ନୂଆଦିଲ୍ଲୀ: ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛି ଭାରତ। ଏହାରି ଭିତରେ ଭାରତୀୟ ଶୁଟିଂ ଦଳକୁ ମିଳିଛି ଏକ ବଡ଼ ସଫଳତା। ବିଶ୍ୱ ଚାମ୍ପିୟନସିପ୍ରେ ଭାରତୀୟ ଶୁଟର ନୀରଜ କୁମାର ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା କେବଳ ପଦକ ଜିତିବାରେ ସୀମିତ ରହିନାହିଁ, ବରଂ ଏହାଦ୍ୱାରା ଭାରତକୁ ୨୦୨୮ ଅଲିମ୍ପିକ୍ସ ପାଇଁ ଆଉ ଏକ ଶୁଟିଂ କୋଟା ମିଳିଛି। ଫଳରେ ଭାରତୀୟ ଶୁଟିଂ ଦଳର ଅଲିମ୍ପିକ୍ସ ଆଶା ଆହୁରି ମଜଭୁତ ହୋଇଛି।

କତାରର ଦୋହାରେ ଆୟୋଜିତ ISSF ବିଶ୍ୱ ଚାମ୍ପିୟନସିପ୍ରେ ନୀରଜ କୁମାର ଏହି ସଫଳତା ହାସଲ କରିଛନ୍ତି। ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ ଇଭେଣ୍ଟରେ ସେ ନିଜର ଦକ୍ଷତା ଓ ଏକାଗ୍ରତାର ପରିଚୟ ଦେଇଥିଲେ।ଏହି ଇଭେଣ୍ଟରେ ଶୁଟରମାନଙ୍କୁ ତିନୋଟି ଭିନ୍ନ ସ୍ଥିତିରେ ଟାର୍ଗେଟ୍ ଉପରେ ନିଶାନା ଲଗାଇବାକୁ ପଡ଼ିଥାଏ। ଏଥିରେ ରହିଛି ନିଲିଂ ବା ଆଣ୍ଠୁ ମାଡ଼ି, ପ୍ରୋନ୍ ବା ଶୋଇକରି ଏବଂ ଷ୍ଟାଣ୍ଡିଂ ବା ଠିଆ ହୋଇ ଗୁଳି ଚାଳନା। ତିନୋଟି ଯାକ ସ୍ଥିତିରେ ସଠିକ୍ ନିଶାନା ଲଗାଇବା ସହ ନିଜର ସନ୍ତୁଳନ ଓ ଏକାଗ୍ରତା ବଜାୟ ରଖିବା ଏହି ଖେଳର ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏହି କଠିନ ପ୍ରତିଯୋଗିତାରେ ନୀରଜ ମୋଟ ୩୪୬.୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଥିଲେ। ଫଳରେ ତାଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା। ବିଶ୍ୱ ଚାମ୍ପିୟନସିପ୍ରେ ଏହା ନୀରଜଙ୍କ ପ୍ରଥମ ବ୍ୟକ୍ତିଗତ ପଦକ। ଏହି ସଫଳତା ତାଙ୍କ କ୍ୟାରିୟର ପାଇଁ ମଧ୍ୟ ଏକ ବଡ଼ ଉପଲବ୍ଧି।

କ'ଣ ଏହି ଅଲିମ୍ପିକ୍ସ କୋଟା?

ନୀରଜଙ୍କ ପଦକ ଜିତିବା ସହ ଭାରତକୁ ମିଳିଛି ଆଉ ଏକ ଅଲିମ୍ପିକ୍ସ କୋଟା। ତେବେ ଏହି କୋଟାର ଅର୍ଥ କ'ଣ, ତାହା ଜାଣିବା ଜରୁରୀ। ଅଲିମ୍ପିକ୍ସରେ ପ୍ରତ୍ୟେକ ଦେଶ ନିଜ ଇଚ୍ଛା ଅନୁସାରେ ଯେତେ ଚାହିଁବେ ଖେଳାଳି ପଠାଇପାରିବେ ନାହିଁ। ପ୍ରତ୍ୟେକ ଖେଳରେ ନିର୍ଦ୍ଦିଷ୍ଟ ସ୍ଥାନ ବା କୋଟା ରହିଥାଏ। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଦେଶଗୁଡ଼ିକ ଏହି କୋଟା ହାସଲ କରିଥାନ୍ତି। ନୀରଜଙ୍କ ସଫଳତା ଫଳରେ ଭାରତ ୫୦ ମିଟର ରାଇଫଲ୍ ୩ ପୋଜିସନ୍ ବର୍ଗରେ ଅଲିମ୍ପିକ୍ସ କୋଟା ହାସଲ କରିଛି। ଏହାର ଅର୍ଥ ଏହି ଇଭେଣ୍ଟରେ ଭାରତ ପକ୍ଷରୁ ଜଣେ ଶୁଟର ଅଲିମ୍ପିକ୍ସରେ ଭାଗ ନେବାର ସୁଯୋଗ ପାଇବେ। ତେବେ ଏହି କୋଟା ନୀରଜଙ୍କ ପାଇଁ ବ୍ୟକ୍ତିଗତ ଭାବେ ସଂରକ୍ଷିତ ନୁହେଁ। ପରବର୍ତ୍ତୀ ସମୟରେ ଭାରତୀୟ ଶୁଟିଂ ମହାସଂଘର ଚୟନ ପ୍ରକ୍ରିୟା ଅନୁସାରେ ଖେଳାଳି ଚୂଡ଼ାନ୍ତ ହେବେ।

ଏହି ବିଶ୍ୱ ଚାମ୍ପିୟନସିପ୍ରେ ଭାରତ ପାଇଁ ଏହା ଦ୍ୱିତୀୟ ଅଲିମ୍ପିକ୍ସ କୋଟା। ଏହା ପୂର୍ବରୁ ପୁରୁଷ ୧୦ ମିଟର ଏୟାର ପିସ୍ତଲ୍ ଇଭେଣ୍ଟରେ ଜୟପାଲ ମାଲଭିୟା ରୌପ୍ୟ ପଦକ ଜିତି ଦେଶ ପାଇଁ ପ୍ରଥମ କୋଟା ହାସଲ କରିଥିଲେ। ଏବେ ନୀରଜଙ୍କ ବ୍ରୋଞ୍ଜ ପଦକ ସହ ଭାରତର କୋଟା ସଂଖ୍ୟା ଦୁଇରେ ପହଞ୍ଚିଛି। ଅର୍ଥାତ୍ ୨୦୨୮ ଅଲିମ୍ପିକ୍ସରେ ଭାରତୀୟ ଶୁଟିଂ ଦଳ ପାଇଁ ଆଉ ଏକ ଇଭେଣ୍ଟରେ ଅଂଶଗ୍ରହଣ କରିବାର ରାସ୍ତା ଖୋଲିଛି।

ରୌପ୍ୟ ପଦକ ବିଜେତା ପାୟଲ ନାଗଙ୍କୁ ସମ୍ମାନ, କ୍ରୀଡ଼ା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ

ବ୍ୟକ୍ତିଗତ ଇଭେଣ୍ଟ ବ୍ୟତୀତ ଦଳଗତ ପ୍ରତିଯୋଗିତାରେ ମଧ୍ୟ ଭାରତ ନିଜର ଦବଦବା ଦେଖାଇଛି। ପୁରୁଷ ୫୦ ମିଟର ରାଇଫଲ୍ ୩ ପୋଜିସନ୍ ଟିମ୍ ଇଭେଣ୍ଟରେ ନୀରଜ କୁମାର, ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଓ ଅଖିଲ ଶିଓରାନଙ୍କ ଟିମ୍ ବ୍ରୋଞ୍ଜ ପଦକ ଜିତିଛି। ଏହି ତିନି ଜଣ ମିଳିତ ଭାବେ ୧୭୫୧ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ଭାରତୀୟ ଦଳର ଶକ୍ତି ଓ ସାମୂହିକ ପ୍ରଦର୍ଶନର ଆଉ ଏକ ପ୍ରମାଣ।

ଭାରତୀୟ ଶୁଟିଂ ଦଳ ଗତ କିଛି ବର୍ଷ ହେଲା ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଆସୁଛି। ଏବେ ବିଶ୍ୱ ଚାମ୍ପିୟନସିପ୍ରେ ମିଳିଥିବା ଏହି ସଫଳତା ଆଗାମୀ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କ ମନୋବଳ ବଢ଼ାଇବ। ତେବେ ଅଲିମ୍ପିକ୍ସ ପାଇଁ ଆହୁରି ଅନେକ ଯୋଗ୍ୟତା ପ୍ରତିଯୋଗିତା ବାକି ରହିଛି। ଭାରତ ଆଗାମୀ ଦିନରେ ଆହୁରି ଅଧିକ କୋଟା ହାସଲ କରିବାକୁ ଲକ୍ଷ୍ୟ ରଖିବ। ନୀରଜ କୁମାରଙ୍କ ବ୍ରୋଞ୍ଜ ପଦକ ଏବଂ ଭାରତର ଦ୍ୱିତୀୟ ଅଲିମ୍ପିକ୍ସ କୋଟା ଏବେ ଦେଶର ଶୁଟିଂ ଜଗତ ପାଇଁ ଏକ ବଡ଼ ଉତ୍ସାହର କାରଣ ପାଲଟିଛି।