ନୂଆଦିଲ୍ଲୀ: ରବିବାର ଭଦୋଦରାର ବିସିଏ ଷ୍ଟାଡିୟମରେ ଖେଳାଯାଉଥିବା ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଦୀପ୍ତି ଶର୍ମା ଜବରଦସ୍ତ ବ୍ୟାଟିଂ କରି ରେକର୍ଡ କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବରେ ସେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଶତକ ହାସଲ। ପୂର୍ବରୁ କୌଣସି ଭାରତୀୟ ବ୍ୟାଟର ୬ ନମ୍ବର କିମ୍ବା ତଳକୁ ବ୍ୟାଟିଂ କରିବାକୁ ଆସି ଶତକ ହାସଲ କରି ନଥିଲେ।

ଏପରି କରିବାରେ ଦିପ୍ତୀ ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ଏହା ପୂର୍ବରୁ ୨୦୨୫ରେ ରିଚା ଘୋଷ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସି ୯୪ ରନ୍ କରିଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ସ୍କୋର କରିଥିଲେ।

ଆଜିର ଶତକୀୟ ଇନିଂସ ଖେଳି ଆଉ ସଫଳତା ପାଇଛନ୍ତି ଦୀପ୍ତି। ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଦ୍ରୁତ ଶତକ ହାସଲକାରୀ ବ୍ୟାଟରଙ୍କ ତାଲିକାରେ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ହରମନପ୍ରୀତଙ୍କ ପରେ ଦୀପ୍ତିଙ୍କ ନାଁ ଲିଷ୍ଟରେ ସାମିଲ୍ ହୋଇଛି। ହରମନପ୍ରୀତ ଗତବର୍ଷ ୮୨ ବଲରେ ଶତକ ହାସଲ କରିଥିଲେ। ଏବେ ଦୀପ୍ତି ୮୩ ବଲରେ ଶତକ କରିଛନ୍ତି। ତେବେ ଏହି ତାଲିକାରେ ସୃତି ମନ୍ଧାନଙ୍କ ନାଁ ଟପରେ ରହିଛି।

ନଜର ପକାନ୍ତୁ ଦିନିକିଆରେ ଦ୍ରୁତ ଶତକ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକା ଉପରେ

୫୦ ବଲ୍- ସ୍ମୃତି ମନ୍ଧାନା ବନାମ ଅଷ୍ଟ୍ରେଲିଆ, ଦିଲ୍ଲୀ ୨୦୨୫
୭୦ ବଲ- ସ୍ମୃତି ମନ୍ଧାନା ବନାମ ଆୟର୍ଲାଣ୍ଡ, ରାଜକୋଟ, ୨୦୨୫
୭୭ ବଲ- ସ୍ମୃତି ମନ୍ଧାନା ବନାମ ଅଷ୍ଟ୍ରେଲିଆ, ମଲାନପୁର, ୨୦୨୫
୮୨ ବଲ- ହରମାନପ୍ରୀତ କୌର ବନାମ ଇଂଲଣ୍ଡ, ଚେଷ୍ଟର-ଲେ-ଷ୍ଟ୍ରିଟ୍, ୨୦୨୫
୮୩ ବଲ - ଦୀପ୍ତି ଶର୍ମା ବନାମ ଜିମ୍ବାୱେ, ଭଦୋଦରା

୯ ବର୍ଷ ପରେ ଶତକ

ଦୀପ୍ତି ଶର୍ମା ଆଜି ଜିମ୍ୱାୱେ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ୮୬ ବଲରେ ୧୦୬ ରନ୍ କରିଥିଲେ। ୧୨୩.୨୬ ଷ୍ଟ୍ରାଇକ୍ ରେଟ୍ରେ କରିଥିବା ଧୂଆଁଦାର ବ୍ୟାଟିଂରେ ସେ ୧୫ଟି ଚୌକା ମାରିଥିଲେ। ଦିପ୍ତୀଙ୍କ ଦିନିକିଆ କ୍ୟାରିୟରରେ ଏହା ତାଙ୍କର ଦ୍ୱିତୀୟ ଶତକ ଥିବା ବେଳେ ୯ ବର୍ଷ ପରେ ସେ ଶତକ ମାରିଛନ୍ତି। ଏହା ପୂର୍ବରୁ ୧୫ ମେ ୨୦୧୭ରେ ଦକ୍ଷିଣ ଆଫ୍ରିକାରେ ଆୟରଲ୍ୟାଣ୍ଡ ବିପକ୍ଷରେ ସେ ତାଙ୍କ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ଏହି ମ୍ୟାଚରେ ସେ ୧୬୦ ବଲରୁ ୧୮୮ ରନର ଐତିହାସିକ ଇନିଂସ ଖେଳିଥିଲେ।

ସୂଚନା ଥାଉକି ରବିବାର ଭଦୋଦରା କୋଟାମ୍ବିର ବିସିଏ ଷ୍ଟାଡିୟମରେ ଭାରତ ଓ ଜିମ୍ବାୱେ ମହିଳା ଦଳ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳା ଯାଇଥିଲା। ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଦୀପ୍ତି ଶର୍ମାଙ୍କ ୧୦୬ ରନ୍, ହରମନପ୍ରୀତ କୌରଙ୍କ ୧୨୬ ରନ୍ ଓ ପ୍ରତିକା ରାୱଲଙ୍କର ୬୧ ରନ ବଳରେ ଭାରତ ୩୨୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଜବାବରେ ଜିମ୍ବାୱେ ୪୮.୫ ଓଭରେ ୨୦୭ ରନ୍ କରି ଅଲ ଆଉଟ ହୋଇଯାଇଛି। ୧୨୧ ରନ୍‌ର ଭାରତ ଠାରୁ ପରାସ୍ତ ହୋଇଛି ଭ୍ରମକାରୀ ଦଳ।