ନୂଆଦିଲ୍ଲୀ, ୨୫ ଅକ୍ଟୋବର: ଜାପାନର ଆଇଚି-ନାଗୋୟାରେ ଅନୁଷ୍ଠିତ ୨୦୨୬ ପାରା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଐତିହାସିକ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ତଥା ବିଶିଷ୍ଟ ଧାବିକା ପି.ଟି. ଉଷା। ଭାରତୀୟ ପାରା ଆଥଲେଟ୍ ମାନଙ୍କ ଅଦମ୍ୟ ମନୋବଳ, ଦୃଢ଼ ସଂକଳ୍ପ ଓ କଠିନ ପରିଶ୍ରମ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ନିଜ ସ୍ୱପ୍ନ ପୂରଣ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

ପାରା ଏସୀୟ କ୍ରୀଡ଼ାରେ ଭାରତ ଏଥର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ମୋଟ ୧୧୪ଟି ପଦକ ହାସଲ କରିଛି। ଏଥିରେ ୩୦ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୯ଟି କାଂସ୍ୟ ପଦକ ରହିଛି। ଏହି ସଫଳତା ସହ ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଏହା ହେଉଛି ପାରା ଏସୀୟ କ୍ରୀଡ଼ାରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ବାର୍ତ୍ତା ଦେଇ ପି.ଟି. ଉଷା ଭାରତୀୟ ପାରା ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହ । ସେ ଲେଖିଛନ୍ତି, ପାରା ଏସୀୟ କ୍ରୀଡ଼ାରେ ଆମ ଖେଳାଳିମାନେ ଅସାଧାରଣ ସାହସ, ଦୃଢ଼ ସଂକଳ୍ପ ଓ ଅପୂର୍ବ ପ୍ରତିଭାର ପରିଚୟ ଦେଇଛନ୍ତି। ଜିତିଥିବା ପ୍ରତ୍ୟେକ ପଦକ ସେମାନଙ୍କ ଅଦମ୍ୟ ମନୋବଳ ଓ ଦୀର୍ଘ ସମୟର କଠିନ ପରିଶ୍ରମର ପ୍ରମାଣ।ଖେଳାଳିମାନେ କେବଳ ଦେଶକୁ ଗର୍ବିତ କରିନାହାନ୍ତି, ବରଂ ଅନେକ ଲୋକଙ୍କୁ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ନିଜ ସ୍ୱପ୍ନ ପଛରେ ଦୌଡ଼ିବାକୁ ପ୍ରେରିତ କରିଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ସମସ୍ତ ପଦକ ବିଜେତା, ପ୍ରଶିକ୍ଷକ ଓ ସହାୟକ କର୍ମଚାରୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି।

ଭାରତର ଏହି ଐତିହାସିକ ସଫଳତାରେ ପାରା ଆଥଲେଟିକ୍ସର ଯୋଗଦାନ ସବୁଠାରୁ ଅଧିକ ରହିଛି। ଏହି ବିଭାଗରୁ ଭାରତ ମୋଟ ୬୫ଟି ପଦକ ଜିତିଛି। ଏଥିରେ ୨୨ଟି ସ୍ୱର୍ଣ୍ଣ, ୧୯ଟି ରୌପ୍ୟ ଓ ୨୪ଟି କାଂସ୍ୟ ପଦକ ସାମିଲ ଅଛି। ୨୦୨୩ ମସିହାର ହାଙ୍ଗଝୋଉ ପାରା ଏସୀୟ କ୍ରୀଡ଼ା ତୁଳନାରେ ଏଥର ଏହି ବିଭାଗରେ ଭାରତ ୧୨ଟି ଅଧିକ ପଦକ ଜିତିଛି । ସେହିପରି ପାରା ବ୍ୟାଡମିଣ୍ଟନରୁ ଭାରତକୁ ୧୬ଟି ପଦକ ମିଳିଛି। ଏଥିରେ ୩ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୮ଟି କାଂସ୍ୟ ପଦକ ରହିଛି। ପାରା ସନ୍ତରଣରୁ ଭାରତ ୧୧ଟି ପଦକ ହାସଲ କରିଥିବାବେଳେ ପାରା ତୀରନ୍ଦାଜୀରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଛି।

ଏଥର ଭାରତ ମାତ୍ର ୧୬୮ ଜଣ ଖେଳାଳିଙ୍କୁ ନେଇ ପାରା ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବାବେଳେ । ୨୦୨୩ ମସିହାରେ ଚୀନ୍ର ହାଙ୍ଗଝୋଉରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା ଥିଲା ୧୦୮, ଯେଉଁଥିରେ ୨୭ଟି ସ୍ୱର୍ଣ୍ଣ ପଦକ ସାମିଲ ଥିଲା। କିନ୍ତୁ ଏଥର କମ୍ ସଂଖ୍ୟକ ଖେଳାଳିଙ୍କ ସହ ଭାରତ ପୂର୍ବର ସମସ୍ତ ରେକର୍ଡ ଅତିକ୍ରମ କରିଛି।

also read- ଜାପାନର ହିନା ଆକେଚିଙ୍କୁ ପରାସ୍ତ କରି ଫାଇନାଲରେ ପି. ଭି. ସିନ୍ଧୁ

ପାରା ଏସୀୟ କ୍ରୀଡ଼ାରେ ଭାରତର ଏହି ସଫଳତା ଦେଶର ପାରା କ୍ରୀଡ଼ା କ୍ଷେତ୍ରରେ ବଢ଼ୁଥିବା ଶକ୍ତି ଓ ସମ୍ଭାବନାକୁ ପ୍ରତିଫଳିତ କରୁଛି। ଖେଳାଳିଙ୍କ ଅସାଧାରଣ ଇଚ୍ଛାଶକ୍ତି, ନିଷ୍ଠା ଓ ଅଧ୍ୟବସାୟ ଆଗାମୀ ପିଢ଼ିକୁ ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହ ତାହା ହାସଲ କରିବା ପାଇଁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପି.ଟି. ଉଷା ।