ନାଇରୋବୀ: କେନ୍ୟା ମୁଖ୍ୟ ଜାତୀୟ ରାଜମାର୍ଗରେ ରବିବାର ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ଲାଗିଛି। ଫଳରେ ୨୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ପୋଲିସ ଅନୁସାରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଏଣୁ ମାକୁଏନୀ କାଉଣ୍ଟି କମିଶନର ଅବଦୁଲ୍ଲାହୀ ଖଲିଫ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବସ୍ ରେ ଆସୁଥିବା ଯାତ୍ରୀମାନେ ଏକ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ରାଜଧାନୀ ନାଇରୋବୀର ଉପକୂଳ ସହର ମୋମ୍ବାସାକୁ ସଂଯୁକ୍ତ କରୁଥିବା ଏହି ମୁଖ୍ୟ ରାଜମାର୍ଗରେ ହୋଇଥିବା ଦୁର୍ଘଟଣାର କାରଣ ଜଣାପଡି ନାହିଁ। ତେବେ କେନ୍ୟାରେ ପ୍ରାୟତଃ ଦ୍ରୁତ ବେଗ ଓ ଖରାପ ସଡ଼କ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ବୋଲି କୁହାଯାଉଛି।

ଆଜିର ଦୁର୍ଘଟଣା ଠିକ୍ ସେହି ସ୍ଥାନରେ ଘଟିଛି ଯେଉଁଠି ୩ ସପ୍ତାହ ପୂର୍ବରୁ ଆଉ ଗୋଟିଏ ଦୁର୍ଘଟଣା ଘଟିଥିଲା ଓ ସେଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। କେନ୍ୟା ଜାତୀୟ ପରିବହନ ଓ ସୁରକ୍ଷା ପ୍ରାଧିକରଣ କହିଛନ୍ତି ଯେ ଜାତୀୟ ରାଜମାର୍ଗର ସେହି ସ୍ଥାନଟି ପୂର୍ବରୁ ଚିହ୍ନଟ ଆକ୍ସିଡେଣ୍ଟ ବ୍ଲାକ୍ ସ୍ପଟ ଅଟେ। ଏଠାରେ ସୁରକ୍ଷା ସୁଧାର ନିମନ୍ତେ ପୂର୍ବରୁ ଅନେକ ସୁପାରିଶ ହୋଇଛି। ତେବେ ପ୍ରଶାସନିକ ସ୍ଥାଣୁତା ଯୋଗୁ ପରିବହନ ସୁରକ୍ଷା ପ୍ରାଧିକରଣ ସେହି ସ୍ଥାନର କୌଣସି ସୁଧାର କରି ପାରିନାହାନ୍ତି।