ଭୁବନେଶ୍ଵର: କେଉଁଠି ୨ମାସ ତ ଆଉ କେଉଁଠି ୩ମାସ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ନପାଇ ଦହଗଞ୍ଜ ହେଉଛନ୍ତି ବୃଦ୍ଧ, ବୃଦ୍ଧାମାନେ । ପରିଣତ ବୟସରେ ମାସ ମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ ସରକାରୀ ଅଧିକାରୀ କେବଳ ପ୍ରତିଶ୍ରୁତି ଦେଉଥିବାର ଦେଖିବାକୁ ମିଳୁଛି । ଆର୍ଥିକ ଅନଟନ ଭିତରେ ରହିଥିବା ଅନେକ ବୟସ୍କ ଲୋକେ, ଯେଉଁମାନେ ଭତ୍ତା ଗଣ୍ଡାକ ଉପରେ ନିର୍ଭର କରୁଥିଲେ ସେମାନଙ୍କ ପାଇଁ ଅସହ୍ୟ ହେଲାଣି ଭତ୍ତା ଯନ୍ତ୍ରଣା । ହିତାଧିକାରୀଙ୍କୁ ଭତ୍ତା ନମିଳିବା ନେଇ ତେଜିଛି ରାଜନୀତି । ବିଜେଡି ଅଭିଯୋଗ କରିଛି ବୃଦ୍ଧ ବୃଦ୍ଧାଙ୍କ ସହ ଖେଳୁଛନ୍ତି ସରକାର ।

ପ୍ରଥମ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳର । ଯେଉଁଠି ଦୁଇ ମାସ ହେଲାଣି ଭତ୍ତା ନପାଇ ଦହଗଞ୍ଚ ହେଉଛନ୍ତି ବୃଦ୍ଧ ବୃଦ୍ଧା । ପରିଣତ ବୟସରେ ଏମାନଙ୍କୁ ଏଭଳି ଡହ ଡହ ଖରାରେ ବ୍ଲକ ଅଫିସକୁ ଦୌଡ଼ିବାକୁ ପଡ଼ୁଛି । ଦ୍ବିତୀୟ ଦୃଶ୍ୟ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକରୁ । ଏଠି ବି ଦୁଇ ମାସ ହେଲାଣି ଭତ୍ତା ପାଇ ନାହାନ୍ତି ଏହି ବୟସ୍କ ଲୋକମାନେ । ତୃ୍ତୀୟ ଦୃଶ୍ୟ ଉପରେ ବି ଟିକେ ନଜର ପକାନ୍ତୁ ।

Also Read: ତ୍ରିକୋଣୀୟ ପ୍ରେମରୁ ସଂଘବଦ୍ଧ ହତ୍ୟା, ପିଲାଦିନର ବନ୍ଧୁ ହିଁ ମାଷ୍ଟରମାଇଣ୍ଡ

ଭଦ୍ରକ ଜିଲ୍ଲାର ଚିତ୍ର। ଯେଉଁଠି ଭତ୍ତା ଦାବିରେ ଲୋକେ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସାମ୍ନାରେ ଧାରଣା ଦେଇଥିବା ବେଳେ ୮୨ବର୍ଷର ବୃଦ୍ଧା ମାଆଙ୍କୁ କେମିତି ଭାରାରେ ବୋହି ଧାରଣା ସ୍ଥଳରେ ପହଞ୍ଚିଛନ୍ତି ଜଣେ ପୁଅ । ସେହିଭଳି ଚତୁର୍ଥ ଚିତ୍ର ଆସିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଂଚଳରୁ । ଯେଉଁଠି ଭୀଷଣ ଖରା ଓ ଗରମ ଭିତରେ ଭତ୍ତରା ପାଇଁ ବ୍ଲକ ଅଫିସ ଆଗରେ ଭିଡ଼ ଜମାଇଛନ୍ତି ବୃଦ୍ଧ ବୃଦ୍ଧାମାନେ । ଏଠି ୩ ମାସ ହେଲାଣି ଏମାନଙ୍କୁ ମିଳିନି ବାର୍ଦ୍ଧକ୍ୟ ଭତ୍ତା ।

ଏସବୁ ଚିତ୍ର ହିଁ ବୟାନ କରୁଛି ଭତ୍ତା ଯନ୍ତ୍ରଣାର କରୁଣ କାହାଣୀ । ଗରିବ ପରିବାରର ବୃଦ୍ଧ-ବୃଦ୍ଧାଙ୍କ ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତାର ବ୍ୟବସ୍ଥା କରିଛନ୍ତି । ଆମ ରାଜ୍ୟରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁ ପରିବାର ବୃଦ୍ଧ ବୃଦ୍ଧାମାନେ ଏହି ଭତ୍ତା ଉପରେ ନିର୍ଭର କରନ୍ତି । ଏମିତିରେ ଯେତେବେଳେ ୨ରୁ ୩ମାସ ଧରି ସେମାନେ ଭତ୍ତା ପାଉନାହାନ୍ତି , ସେତେବେଳେ ସେମାନେ ଚଳିବେ କେମିତି ? ଭତ୍ତା ପାଇଁ ବୁଢ଼ାବୁଢ଼ୀ ଲୋକମାନେ ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ସେମାନଙ୍କୁ ଭତ୍ତା ତ ମିଳୁନି ମିଳୁଛି କେବଳ ସରକାରୀ ଅଧିକାରୀଙ୍କ ଅଶ୍ବାସନା ଆଉ ପ୍ରତିଶ୍ରୁତି ।

Also Read: ପୁଅ ହତ୍ୟାରେ ସଂପୃକ୍ତ ସମସ୍ତଙ୍କୁ ମିଳୁ କଠୋରରୁ କଠୋର ଦଣ୍ଡ, ନ୍ୟାୟ ନମିଳିବା ଯାଏଁ ଆମେ ଏଠୁ ଉଠିବୁନି

ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ନପାଇ ବୃଦ୍ଧ ବୃଦ୍ଧାମାନେ ଦହଗଞ୍ଜ ହେଉଥିବା ବେଳେ ଏହାକୁ ନେଇ ରାଜଧାନୀରେ ତେଜିଛି ରାଜନୀତି । ମୁଖ୍ୟ ବିରୋଧୀ ଦଳ ବିଜେଡି ସିଧା ସରକାରଙ୍କୁ କରିଛି ଟାର୍ଗେଟ୍ । ବିଜେଡି ଅଭିଯୋଗ କରିଛି ରାଜ୍ୟରେ ଚାଷୀ, ମହିଳା, ଯୁବକ, ବୃଦ୍ଧବୃଦ୍ଧା ସମସ୍ତଙ୍କ ସହ ଖେଳୁଛନ୍ତି । ଡବଲ ଇଂଜିନ ସରକାରରେ ହିତାଧିକାରୀଙ୍କୁ ଭତ୍ତା ମିଳୁନି । ପୂର୍ବରୁ ୩/୪ମାସ ପରେ ମିଳୁଥିଲା ଏବେ ମାସ ମାସ ଧରି ଭତ୍ତା ମିଳୁନି । ପୂର୍ବ ସରକାରରେ ବୃଦ୍ଧ ବୃଦ୍ଧାମାନଙ୍କୁ ଘରକୁ ଯାଇ ଭତ୍ତା ଦିଆଯାଉଥିଲା । ହେଲେ ଏବେ ଲୋକେ ପଞ୍ଚାୟତ ଅଫିସ, ବ୍ଲକ ଅଫିସକୁ ଦଉଡ଼ି ଦଉଡ଼ି ନୟାନ୍ତ ହେଉଛନ୍ତି, ହେଲେ ଭତ୍ତା ମିଳୁନି ।

ଯଦି ସରକାର ତୁରନ୍ତ ବୃଦ୍ଧ ବୃଦ୍ଧାମାନଙ୍କୁ ଭତ୍ତା ନଦିଅନ୍ତି ତାହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ । କଂଗ୍ରେସ ମଧ୍ୟ ସେଇ ସମାନ କଥା କହିଛି । ବିରୋଧୀଙ୍କ ଏଭଳି ଅଭିଯୋଗର ଜବାବ୍ ରଖିଛି ବିଜେପି । ରାଜ୍ୟରେ କାହିଁକି ଏତେ ଦିନ ହେଲାଣି ବାର୍ଦ୍ଧକ୍ୟ ଭତ୍ତା ମିଳୁନି ତା’ର ଉତ୍ତର କାହା ପାଖରେ ନାହିଁ । ଏମିତିରେ ଭତ୍ତା ନପାଇ ନାନା ସମସ୍ୟା ଭୋଗୁଥିବା ବୃଦ୍ଧବୃଦ୍ଧାଙ୍କ ଦୁଃଖ ବୁଝିବ କିଏ?