ବେଜିଂ : ଗୋଟିଏ ପଟେ ଚୀନ୍ ଗସ୍ତ, ଅନ୍ୟପଟେ ସୀମାରେ ନୂଆ ବ୍ରିଜ୍ର ଉଦ୍ଘାଟନ। କିମ୍ ଜୋଙ୍ଗ୍ ଉନ୍ଙ୍କ ଏହି ଦୁଇଟି ପଦକ୍ଷେପକୁ ନେଇ ଏବେ ଅନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚା। ବେଜିଂ ଓ ମସ୍କୋ ସହ ସମ୍ପର୍କ ମଜବୁତ କରି ଆମେରିକା ଉପରେ ଚାପ ସୃଷ୍ଟି କରିବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ଉତ୍ତର କୋରିଆର ଏହି ଶାସକ। କିମଙ୍କ ଚୀନ ଗସ୍ତ ଓ ବ୍ରିଜ୍ର ଉଦ୍ଘାଟନ ପଛରେ ରହିଛି କି ବଡ଼ ଭୂ-ରାଜନୈତିକ ଚାଲ ? ଏହା କ’ଣ ଆମେରିକା ବିରୋଧରେ ଏକ ନୂଆ ମେଣ୍ଟର ସଙ୍କେତ, ନା ନିଜର ସାମରିକ ଓ ଆର୍ଥିକ ସ୍ଥିତିକୁ ମଜବୁତ କରିବାର ରଣନୀତି?

ସୂଚନା ଥାଉ କି , ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ଶନିବାର ଦିନ ଚୀନ୍ ଗସ୍ତ କରିଛନ୍ତି । ଏହା ମଧ୍ୟରେ ସେ ଦୁଇ ଦେଶକୁ ସଂଯୋଗ କରୁଥିବା ଏକ ନୂତନ ସେତୁର ଉଦଘାଟନ କରିଛନ୍ତି ଏବଂ ଚୀନ୍ ସହିତ ସହଯୋଗ ବିସ୍ତାର କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ୨୦୨୫ ସେପ୍ଟେମ୍ବରରେ ବେଜିଂ ଗସ୍ତ ପରେ କିମ୍ଙ୍କ ଏହା ପ୍ରଥମ ଚୀନ୍ ଗସ୍ତ। ଏହି ଗସ୍ତକୁ ଆମେରିକା ବିପରୀତରେ ଚୀନ୍ ଏବଂ ରୁଷ ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ ଉତ୍ତର କୋରିଆର କୂଟନୈତିକ ଚାଲର ଏକ ଅଂଶ ଭାବରେ ଦେଖାଯାଉଛି। ଚୀନ୍ ସୀମାରେ ନୂଆ ବ୍ରିଜର ନିର୍ମାଣ କରି ଆମେରିକାକୁ ଚାରିପଟୁ ଘେରିବାକୁ ମାଷ୍ଟରପ୍ଲାନ୍ ଚଳାଇଛନ୍ତି କିମ ।

କିମ୍ ନୂତନ ସେତୁ ଦେଇ ଚୀନ୍ ସୀମାନ୍ତ ସହର ଡାଣ୍ଡୋଙ୍ଗ୍ ଯାତ୍ରା କରିଥିଲେ। ସେଠାରେ କିମ୍ କୋରିଆ ଯୁଦ୍ଧ ସମୟରେ ଉତ୍ତର କୋରିଆକୁ ସାହାଯ୍ୟ କରିଥିବା ଚୀନ୍ ସୈନିକଙ୍କ ପାଇଁ ଉତ୍ସର୍ଗୀକୃତ ଏକ ସ୍ମାରକୀ ପରିଦର୍ଶନ କରିଥିଲେ। ସେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ କମିଟିର ସଦସ୍ୟ ୱାଙ୍ଗ ହୁନିଙ୍ଗଙ୍କୁ ଭେଟିଥିଲେ। କିମ୍ କହିଥିଲେ ଯେ ଉତ୍ତର କୋରିଆ ଚୀନ୍ ସହିତ ବନ୍ଧୁତା ଜାରି ରଖିବ। ୱାଙ୍ଗ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଶୁଭେଚ୍ଛା ଜଣାଇ କହିଥିଲେ ଯେ ସ୍ମାରକୀ ପରିଦର୍ଶନ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତା'ପରେ ଦୁଇ ନେତା ଏକ କାର୍ କାରଖାନା ପରିଦର୍ଶନ କରିଥିଲେ। ୱାଙ୍ଗ ମଧ୍ୟ କିମ୍ଙ୍କୁ ନୂତନ ସେତୁ ପର୍ଯ୍ୟନ୍ତ ନେଇଯାଇଥିଲେ।

ଏହି ଗସ୍ତର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଚୀନ୍-ଉତ୍ତର କୋରିଆକୁ ଯୋଡ଼ୁଥିବା ନୂଆ ଯାଲୁ ନଦୀ ବ୍ରିଜ୍। ପ୍ରାୟ ୩ କିଲୋମିଟର ଲମ୍ବ ଏହି ଚାରି ଲେନ୍ ବିଶିଷ୍ଟ ବ୍ରିଜ୍ ଦୁଇ ଦେଶ ମଧ୍ୟରେ ଯାତାୟାତ ଓ ବାଣିଜ୍ୟକୁ ସହଜ କରିବ। ୨୦୧୪ରେ ଏହାର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ସୀମାର ଅନ୍ୟପଟେ ସଂଯୋଗକାରୀ ରାସ୍ତା ଓ ଶୁଳ୍କ ବ୍ୟବସ୍ଥା ପ୍ରସ୍ତୁତ ନ ଥିବାରୁ ଏହା ଦୀର୍ଘ ସମୟ ଧରି ବ୍ୟବହାର ହୋଇପାରି ନ ଥିଲା। ଏବେ ଏହା ଖୋଲିବା ପରେ ଭାରୀ ଟ୍ରକ୍, କଣ୍ଟେନର ଓ ଅନ୍ୟାନ୍ୟ ସାମଗ୍ରୀର ପରିବହନ ବଢ଼ିବା ଆଶା କରାଯାଉଛି। ଉତ୍ତର କୋରିଆ ପାଇଁ ଚୀନ୍ ହେଉଛି ଏକ ପ୍ରମୁଖ ବାଣିଜ୍ୟିକ ସହଯୋଗୀ ଓ ଅର୍ଥନୈତିକ ସମର୍ଥକ। ତେଣୁ ଏହି ବ୍ରିଜ୍ କେବଳ ଦୁଇ ଦେଶକୁ ଯୋଡ଼ୁନାହିଁ, ବରଂ ଅର୍ଥନୈତିକ ସମ୍ପର୍କକୁ ଆହୁରି ଗଭୀର କରିବାର ଏକ ମାଧ୍ୟମ ଭାବେ ଦେଖାଯାଉଛି।