କ୍ରିକେଟ୍ ପଡ଼ିଆରେ ନିଜ ଘାତକ ବୋଲିଂରେ ବ୍ୟାଟରଙ୍କୁ ଘାଇଲା କରନ୍ତି ଅର୍ଶଦୀପ ସିଂହ। ଏବେ ପ୍ରେମ ପଡ଼ିଆରେ ମାରିଛନ୍ତି ବାଜି। ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଦେଇଛନ୍ତି ନୂଆ ପରିଚୟ। ଅଭିନେତ୍ରୀ ତଥା ମଡେଲ୍ ସମ୍ରିନ୍ କୌରଙ୍କ ସହ ନିର୍ବନ୍ଧ କରିଛନ୍ତି ଭାରତୀୟ କ୍ରିକେଟର୍ ଅର୍ଶଦୀପ ସିଂହ। ଅର୍ଶଦୀପଙ୍କ ପ୍ରେମିକା ସମରିନ୍ ଇନଷ୍ଟାଗ୍ରାମରେ ଅନେକ ଫଟୋ ପୋଷ୍ଟ କରିଛନ୍ତି। ଗୋଟିଏରେ ଅର୍ଶଦୀପ ତାଙ୍କୁ ଏକ ମୁଦି ଦେଉଥିବାର ଦେଖାଯାଉଛି। ପୋଷ୍ଟରେ ଦୁହେଁ ବହୁତ ଖୁସି ଦେଖାଯାଉଛନ୍ତି।

ବୁଧବାର ଉଭୟ ନିଜ ନିଜ ଇନଷ୍ଟାଗ୍ରାମରେ ନିର୍ବନ୍ଧର ଖବର ସେୟାର କରିଛନ୍ତି । ଅନେକ ଫଟୋ ପୋଷ୍ଟ କରି ସମରିନ୍ ଲେଖିଛନ୍ତି, ଜୀବନ ଆମକୁ ଅନେକ କିଛି ଦେଇପାରିଥାନ୍ତା, କିନ୍ତୁ ପରସ୍ପରକୁ ପାଇବା ହିଁ ସବୁଠୁ ବଡ଼ ଖୁସି। ଏବେ ଜୀବନସାରା ଏକାଠି ରହିବାର ନୂଆ ଯାତ୍ରା ଆରମ୍ଭ ହେବ। ପୋଷ୍ଟରେ ନିର୍ବନ୍ଧ ତାରିଖ ୧୧.୧୧.୨୦୨୬ ମଧ୍ୟ ଉଲ୍ଲେଖ ରହିଛି।

ଚଳିତ ବର୍ଷ ଜୁଲାଇରେ ଅର୍ଶଦୀପ ପ୍ରଥମଥର ପାଇଁ ସମରିନ ସହ ସମ୍ପର୍କକୁ ଅଫିସିଆଲ କରିଥିଲେ। ସେତେବେଳେ ତାଙ୍କୁ ‘ମାଇଁ ପର୍ସନ୍’ ବୋଲି କହିଥିଲେ। ଏହା ପୂର୍ବରୁ ସ୍ନାପ୍ଚାଟ୍ରେ ଜଣେ ଯୁବତୀଙ୍କ ହାତ ଧରିଥିବା ଫଟୋ ସେୟାର କରିଥିଲେ ଅର୍ଶଦୀପ। ପରେ ଧର୍ମଶାଳା ରାସ୍ତାରେ ଉଭୟଙ୍କୁ ଏକାଠି ବୁଲୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। କହିବାକୁ ଗଲେ ସମରିନ୍ କୌର ‘୮୩’ ଏବଂ ‘ସର୍ଦ୍ଦାର ଜୀ ୨’ ଭଳି ଫିଲ୍ମ ସହ ବିଭିନ୍ନ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି। ଅର୍ଶଦୀପ ଓ ସମରିନଙ୍କ ନିର୍ବନ୍ଧ ଖବର ପରେ ସୋସିଆଲ୍ ମିଡିଆରେ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।'