ କୌଣସି ଗୁରୁତର ଆଘାତ ମଧ୍ୟ ଲାଗି ନାହିଁ । ଏସବୁରୁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Also Read :- ଆରଟିଆଇ ପରିସରରେ ଆସୁନାହିଁ : SIR ସଫ୍ଟଓ୍ୱେର ଉପରେ ତଥ୍ୟ ଦେବାକୁ ମନା କଲେ ନିର୍ବାଚନ କମିଶନ

ଘଟଣାକୁ ନେଇ ସୋସିଆଲ ମିଡିଆରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ୟୁଜର ସାମ୍ବାଦିକ ଏବଂ କ୍ୟାମେରାମ୍ୟାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆଉ କେହି ଏପରି ରିପୋର୍ଟିଂ କରିବା ବିପଜ୍ଜନକ ବୋଲି କହୁଛନ୍ତି ।